କଂଗ୍ରେସ ଦଳକୁ ମଜଭୁତ୍‍ ପାଇଁ ‘ମୋ ବୁଥ୍‍, ମୋ ଗୌରବ’ ଅଭିଯାନ

0

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ଶାସକ ଦଳକୁ ବାଜିମାତ୍‍ ଦେଇ ଶାସନ କ୍ଷମତାକୁ ଫେରିବ ସେନେଇ ରବିବାର କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ହୋଇଯାଇଛି। ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟତର ହେବାକୁ ସମସ୍ତ ନେତା ଓ କର୍ମୀଙ୍କୁ ମିଶନ ମୋଡରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଦଳର ସମସ୍ତ ବିଧାୟକ, ବିଧାନସଭାର ବିରୋଧୀ ଦଳନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ନବନିଯୁକ୍ତ ସମ୍ପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଶୃଙ୍ଖଳା କମିଟି ସଦସ୍ୟ, ନିର୍ବାଚନ କମିଟି ସଦସ୍ୟ ଓ ୩୦ ଜିଲାର ସଭାପତି ଉପସ୍ଥିତ ଥିଲେ। ବୁଥ୍‍ସ୍ତରରେ ଲୋକଙ୍କ ଆସ୍ଥାଭାଜନ ହେବା ସହିତ ଦଳକୁ ସୁଦୃଢ କରିବା ଲାଗି ‘ମୋ ବୁଥ୍‍, ମୋ ଗୌରବ’ ନାମରେ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଆସନ୍ତାକାଲି ପିସିସି ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନର ବିଧାୟକଙ୍କ ସମେତ ୫୦ ଜଣଙ୍କ ନାମ ପ୍ରାର୍ଥୀ ଭାବେ ଆଗୁଆ ଘୋଷଣା କରାଯିବ। ଏହି ବୈଠକରେ ପରେ ଏକ ତାଲିକା ପ୍ରସ୍ତୁତ କରାଯାଇ ୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ କହିଛନ୍ତି।
ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଯେଉଁଭଳି ଭାବରେ ପରସ୍ପର ସହିତ ହାତ ମିଳାଇ ଶାସନ କଳର ଅପବ୍ୟବହାର କରିବା ସହିତ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି, ତାହା ବିରୋଧରେ କଂଗ୍ରେସ ଜନସଚେତନତା ସୃଷ୍ଟି କରିବ। ବିଶେଷକରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ବଡଧରଣର ଦୁର୍ନୀତି ପଦାକୁ ଆସୁଥିବାବେଳେ ସେଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ରାଜ୍ୟ ସରକାର କେବଳ ଯୋଜନା ପରେ ଯୋଜନା ଘୋଷଣା କରି ମୂଳ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବାକୁ ଉଦ୍ୟମ କରୁଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦେଶର ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ବଡ଼ଧରଣର ଦୁର୍ନୀତି କରିବାକୁ ପଛାଇ ନାହାନ୍ତି। ରାଫେଲ ଯୁଦ୍ଧବିମାନ କିଣାରେ ହୋଇଥିବା ମହାଦୁର୍ନୀତିକୁ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚାଇ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟସ୍ତରରେ ଜନସାଧାରଣ ଯେଉଁସବୁ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଗୁଡିକ ମଧ୍ୟ ସର୍ବସମ୍ମୁଖକୁ ଅଣାଯିବ।
ଦଳର ନେତା ଓ କର୍ମୀମାନେ ସାଧାରଣ ଲୋକଙ୍କର ନିକଟତର ହେବା ସକାଶେ ସେମାନେ ତୃଣମୂଳସ୍ତରରେ ଲୋକଙ୍କ ସହିତ ମିଶି ଦଳକୁ ମଜୁଭତ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି।
ସମ୍ପ୍ରତି ଉଭୟ ବିଜେପି ଏବଂ ବିଜେଡ଼ି ଭୋଟରଙ୍କୁ ମନାଇବାକୁ ଗ୍ରାମସ୍ତରରୁ ସେମାନଙ୍କର ଅଭିଯାନ ଆରମ୍ଭ କରିଥିବାବେଳେ କଂଗ୍ରେସର କାର୍ଯ୍ୟକର୍ତ୍ତା, କର୍ମୀ ଓ ଶୁଭେଚ୍ଛୁମାନେ ଜନସାଧାରଣଙ୍କ ମଧ୍ୟରେ କଂଗ୍ରେସର ଆଦର୍ଶ, ଭାବଧାରା ଏବଂ ଦେଶଗଠନ କ୍ଷେତ୍ରରେ କଂଗ୍ରେସର ରହିଥିବା ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ପାଇବା ଆଶାରେ ଦଳର କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ରାଜଧାନୀ ଭୁବନେଶ୍ୱରରେ ଠୁଳ ନହୋଇ ଗ୍ରାମାଭିମୁଖୀ ହେବା ଏବଂ ବୁଥ୍‍ସ୍ତରରେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡିବାକୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସିଂ କହିଛନ୍ତି। ବିଜେଡ଼ି ଓ ବିଜେପିର ମିଥ୍ୟା ପ୍ରଲୋଭନର ବଶବର୍ତ୍ତୀ ନହୋଇ ଜନସାଧାରଣ ବାସ୍ତବତାକୁ ହୃଦୟଙ୍ଗମ କରିବା ଏବଂ ନିଜ ରାଜ୍ୟ ତଥା ଦେଶର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

Leave A Reply