ଘର ଘର ମୋଦୀ ବନାମ ନବୀନଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ର ରୁପିଡ଼ିହିରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଫେରିବା ପରେ ଜିଲାର ରାଜନୈତିକ ହାୱା ଏକ ପ୍ରକାର ବଦଳି ଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ମୋଦୀଙ୍କ ‘ଘର ଘର ମୋଦୀ’ ହାୱାକୁ ପ୍ରତିହତ କରିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା କାଲି(୧୦ ତାରିଖ) ସୁନ୍ଦରଗଡ଼ ଜିଲାର ୭ବିଧାନସଭା କ୍ଷେତ୍ରରେ ନିଜର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସ୍ଥିରିକୃତ କରିଛନ୍ତି। ନବୀନଙ୍କ ଗସ୍ତକୁ ନେଇ ବିଜେଡ଼ି ମହଲ ଯେତିକି ଉତ୍ସାହିତ, ତାଠାରୁ ଅଧିକ ସଚେତନ ହୋଇଛନ୍ତି ବିଜେପି କର୍ମକର୍ତ୍ତା ଓ କର୍ମୀ। ନବୀନ ଜିଲାରେ ଆଉ କଣ ଯୋଜନା ଘୋଷଣା କରିବେ ତାକୁ ନେଇ ବିଜେପି ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ଜଣାପଡ଼ିଛି । ଅପରପକ୍ଷରେ ନବୀନଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନ ମଧ୍ୟ ଚଳଚଞ୍ଚଳ ହୋଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଥିବା ଜଣାପଡ଼ିଛି ।

ଆସନ୍ତାକାଲି ନବୀନ ୬ଟି ବିଧାନସଭା କ୍ଷେତ୍ରର ୫ଟି ସ୍ଥାନରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥି ମଧ୍ୟରୁ ୪ଟି କେବଳ ସୁନ୍ଦରଗଡ଼ ପୁଲିସ ଜିଲା ଅନ୍ତର୍ଗତ ହୋଇଥିବାରୁ ଆଜି ଏସ.ପି ସୌମ୍ୟା ମିଶ୍ରା, ରାଜଗାଙ୍ଗପୁର, ତଳସରା ଓ ବୀରମିତ୍ରପୁର ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଶ୍ମିତା ପଣ୍ଡା, ପଶ୍ଚିମାଞ୍ଚଳ ଡ଼ି.ଆଇ.ଜି କବିତା ଜଲାନ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ଟିକିନିକି ବନ୍ଦୋବସ୍ତ ସଂପର୍କରେ ଅବଗତ ହୋଇଛନ୍ତି । ସେହିପରି ବଣେଇ ନିର୍ବାଚନ ମଣ୍ଡଳୀ, ରାଉରକେଲା ନିର୍ବାଚନ ମଣ୍ଡଳୀର ରାଉରକେଲା ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ରାଉରକେଲା ପୁଲିସ ଜିଲା ଅନ୍ତର୍ଗତ ହୋଇଥିବାରୁ ରାଉରକେଲା ଏସ.ପି ଡଃ.ସାର୍ଥକ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ନବୀନଙ୍କ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ଓ ଆନୁସଙ୍ଗିକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିବାର ଜଣାପଡ଼ିଛି। ରାଉରକେଲା ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ସାଧାରଣ ସଭାର କାର୍ଯ୍ୟକ୍ରମ ନଥିଲେ ମଧ୍ୟ ‘ରୋଡ଼ ସୋ’ର କାର୍ଯ୍ୟକ୍ରମ ରହିଥିବାରୁ ରାଉରକେଲା ପୁଲିସ ଏଥିପ୍ରତି ଅଧିକ ସଜାଗ ରହି ପଦକ୍ଷେପ ନେଉଥିବା ଜଣାପଡ଼ିଛି।

ମୋଟାମୋଟି ଭାବେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସକାଳ ୧୦ଟା ୩୫ରେ ଆରମ୍ଭ ହୋଇ ରାଉରକେଲାରେ ପାଖାପାଖି ସାଢ଼େ ୫ଟାରେ ସରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରାୟ ୭ଘଣ୍ଟାରେ ଜିଲାର ୭ଟିଯାକ ବିଧାନସଭା କ୍ଷେତ୍ରକୁ ଟଚ୍‌ କରିବାରେ ସକ୍ଷମ ହେବେ ବୋଲି ତାଙ୍କ କାର୍ଯ୍ୟସୂଚୀରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ, ସୁନ୍ଦରଗଡ଼ରେ ୩୯ବର୍ଷ ପରେ ଜଣେ ଅଣକଂଗ୍ରେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରି ଲୋକଙ୍କୁ ‘ନମୋଃ’ ମନ୍ତ୍ର ଦେଇଥିବାରୁ ତାହାର ଗୁଞ୍ଜରଣ ନବୀନଙ୍କ ମାରାଥନ ପ୍ରଚାର ଏହାକୁ ପ୍ରତିହିତ କରିବାରେ କେତେକାଂଶରେ ସଫଳ ହେବ ତାହା ଆଗାମୀ ସମୟ ହିଁ ସ୍ପଷ୍ଟ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Comments are closed.