୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

0

ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହି ପ୍ରକଳ୍ପର ଦଶପଲ୍ଲାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଅଂଶର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ରେଳ ମନ୍ତ୍ରାଳୟକୁ ବିନା ପ୍ରିମିୟମରେ ୮୮୧.୭୪୫ ଏକର ସରକାରୀ ଜମି ଯୋଗାଇ ଦେବେ। ପରେ ଆବଶ୍ୟକ ପଡ଼ିଲେ ଘରୋଇ ଜମି ଅଧିଗ୍ରହଣ କରି ଯୋଗାଇବେ। ବିଧାନସଭାରେ ଅନୁମୋଦନ ଲାଭ କରିଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ବିଧେୟକରୁ ପ୍ରୋ-ଚାନସେଲର ନିଯୁକ୍ତି ପ୍ରସ୍ତାବ ପ୍ରତ୍ୟାହୃତ ହେବ। ରାଜ୍ୟପାଳଙ୍କ ସ୍ୱୀକୃତି ପାଇଁ ପଠା ଯାଇଥିବା ଏହି ବିଧେୟକ ଉପରେ ଆପତ୍ତି ଉଠାଇ ରାଜ୍ୟପାଳ ଏହାକୁ ବିଧାନସଭାକୁ ଫେରସ୍ତ କରିଥିଲେ। ଆସନ୍ତା ବିଧାନସଭା ଅଧିବେଶନରେ ପ୍ରୋ ଚାନସେଲର ନିଯୁକ୍ତି ପ୍ରସ୍ତାବକୁ ବିଧେୟକରୁ ପ୍ରତ୍ୟାହୃତ କରାଯିବ। ସେହିପରି କୋରାପୁଟ ଜିଲାରେ ୩୧୬.୯୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ସମେତ ମୋଟ ୯ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।
ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି, ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ୫୦% ଖର୍ଚ୍ଚବହନ କରିବେ ବୋଲି ଘୋଷଣା କରି ଜମି ଓ ପ୍ରକଳ୍ପ ବାବଦ ଖର୍ଚ୍ଚ ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବିଭିନ୍ନ ଅଂଶ ପାଇଁ ଜମି ଯୋଗାଣ କରାଯାଇଛି। ଦଶପଲ୍ଲା-ବଲାଙ୍ଗୀର ଅଂଶ ପାଇଁ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାର ୧୭୨ଟି ମୌଜାରେ ଉପରୋକ୍ତ ପରିମାଣର ସରକାରୀ ଜମି ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ବିପିୟୁଟିରେ ପ୍ରୋ-ଚାନସେଲର ନିଯୁକ୍ତି ନେଇ ଗତ ୨୦୧୬ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ବିଧାନସଭାରେ ବିଧେୟକ ପାରିତ ହୋଇଥିଲା। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରୋ-ଚାନସେଲର ରହିବା ବ୍ୟବସ୍ଥା ଥିଲା। ଏହାକୁ ଆଇନରେ ପରିଣତ କରିବା ପାଇଁ ରାଜ୍ୟପାଳଙ୍କ ସ୍ୱୀକୃତି ପାଇଁ ପଠାଯାଇଥିଲା। ଏହି ସଂଶୋଧିତ ବିଧେୟକରେ ଥିବା ଉପଧାରା ୭-ଏରେ ପ୍ରସ୍ତାବିତ ପ୍ରୋ ଚାନସେଲର ପଦବୀ ସାମିଲ କରିବାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଆଇସିଏଆର ମଡେଲ ଆକ୍ଟ ଅନୁଯାୟୀ ବିଧେୟକର ପୁନର୍ବିଚାର କରିବାକୁ ଏହାକୁ ଫେରସ୍ତ କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ତର୍ଜମା କରି ପ୍ରସ୍ତାବିତ ଧାରା-୪ ଅଧୀନସ୍ଥ ଉପଧାରା ୭-ଏରେ ଥିବା ପ୍ରୋ ଚାନ୍‍ସେଲର ପଦବୀ ସଂକ୍ରାନ୍ତ ପ୍ରସ୍ତାବକୁ ଏହି ସଂଶୋଧିତ ବିଧେୟକରୁ ପ୍ରତ୍ୟାହାର କରିନେବେ। ବିଧେୟକ ଆସିବା ବେଳେ ବିରୋଧୀ ଏହାକୁ ବିରୋଧ କରିଥିଲେ।
ରାଜ୍ୟ ସରକାର ବସୁଧା ଯୋଜନାରେ କୋରାପୁଟ ଜିଲାର ୩ଟି ବ୍ଲକ ଅଧୀନରେ ଥିବା ୨୬୮ଟି ଗ୍ରାମକୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେବେ। ଏହାଦ୍ୱାରା ବୋରିଗୁମ୍ମା, କୋଟପାଡ଼ ଓ ଜୟପୁର ବ୍ଲକର ୨ଲକ୍ଷ ୭୯ ହଜାର ଲୋକ ଉପକୃତ ହେବେ। ୩୧୬ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ମୁମ୍ବାଇର ଜେଏମସି ପ୍ରୋଜେକ୍ଟ ନେଇଛି। ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।
ରାଜ୍ୟ ସରକାର ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନିମନ୍ତେ ବସନ୍ତପୁର ଓ ବଡ଼ସିଂହାରୀ ମୌଜାରେ ୧୮୧.୭୭ ଏକର ଜମି ମାଗଣାରେ ଯୋଗାଇ ଦେବେ। କିନ୍ତୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ବାର୍ଷିକ ଏକର ପିଛା ୧୦୦ଟଙ୍କା ଓ ସେସ ବାବଦରେ ଗ୍ରାଉଣ୍ଡ ରେଣ୍ଟର ୭୫%ହିସାବରେ ସରକାର ଲିଜ୍‍ ମଞ୍ଜୁର କରିବେ। ଏବାବଦରେ ସରକାରୀ ରାଜକୋଷକୁ ୨କୋଟି ୩୫ ଲକ୍ଷ ୧୯ହଜାର ୫୯୫ କୋଟି ଟଙ୍କା ଓ ଗ୍ରାଉଣ୍ଡ ରେଣ୍ଟ ଏବଂ ସେସ୍‍ ବାବଦରେ ପୌନପୁନିକ ୩,୪୨,୩୬୫ ଟଙ୍କାର କ୍ଷତି ସହିବାକୁ ପଡ଼ିବ।
ଗୋପାଳପୁର ଠାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଟାଟାକୁ ଦିଆଯାଇଥିବା ୨୯୭୦ ଏକର ଜମି ମଧ୍ୟରୁ ଟାଟା ୧୨୩୫ ଏକର ଜମି ଟାଟା ଷ୍ଟିଲ ଏସଇଜେଡ ବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଭାବେ ବ୍ୟବହାର କରିବ। ଅବଶିଷ୍ଟ ୧୭୩୫ ଏକର ଜମିକୁ ଏହି କମ୍ପାନୀ ଘରୋଇ ଶିଳ୍ପ ଭିତ୍ତିକ ପାର୍କ ପ୍ରତିଷ୍ଠା ନିମନ୍ତେ ବ୍ୟବହାର କରିବ। ଏହାକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ଓଡ଼ିଶା ଅଧସ୍ତନ ଅର୍ଥ ସେବା ନିଯୁକ୍ତି ଓ ସେବା ସର୍ତ୍ତ ନିୟମ ୧୯୮୮ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏସିଟିଓ ପଦବୀ ନାମ ପରିବର୍ତ୍ତନ କରାଯାଇ ଏହାକୁ ଏସିଟିଓ ଏବଂ ଜିଏସଟି ଅଧିକାରୀ କରାଯାଇଛିି। ସହାୟକ ବାଣିଜ୍ୟକର ଓ ଜିଏସଟି ଅଧିକାରୀ ଏବଂ ସଚିବାଳୟର ବିଭିନ୍ନ ବିଭାଗରେ ଥିବା ସହକାରୀ ଉପ ବିଭାଗ ଅଧିକାରୀ ପଦର ଦରମା ସମାନ ଥିବାରୁ ୨୦୦୮ରୁ କୌଣସି ଏଏସଓ ଏହି ପଦ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବାଣିଜ୍ୟକର ଓ ଜିଏସଟି କମିଶନରଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରେଞ୍ଜ ଓ ସର୍କଲରେ କାର୍ଯ୍ୟରତ ବରିଷ୍ଠ କିରାଣି ଓ ବରିଷ୍ଠ ଷ୍ଟେନୋଙ୍କ ପାଇଁ ୫୦ ପ୍ରତିଶତ ପଦବୀ ରହିବ। ଅବଶିଷ୍ଟ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ ହେବ। ସେହିପରି ଓଡ଼ିଶା ଲୋକସେବା ଆୟୋଗଙ୍କ ୨୦୧୧-୧୨ ଓ ୧୨-୧୩ ବର୍ଷର କାର୍ଯ୍ୟାବଳୀକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଆଦିମ ଓଆର ଜରପା ଅନୁଷ୍ଠାନକୁ ସରକାର ଏକ ଏକର ଜମି ଦେଇଛନ୍ତି। ସରକାର ଏହି ସଂସ୍ଥା ଉପରୁ ଜମିର ଅଧା ମୂଲ୍ୟ ବାବଦରେ ୨୫ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply