ଓଡ଼ିଶା-ଛତିଶଗଡ଼ ସୀମା ସିଲ୍‌

ଝାରସୁଗୁଡ଼ା: ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଶହ ଶହ ଶ୍ରମିକ ଏକାଠି ହୋଇ ଏବେ ଘରମୁହାଁ ହୋଇଛନ୍ତି। ଏହି ପରିସ୍ଥିତିରେ କରୋନା ସଂକ୍ରମଣର ଭୀଷଣ ରୂପ ନେବାର ଆଶଙ୍କା ଥିବାରୁ ସମସ୍ତ ରାଜ୍ୟର ସୀମାକୁ ସିଲ୍‌କରି ଲକ୍‌ଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ତେଣୁ ଓଡ଼ିଶା ସରକାର ରାଜ୍ୟକୁ ଲାଗିଥିବା ସମସ୍ତ ସୀମାକୁ ସିଲ୍‌ କରିଦେଇଛନ୍ତି। ଏହାସତ୍ତ୍ବେ ସୀମାନ୍ତରେ ଥିବା ଅନେକ ଗଳାବାଟ ଦେଇ ପଡ଼ୋଶୀ ରାଜ୍ୟରୁ ଶହ ଶହ ପ୍ରବାସୀ ଓଡ଼ିଶାକୁ ପ୍ରବେଶ କରୁଥିବା ଜଣାପଡିଛି। ଏଭଳି ଛତିଶଗଡ଼ ରାଜ୍ୟରୁ ଗଳାବାଟ ଦେଇ ଓଡ଼ିଶା ଭିତରକୁ ଅନେକ ପ୍ରବାସୀ ​ପ୍ର​‌ବେଶ କରିଥିବା ଏକ ନିର୍ଭରସୂତ୍ରରୁ ଜଣାପଡିଛି।

ରାଜ୍ୟ ସରକାର ୪୯ ନମ୍ବର ରାଜପଥର ଛତିଶଗଡ଼ ସୀମାନ୍ତ କନକତୋରାକୁ ସିଲ୍‌ କରି ଦେଇଛନ୍ତି ା ସେଠାରେ ଡ଼ାକ୍ତରୀ ଦଳ, ପୁଲିସକୁ ନିୟୋଜିତ କରାଯାଇ ଓଡ଼ିଶାକୁ ପ୍ରବେଶ କରିବାକୁ ଚାହୁଁଥିବା ଲୋକଙ୍କୁ ସ୍କ୍ରିନିଂକରି ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। କିନ୍ତୁ ଛତିଶଗଡ଼ରେ ରହୁଥିବା ପ୍ରବାସୀ ଓଡ଼ିଆ ଏବଂ ଅନ୍ୟରାଜ୍ୟରୁ ଆସୁଥିବା ଲୋକେ ଓଡ଼ିଶାକୁ ଫେରିବାକୁ ପଞ୍ଜୀକରଣ କରିନାହାନ୍ତି ସେମାନେ ଅନେକ ଗଳାବାଟ ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ଜଣାପଡିଛି। ବିଶେଷ ଭାବେ ଛତିଶଗଡ଼ ମହାନଦୀ ପଟୁ ସୁରୁଜଗଡ଼ ଦେଇ ଡ଼ଙ୍ଗାଭଡ଼ା ନେଇ ମତ୍ସଜୀବୀ ଭାବେ ଜିଲାର ବିଭିନ୍ନ ଘାଟରେ ଆସି ରାଜ୍ୟକୁ ପ୍ରବେଶ କରୁଛନ୍ତି। ସେହିପରି ମୁଲିପାଲି, ସରେଇପାଲି ଲରା ଛକକୁ ପୁଲିସ ବନ୍ଦ କରିଥିଲେ ମଧ୍ୟ ବାଇକ ଚାଳକମାନେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିନା ବାଧାରେ ଯାତାୟାତ କରୁଛନ୍ତି। ପୁସୋର, ତର୍ଡ଼ା, ଗୁଡ଼ୁ ଗଳାରାସ୍ତା ଦେଇ ମଧ୍ୟ ଲୋକେ ଓଡ଼ିଶାକୁ ଲୁଚାଛପାରେ ପ୍ରବେଶ କରୁଛନ୍ତି। ଛତିଶଗଡ଼ର ମହଲେଇ, କତରଲିଆ, କୋତମରା ଓ ତିଲଗା ରାସ୍ତା ଦେଇ ମଧ୍ୟ ଓଡ଼ିଶାକୁ ପ୍ରବେଶ କରୁଥିବା ଏକ ବିଶେଷସୂତ୍ରରୁ ଖବର ମିଳିଛି। ଦିନରେ ଏହି ଗଳାବାଟରେ ଚଳପ୍ରଚଳ ହେଉଥିବା ବେଳେ ରାତିରେ ଏହି ଗଳାବାଟ ସମେତ ମହାନଦୀରେ ବେନିୟମ ଭାବେ ଡ଼ଙ୍ଗାରେ ଛତିଶଗଡ଼ ପଟୁ ପ୍ରବାସୀ ମାନେ ରାଜ୍ୟକୁ ପ୍ରବେଶ କରୁଛନ୍ତି।

ଝାରସୁଗୁଡ଼ାରେ ଏବେ ଦୁଇଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏବେ ଗଳାବାଟରେ ଓଡ଼ିଶାକୁ ପ୍ରବେଶ କରୁଥିବା ଲୋକେ ପ୍ରଥମେ ଝାରସୁଗୁଡ଼ା ଜିଲାକୁ ପ୍ରବେଶ କରୁଥିବାରୁ ଏମାନଙ୍କ ଠାରୁ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ଉପଜିଲାପାଳ ଶିବ ଟପ୍ପୋଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କରୋନା ସଂକ୍ରମଣ ରୋକିବାକୁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ଛତିଶଗଡ଼-ଓଡ଼ିଶା ମଧ୍ୟରେ ଥିବା ସମସ୍ତ ଗଳାବାଟକୁ ମଧ୍ୟ ସିଲ୍‌ କରାଯାଇଛି। ଯଦି କେହି ବେନିୟମ ଭାବେ ଓଡ଼ିଶାକୁ ପ୍ରବେଶ କରୁଥାନ୍ତି, ତେବେ ଆମକୁ ସୂଚନା ଦେଲେ ଆମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଥିଲେ। ତେବେ ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ପ୍ରବାସୀମାନଙ୍କୁ ଛତିଶଗଡ଼ ପ୍ରଶାସନ ପକ୍ଷରୁ କୌଣସି ରୋକ ଲଗାଇ ନ ଥିବା ବେଳେ ଓଡ଼ିଶାରୁ ଛତିଶଗଡ଼ ଯିବାକୁ ଅନେକ କଟକଣା ଲଗାଇଛି। ଏହାବ୍ୟତୀତ ଲୁଚିଛପି ଯାତାୟାତ କରୁଥିବା ପ୍ରବାସୀଙ୍କ ସଂପର୍କରେ ଓଡ଼ିଶା ଓ ଛତିଶଗଡ଼ ପୁଲିସ ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଛି। ତେଣୁ ଏହାର ସୁଯୋଗନେଇ ପ୍ରବାସୀମାନେ ଓଡ଼ିଶାରେ ପ୍ରବେଶ କରୁଛନ୍ତି ଏବଂ ସେମାନଙ୍କ ଠାରୁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି।

ଝାରସୁଗୁଡ଼ା ଜିଲା ଅନ୍ତର୍ଗତ ଲଖନପୁର ବ୍ଲକ ଅଞ୍ଚଳର ଚାଷୀମାନଙ୍କ ପନିପରିବାର ବେଶ୍‌ ଚାହିଦା ଛତିଶଗଡ଼ ରାଜ୍ୟର ରାୟଗଡ଼ରେ ରହିଛି। ଏହି ସୁଯୋଗରେ ଚାଷୀମାନେ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ କରୁଛନ୍ତି। ଏହା ବ୍ୟତୀତ କୋଇଲା ଏବଂ ଅନ୍ୟାନ୍ୟ ମାଲବାହୀ ଟ୍ରକଗୁଡ଼ିକ ମଧ୍ୟ ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବେଳେ ସେଥିରେ ରାତି ସମୟରେ ଲୁଚିଛପି ପ୍ରବାସୀମାନେ ଓଡ଼ିଶା ଭିତରକୁ ପ୍ରବେଶ କରୁଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ ଆମ ପ୍ରତିନିଧିଙ୍କୁ କହିଛନ୍ତି। ତେଣୁ ଏଭଳି ନିୟମ ଭାଙ୍ଗି ଓଡ଼ିଶାରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ରୋକିବା ଲାଗି ପ୍ରଶାସନ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।

Comments are closed.