ବିକାଶ ପ୍ରସ୍ତାବକୁ ଅନୁଧ୍ୟାନ କରିବେ ରାଜ୍ୟ ସରକାର

0

ଭୁବନେଶ୍ୱର.- ତିନି ଦିନ ବ୍ୟାପୀ ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ରବିବାର ଉଦ୍‍ଯାପିତ ହୋଇଯାଇଛି। ଓଡିଶା ସମେତ ନଅଟି ରାଜ୍ୟର୨୬୭୦ରୁ ଊର୍ଦ୍ଧ୍ବ ପ୍ରତିନିଧି ୧୯ଟି ପୃଥକ ପୃଥକ ପ୍ରସଙ୍ଗ ଉପରେ ମାରାଥନ ଚର୍ଚ୍ଚା କରି ଓଡ଼ିଶା ବିକାଶର ରୋଡ଼ମ୍ୟାପ୍‍ ପ୍ରସ୍ତୁତ କରିଛନ୍ତି। ଏହି ପରାମର୍ଶଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରିବେ ବୋଲି ଉଦ୍‌ଯାପନ ସମାରୋହରେ ଯୋଗ ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସମାବେଶରେ ସମାନ୍ତରାଳ ଭାବେ ଚାଲିଥିବା  ପ୍ରାସଙ୍ଗିକ ବିଚାର ବିମର୍ଷ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସାମାଜିକ ଅନୁଷ୍ଠାନ, ଗୋଷ୍ଠୀ ସଙ୍ଗଠନ, ସରକାରୀ କର୍ମଚାରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍‍, ପଞ୍ଚାୟତ ଲୋକ ପ୍ରତିନିଧି, ତୃଣମୂଳ ସ୍ତରୀୟ କର୍ମୀ, ବିଭିନ୍ନ ନାଗରିକ ମଞ୍ଚର ପ୍ରତିନିଧି ମିଳିତ ଭାବେ କରିଥିବା ପ୍ରଚେଷ୍ଠା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଶା ବିକାଶ ସମାବେଶ ରାଜ୍ୟର ୪କୋଟି ୩୦ ଲକ୍ଷ ଲୋକଙ୍କ ଜୀବନଧାରଣ ଚିନ୍ତା କରିଛି। ଖାଦ୍ୟ, ​‌ସ୍ୱାସ୍ଥ୍ୟକୁ ଆରମ୍ଭ କରି ୧୯ଟି ପ୍ରସଙ୍ଗ ଉପରେରୋଡ଼ମ୍ୟାପ୍‍ ତିଆରି କରିଛନ୍ତି; ଯାହାକି ସରକାରଙ୍କ ପାଇଁ ଏକ ଚେକ୍‍ ଲିଷ୍ଟ ବୋଲି ଶ୍ରୀ ପାତ୍ର ଟିପ୍ପଣୀ ଦେଇଥିଲେ। ଇତିହାସରୁ ବିଭିନ୍ନ ଦେଶର ଉଦାହରଣ ଜରିଆରେ ଶ୍ରୀ ପାତ୍ର କହିଛନ୍ତି ଯେ, ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସରକାର, ସରକାରୀ କର୍ମଚାରୀମାନଙ୍କ ସମେତ ଜନସାଧାରଣ ଓ ସାମାଜିକ ଅନୁଷ୍ଠାନମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ଓଡିଶାବିକାଶ ସମାବେଶ ଏହି ଦିଗରେ ଏକ ଅନନ୍ୟ ପ୍ରୟାସ ଏବଂ ସକରାତ୍ମକ ମନୋଭାବ ସହ ସମସ୍ତଙ୍କର ମିଳିତ ଉଦ୍ୟମ ଜାରି ରହିଲେ ଆମ ରାଜ୍ୟ ଆହୁରି ଦ୍ରୁତ ଗତିରେ ପ୍ରଗତିଶୀଳ ହୋଇପାରିବ ବୋଲି ଶ୍ରୀ ପାତ୍ର ମତ ବ୍ୟକ୍ତ କରିଛନ୍ତି। ଆୟୋଜିତଉଦ୍‍ଯାପନ ସମାରୋହରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ  ସୁବ୍ରତ ବାଗଚୀ ପରିବର୍ତ୍ତନକାରୀ ସ୍ୱଭାବ ଓ ଗୁଣଗୁଡ଼ିକଉପରେ ଆଲୋକପାତ କରିଥିଲେ। ଚିରସ୍ଥାୟୀ ଓ ନିରନ୍ତର ବିକାଶ ପ୍ରକ୍ରିୟା ବଜାୟ ରଖିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେପରିବର୍ତ୍ତନକାରୀଙ୍କ ଆବଶ୍ୟକତା ରହିଛି। ଜଣେ ପରବର୍ତ୍ତନକାରୀଙ୍କ ମନ, ହୃଦୟ ଓ ଭବିଷ୍ୟତ କାର୍ଯ୍ୟ ଖସଡା ପ୍ରସ୍ତୁତି ଦକ୍ଷତା ସମ୍ପର୍କରେ ନିଜର ମତ ରଖି ଡ. ବାଗ୍‍ଚୀ କହିଲେ ଯେ, ନିରନ୍ତର ବିକାଶ ଓ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟକ୍ତିଗତ ସ୍ତରରେ ଅନେକ କଷ୍ଟ ସହିବାକୁ ପଡେ ଯାହାକି ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦୂରଦର୍ଶୀ ଭାବେ ଗଢି ତୋଳିଆସୁଛି ଏବଂ ସେହି ଦୂରଦୃଷ୍ଟି ସମସ୍ତଙ୍କ ଅନ୍ତର୍ଭୁକ୍ତୀକରଣ ସହ ଭବିଷ୍ୟତର ଏକ ନିରନ୍ତର ବିକାଶ ଖସଡା ପ୍ରସ୍ତୁତିରେ ସହାୟକ ହୋଇଥାଏ। ବିକାଶ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ସାମାଜିକ କ୍ଷେତ୍ରରେ ଯୋଜନା ଓ କାର୍ଯ୍ୟକ୍ରମର ସଞ୍ଚାଳନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏଥି ସକାଶେ ତୃଣମୂଳ ସ୍ତରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଜନ ତଦାରଖ ପ୍ରକ୍ରିୟା ମାଧ୍ୟମରେ ବିକେନ୍ଦ୍ରିକରଣଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିହାତି ଜରୁରୀ ବୋଲି ଶ୍ରୀ ବାଗ୍‍ଚୀ ମତ ପୋଷଣ କରିଛନ୍ତି। ଦୃଷ୍ଟିଭଙ୍ଗୀ ବଦଳିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଓଡ଼ିଶାରେ କିଛି ନାହିଁ କହିବା ଅପେକ୍ଷା ଅଛି ଅଛି ବୋଲି କହିବାକୁ ସେ ପରାମର୍ଶ ଦେଇଥିଲେ। ଭାରତ ସରକାରଙ୍କ ଶ୍ରମ ଓ ସଂସଦୀୟ ମନ୍ତ୍ରାଳୟର ପୂର୍ବତନ ସଚିବ ଡ. ଲକ୍ଷ୍ମୀଧର ମିଶ୍ର ତିନି ଦିନିଆ ଓଡ଼ିଶା ବିକାଶ ସମ୍ମିଳନୀ ରାଜ୍ୟର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିବା ସୂଚାଇଥିଲେ। ଏହି ସମାବେଶରେ ରାଜ୍ୟର ଏକାଧିକ ବିଶ୍ୱ ବିଦ୍ୟାଳୟ ପ୍ରଥମ ଥର ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ପାଇଁ ଏହି ଅନୁଭବ  ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ରାସ୍ତା ଫିଟାଇଛି ବୋଲି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୂଳପତି ଡ. ଶ୍ରୀକାନ୍ତ ମହାପାତ୍ର କହିଛନ୍ତି। ବିଶ୍ୱ ବିଦ୍ୟାଳୟମାନଙ୍କରେ ତୃଣମୂଳ ସ୍ତରର ପାରମ୍ପରିକ ଜ୍ଞାନକୌଶଳ ଓ ଦକ୍ଷତା ଆଦିକୁ ସ୍ୱୀକୃତି ଦେବା ଦିଗରେ ଓଡ଼ିଶା ବିକାଶ ସମାବେଶ ସୁଯୋଗ ସୃଷ୍ଟି କରିଥିବା ଏବଂ ସେଗୁଡିକୁ ପାଠ୍ୟକ୍ରମର ରୂପ ଦେବା ନିହାତି ଆବଶ୍ୟକ ବୋଲି ଡ. ମହାପାତ୍ର ମତବ୍ୟକ୍ତ କରିଥିଲେ। ବିକାଶ ସଂକ୍ରାନ୍ତ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଡ. ମହାପାତ୍ର ପ୍ରତିଶ୍ରୁତି ଦେବା ସହ ଏହି ପାଠ୍ୟକ୍ରମର ସ୍ୱରୂପ ସାମାଜିକ ଅନୁଷ୍ଠାନମାନଙ୍କରେ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପାଠ୍ୟ ପୁସ୍ତକର ବିଷୟବସ୍ତୁ ଠାରୁ ଦକ୍ଷତା ଓ ଯୋଗ୍ୟତା ଭିତ୍ତିକ ମାନକ ନିର୍ଦ୍ଧାରଣ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ରାଷ୍ଟ୍ରିୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଡ. ହୃଷିକେଶ ସେନାପତି ମତ ପୋଷଣ କରିଛନ୍ତି। ସମଗ୍ର ଦେଶରେ ବର୍ତ୍ତମାନ ଶିକ୍ଷକ ତାଲିମ ସଂସ୍ଥାଗୁଡିକୁ ମଜବୁତ୍‍ କରିବା ନିହାତି ଅପରିହାର୍ଯ୍ୟ ବୋଲି ଡ. ସେନାପତି ସମାବେଶରେ ଯୋଗଦେଇ କହିଛନ୍ତି। ଏହି ସମ୍ମିଳନୀରେ ମୟୂରଭଞ୍ଜରୁ ମାଲକାନାଗିରିବାଲେଶ୍ୱରରୁ ନବରଙ୍ଗପୁର ଯାଏ ୩୦ ଜିଲ୍ଲାର ପ୍ରତିନିଧିତ୍ୱ ରହିଥିବା ଓ ଓଡିଶା ସମେତ ନଅଟି ରାଜ୍ୟର ୬୫ ସଂଗଠନ ଯୋଡ଼ି ହେବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ଓଡିଶା ବିକାଶ ସମାବେଶର ଆବାହକ ଜଗଦାନନ୍ଦ କହିଛନ୍ତି। ଓଡ଼ିଶା ବିକାଶ ସମ୍ମିଳନୀରେ  ୧୯ଟି ପ୍ରସଙ୍ଗକୁ ନେଇ ଯେଉଁ ପରାମର୍ଶ ଆସିିଛି ସେଥିରୁ ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ସମାଧାନର ମନ୍ତ୍ର ରହିଛି। ଆଗତପ୍ରସ୍ତାବଗୁଡ଼ିକର ଏକ ସବିଶେଷ ଦସ୍ତାବିଜ୍‍ ପ୍ରସ୍ତୁତ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରାଯିବାରଖସଡା ରହିଛି ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ସିୱାଇଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 ୧୯ଟି ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହେଲା ଓଡ଼ିଶା ବିକାଶର ରୋଡ଼ମ୍ୟାପ୍‍;

 ନଅଟି ରାଜ୍ୟର ୬୫ ସଂଗଠନ ଓ ୨୬୭୦  ପ୍ରତିିନିଧି କଲେ ମାନସ ମନ୍ଥନ;

 ପ୍ରସ୍ତୁତ ହେଲା ପରାମର୍ଶୀୟ ଚିଠା, ଏବେ ଦିଲ୍ଲୀ ଓ ଭୁବନେଶ୍ୱରରେ ହେବ ଉପସ୍ଥାପନା;

 ଆନ୍ତଃମନ୍ତ୍ରିସ୍ତରୀୟ ଆଲୋଚନା ପାଇଁ ନୀତି ଆୟୋଗ ଦେଇଛନ୍ତି ପ୍ରତିଶୃତି;

 ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀଙ୍କ ଅଂଶଗ୍ରହଣ;

 ସକରାତ୍ମକ ମନୋଭାବ ଓ ମିଳିତ ଉଦ୍ୟମ ରାଜ୍ୟ ପ୍ରଗତିର ମୂଳ ମନ୍ତ୍ର;

 ସାମାଜିକ କ୍ଷେତ୍ରରେ ଯୋଜନା ଓ କାର୍ଯ୍ୟକ୍ରମର ସଞ୍ଚାଳନ ଉପରେ ଗୁରୁତ୍ୱାରୋପ;

 ସ୍ୱାୟତ୍ତଶାସନ ବ୍ୟବସ୍ଥାର ସୁଦୃଢ଼ୀକରଣ, ଜନ ତଦାରଖ ପ୍ରକ୍ରିୟା ଓଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ;

Leave A Reply