ଚାଷୀଙ୍କ ପାଇଁ ପୁଣି ଅଣ୍ଟା ଭିଡ଼ିଲେ ସରକାର

ଏମ୍‌ଏସ୍‌ପି ଦୁଇଗୁଣ ବୃଦ୍ଧି ଏବଂ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ଦାବି ଦୋହରାଇବ ଓଡ଼ିଶା

ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶକୁ ତ୍ୱରାନ୍ୱିତ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ରାଜ୍ୟବାସୀଙ୍କୁ ବିଶୁଦ୍ଧପାନୀୟଜଳ ଯୋଗାଇଦେବା ପାଇଁ ବୁଧବାର ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ନୂତନ କୃଷି ନୀତି ତଥା ସମୃଦ୍ଧି ଯୋଜନା ହାତକୁ ନେଇଛନ୍ତି। ପୂର୍ବରୁ ଏମ.ଏସ.ସ୍ବାମୀନାଥନ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ତଥା ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଏହି ସୁପାରିସ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତି କମରେ ଶତକଡ଼ା ୫୦ଭାଗ ଅଧିକ ହେବା ଉଚିତ। ପୂର୍ବରୁ ଚାଷୀଙ୍କ ଉତ୍ପାଦିତ ଧାନ ଫସଲର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ବିଧାନସଭାରେ ୨୦୧୭-୧୮ରେ ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ ହୋଇଥିଲା। ସଂକଳ୍ପନାମା ଅନୁଯାୟୀ ଚାଷୀମାନେ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବାକୁ ହକଦାର। ସେହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ନିକଟରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରିବେ।

କୃଷି ବିଭାଗରେ କାର୍ଯ୍ୟରତ ଉଦ୍ୟାନ କୃଷି ଡ଼ିଗ୍ରୀଧାରୀମାନଙ୍କୁ ସହକାରୀ କୃଷି ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ । ତେବେ ଏଥିପାଇଁ ସେମାନଙ୍କ ସର୍ବନିମ୍ନ ସ୍ନାତକ ଡିଗ୍ରୀ ରହିବା ଆବଶ୍ୟକ ବୋଲି ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ଆବଶ୍ୟକତା ପୂରଣ ଲାଗି ରାଜ୍ୟ ସରକାର ଫୁଲବାଣୀରେ ଟର୍ଣ୍ଣ-କି ଆଧାରରେ ୧୦୦ ସିଟ ବିଶିଷ୍ଟ ହସ୍ପିଟାଲ ଓ କୋରାପୁଟରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା(ଟିଚିଂ ହସ୍ପିଟାଲ) ନିର୍ମାଣ ଲାଗି କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ସେଥିରେ ଏମଏସ ସାପ୍ରୋଜୀ ପାଲୋନଜୀ କମ୍ପାନୀ ପ୍ରା.ଲିକୁ ୬୮୦ କୋଟି ଟଙ୍କାରେ କାର୍ଯ୍ୟାଦେଶ ଦିଆଯାଇଛି। ଉକ୍ତ କମ୍ପାନୀ ଆସନ୍ତା ୩ବର୍ଷ ମଧ୍ୟରେ ଏହି ମେଡିକାଲ କଲେଜ ଭିତ୍ତିଭୂମି ନିର୍ମାଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ବରଗଡ଼ବାସୀଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧପାନୀୟ ଜଳଯୋଗାଇ ଦେବାପାଇଁ ୭ଟି ବ୍ଲକରେ ୭୨୪ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଗତ ନିର୍ବାଚନରେ ବରଗଡ଼ ଜିଲାର ବିକାଶ ନିଜେ ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ନିଷ୍ପତ୍ତି ଫଳରେ ସେ ତାଙ୍କର ପ୍ରତିଶ୍ରୁତି ପାଳନ କରିଛନ୍ତି। ବରଗଡ଼ ଜିଲାର ଅତାବିରା, ଗାଇସିଲଟ, ବରପାଲି, ବିଜେପୁର ଓ ବରଗଡ଼ ବ୍ଲକର ୫ଲକ୍ଷ ୮ହଜାର ୩୦୪ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବାପାଇଁ ୫୦୮କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯିବ। ଏହାକୁ ଚେନ୍ନଇସ୍ଥିତ ଏଲ ଆଣ୍ଡ ଟି ଲି. କମ୍ପାନୀ ଆସନ୍ତା ୨ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସେହିପରି ବରଗଡ଼ ବ୍ଲକର ୨୨ଟି ପଞ୍ଚାୟତ ଏବଂ ଭେଡେନ ବ୍ଲକର ୨୧ଟି ପଞ୍ଚାୟତର ପ୍ରାୟ ୨ଲକ୍ଷ ୨୯ ହଜାର ୬୪ଜଣ ଲୋକଙ୍କୁ ପାନୀୟଜଳ ଯୋଗାଣ ଲାଗି ୨୧୫କୋଟି ୩୧ ଲକ୍ଷ ୨୮ହଜାର ୫୮୫ ଟଙ୍କାରେ ପ୍ରକଳ୍ପ ନିର୍ମାଣ କରାଯିବ। କେଇସି କାବେରୀ ସଂସ୍ଥା ଆସନ୍ତା ୨ବର୍ଷ ମଧ୍ୟରେ ପ୍ରକଳ୍ପ ନିର୍ମାଣ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜ୍ୟ କ୍ୟାବିନେଟରେ ଓଡ଼ିଶା ସଚିବାଳୟ ସେବା ନିୟମ-୨୦୧୬ର ସଂଶୋଧନ କରାଯାଇଛି। ଏହାଦ୍ୱାରା ରାଜ୍ୟ ସରକାର ପ୍ରତିବର୍ଷ ଏଏସଓ ନିଯୁକ୍ତି ନଦେଇ ଆବଶ୍ୟକ ସମୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ଯାନ୍ତ୍ରିକ ବର୍ଗର କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାପାଇଁ ସର୍ତ୍ତରେ କୋହଳ କରାଯାଇଥିବାବେଳେ ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧିତ କରାଯାଇଛି। ଏଣିକି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସ୍ଥାନରେ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଫି’ ନିର୍ଦ୍ଧାରଣ କମିଟିରେ ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ। ଶିଳ୍ପ ବିଭାଗରୁ ଏହାକୁ ଦକ୍ଷତା ବିକାଶ ବିଭାଗକୁ ସ୍ଥାନାନ୍ତର ହେବ। ଗ୍ରିଡକୋର ୪୦୦କୋଟି ଟଙ୍କା ବଣ୍ଡର ସୁଧକୁ ଅଂଶଧନକୁ ରୂପାନ୍ତରିତ କରିବା ସହିତ ସରକାରୀ ବିଭାଗଗୁଡିକରେ ବକେୟା ଥିବା ୨୫୦କୋଟି ୧୪ ଲକ୍ଷ ଟଙ୍କାକୁ ସରକାର ବହନ କରିବେ। ଏନଟିପିସି ପାୱାର ବଣ୍ଡ ଉପରେ ସୁଧ ବାବଦକୁ ସରକାରଙ୍କୁ ମିଳିବାକୁ ଥିବା ଅର୍ଥକୁ ଏଥିପାଇଁ ନେଣଦେଣ କରାଯିବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

Comments are closed.