ମହାନଦୀ ଜଳ ପରିଚାଳନା : ଓଡିଶା-ଛତିଶଗଡ ଆଲୋଚନା

0

ବୁର୍ଲା : ଚଳିତ ମୌସୁମୀ ଋତୁରେ ମହାନଦୀ ଜଳ ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୁର୍ଲା ଅଶୋକ ନିବାସରେ ଏହି ଉଚ୍ଚ ସ୍ତରୀୟ ଆଲୋଚନା ଅନୁଷ୍ଠିିତ ହୋଇଯାଇଛି। ଏଥିରେ ଦୁଇ ରାଜ୍ୟର ଜଳସଂପଦ ବିଭାଗର ଶୀର୍ଷ ସ୍ଥାନୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ମହାନଦୀ ଉପର ମୁଣ୍ଡରେ ବୃଷ୍ଟିପାତ, ଜଳପ୍ରବାହ ଓ ବନ୍ୟା ଜଳ ନିଷ୍କାସନ ସଂପର୍କରେ ଦୁଇ ରାଜ୍ୟ ହ୍ୱାଟ୍‍ସ ଆପ ଜରିଆରେ ନିୟମିତ ସୂଚନା ଆଦାନ ପ୍ରଦାନ କରିବା ପାଇଁ ଏହି ବୈଠକରେ ସହମତି ପ୍ରକାଶ ପାଇଛି। ତେବେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ସଂଖ୍ୟାଧିକ ବନ୍ଧ ଓ ବ୍ୟାରେଜ ନିର୍ମାଣ ଏବଂ ଏହି କାରଣରୁ ଓଡ଼ିଶା ସମ୍ମୁଖୀନ ହେଉଥିବା ସମସ୍ୟା ଭଳି ବିବାଦୀୟ ପ୍ରସଙ୍ଗକୁ ଉଭୟ ପକ୍ଷ ନ ଛୁଇଁ ସୌହାର୍ଦ୍ଦ୍ୟମୂଳକ ଆଲୋଚନା କରିଥିବା ଜଣାପଡ଼ିଛି।
ଜାତୀୟ ନଦୀବନ୍ଧ ସୁରକ୍ଷା ପରିଷଦ (ଏନସିଜିଏସ) ମାର୍ଗଦର୍ଶିକା ଅନୁସାରେ ଅନୁଷ୍ଠିତ ହୋଇଥିବା ଏହି ଦ୍ୱିପାକ୍ଷିକ ଆଲୋଚନାରେ ଉପର ମୁଣ୍ଡରେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁ ହୀରାକୁଦ ଶଯ୍ୟା ପଟୁମାଟିରେ ପୋତିହେବା, ରୁଲ କର୍ଭ ପରିଚାଳନା, ଛତିଶଗଡ଼ର ବୃହତ ନଦୀବନ୍ଧଗୁଡ଼ିକର ସ୍ଥିତି ଓ ଓଡ଼ିଶା ଉପରେ ଏହାର ପ୍ରଭାବ, ଉପରମୁଣ୍ଡରେ ବର୍ଷା ଓ ତଳମୁଣ୍ଡକୁ ଜଳପ୍ରବାହ, ବନ୍ୟାଜଳ ନିଷ୍କାସନ, ବନ୍ୟା ପୂର୍ବାନୁମାନ, ପୁରୁଣା ଓ ନୂଆ ନଦୀବନ୍ଧଗୁଡ଼ିକର ସମନ୍ୱିତ ମାଷ୍ଟର ପ୍ଲାନ ଆଦାନ ପ୍ରଦାନ, ଉମର ମୁଣ୍ଡରେ ମୃତ୍ତିକା ସଂରକ୍ଷଣ ସଂରକ୍ଷଣ ପ୍ରସଙ୍ଗ ଏହି ଆଲୋଚନାରେ ପ୍ରମୁଖତାର ସହ ସ୍ଥାନ ପାଇଥିଲା। ଛତିଶଗଡ଼ ନଦୀଗୁଡ଼ିକରୁ ଜଳ ନିଷ୍କାସନ ଓ ଓଡ଼ିଶା ବନ୍ଧରେ ଏହାର ପ୍ରଭାବ ଉପରେ ସମୀକ୍ଷା କରାଯାଇଛି। ଦୁଇ ରାଜ୍ୟର ବନ୍ଧଗୁଡ଼ିକର ସ୍ଥିତି, ପରିବେଶ ସନ୍ତୁଳନତା ଓ ଜଳପ୍ରବାହ ବାବଦରେ ଦୁଇ ରାଜ୍ୟର ପଦାଧିକାରୀ ନିଜ ନିଜ ପକ୍ଷର ତଥ୍ୟ ଉପସ୍ଥାପନ କରିଥିଲେ। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ ନେଇ ସୃଷ୍ଟ ବିବାଦ ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ବିଭିନ୍ନ ମହଲରେ ଆଶା କରା ଯାଉଥିଲା। କିନ୍ତୁ ଏହା ଏକ ବିବାଦୀୟ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଆଲୋଚନା ହୋଇନଥିବା ଜଣାପଡ଼ିଛି। ଏହି ବୈଠକରେ ଓଡ଼ିଶା ପକ୍ଷରୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଗୁଣଧର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ ଉଭୟ ପକ୍ଷ ମଧ୍ୟରେ ଆଲୋଚନାର ପ୍ରମୁଖ ବିଷୟ ଥିଲା ହୀରାକୁଦ ବନ୍ଧର ସୁରକ୍ଷା। ଆଲୋଚନାରେ ଗୃହିତ ପ୍ରସ୍ତାବଗୁଡ଼ିକ କେନ୍ଦ୍ର ଜଳ ଆୟୋଗରେ ଉପସ୍ଥାପନ କରାଯିବ। ମହାନଦୀ ଅବବାହିକାରେ ବୃଷ୍ଟିପାତ ହାରରେ ପରିବର୍ତ୍ତନ ଓ ପଟୁମାଟି ପୋତିହେବା ସଂପର୍କରେ ଆଲୋଚନା ହୋଇଥିଲା। ଜଳପ୍ରବାହ ମାପିବାକୁ ଗଜ୍‍ ରେକର୍ଡ଼ ବ୍ୟବସ୍ଥାର ଆଧୁନିକୀକରଣ, ଉପର ମୁଣ୍ଡରୁ କେତେ ବନ୍ୟା ପାଣି ଛଡ଼ାଯାଉଛି ସେ ସଂପର୍କରେ ତଳ ମୁଣ୍ଡକୁ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ହୀରାକୁଦ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ଯେ ହୀରାକୁଦ ଓ ଉପରମୁଣ୍ଡରେ ଥିବା ବନ୍ଧଗୁଡ଼ିକର କାର୍ଯ୍ୟପଦ୍ଧତି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏଣିକି ହ୍ୱାଟ୍‍ସ ଆପ୍‍ ଜରିଆରେ ତଥ୍ୟ ଆଦାନ ପ୍ରଦାନ କରାଯିବା ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ଛତିଶଗଡ଼ର ମୁଖ୍ୟଯନ୍ତ୍ରୀ ସଞ୍ଜୟ ଭଗତ (ମହାନଦୀ ଯୋଜନା) ବର୍ଷାର ପରିମାଣ ଓ ବନ୍ୟାଜଳ ନିଷ୍କାସନ ବାବଦରେ ସୂଚନା ଆଦାନପ୍ରଦାନ ନେଇ ବୈଠକରେ ସହମତି ପ୍ରକାଶ ପାଇଛି ବୋଲି କହିଛନ୍ତି। ଦୁଇ ପକ୍ଷ ମଧ୍ୟରେ ପରବର୍ତ୍ତୀ ବୈଠକ ରାୟପୁରରେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତିି।
ଏହି ଦ୍ୱିପାକ୍ଷିକ ଆଲୋଚନାରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ହୀରାକୁଦ ବନ୍ଧ ସୁରକ୍ଷା ସମୀକ୍ଷା ପାନେଲ ସଦସ୍ୟ ଇଂ. ସୁଧାକର ପତ୍ରୀ, ମୁଖ୍ୟଯନ୍ତ୍ରୀ (ବନ୍ଧ ସୁରକ୍ଷା) ପ୍ରଫୁଲ୍ଲ କୁମାର ସ୍ୱାଇଁ, ନିର୍ଦ୍ଦେଶକ (ବନ୍ଧ ସୁରକ୍ଷା) ଡ. ଅକ୍ଷୟ କୁମାର ଦାସ, ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ରାମନାରାୟଣ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ, ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ ସେଠ, ପରାମର୍ଶଦାତା ଅଶ୍ୱିନୀ କୁମାର ଚୌଧୁରୀ, ଛତିଶଗଡ଼ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ତ୍ରିପାଠୀ, ଏଇଇ ଅଭିଷେକ ମିଶ୍ର, ରାଜୀବ ଭାବେ, ତପନ ପାଢ଼ୀ, ପ୍ରତୀକ ଦୀକ୍ଷିତ ଓ ସୁରଜ ଯାଜୋଡ଼ିଆ ପ୍ରମୁଖ ଭାଗ ନେଇଥିଲେ। କେନ୍ଦ୍ରୀୟ ଜଳ ଆୟୋଗର ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ରାଓ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏହି ବୈଠକ ଛତିଶଗଡ଼ରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ବୈଠକ ବୁର୍ଲାରେ ଆୟୋଜନ କରାଯିବାକୁ ଗତ ଜୁଲାଇରେ ଦୁଇ ଥର ଦିନ ଧାର୍ଯ୍ୟ ହୋଇଥିଲେ ହେଁ ତାହା ଘୁଞ୍ଚି ଯାଇଥିଲା।

Leave A Reply