ଆମ୍ବୁଲାନ୍ସ କର୍ମଚାରୀଙ୍କ ମହତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଥିବା ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ସୂଚନା ଅନୁସାରେ ମାଥିଲି ବ୍ଲକ୍ ଅନ୍ତର୍ଗତ ବଡ ରେଙ୍ଗାବେଡା ଗ୍ରାମର ରଘୁ ଦୁରୁଆଙ୍କ ପତ୍ନୀ ମଙ୍ଗୁଳିଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ମଙ୍ଗୁଳିଙ୍କର ଏ ପଜିଟିଭ୍ ରକ୍ତର ଆବଶ୍ୟକ ଥିଲାବେଳେ ଅର୍ଥାଭାବରୁ ତାଙ୍କ ସ୍ୱାମୀ ରକ୍ତ କିଣି ପାରିନଥିଲେ। ଏ ସମ୍ପର୍କରେ ଖବର ପାଇ ଖଇରପୁଟ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ସମୀର ଠିକ୍ ସମୟରେ ପହଞ୍ଚି ରକ୍ତ ଦେଇ ମଙ୍ଗୁଳିଙ୍କ ଜୀବନ ବଞ୍ଚାଇଥିଲେ। ରକ୍ତ ଦେବା ପରେ ମଙ୍ଗୁଳି ଏବେ ସୁସ୍ଥ ଅଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀରଙ୍କ ଏହି ମହାନ କାର୍ଯ୍ୟରେ ପ୍ରଭାବିତ ହୋଇ ଟ୍ୱିଟ୍ କରି ତାଙ୍କର ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ “ମାଲକାନଗିରି ଖଇରପୁଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର ଜଣେ ପ୍ରସୂତୀଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ କରିବା ସହ  ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଆଣିବା ନିଃସ୍ୱାର୍ଥପର ସେବା ଓ ମାନବିକତାର ପରିଚୟ। ତାଙ୍କର କର୍ତ୍ତବ୍ୟପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଉଦାହରଣ। ତାଙ୍କୁ ମୋର ସାଧୁବାଦ।”

 

Comments are closed.