୧୬ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ରାଜ୍ୟରେ କୃଷିକ୍ଷେତ୍ର ସହ କୃଷକ ଓ ମହିଳାବର୍ଗଙ୍କୁ ସଶକ୍ତୀକରଣ କରିବା ଲାଗି ଶନିବାର ରାଜ୍ୟ କ୍ୟାବିନେଟରେ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଠିକଣା ସମୟରେ ବିହନ ଓ ସାର ଯୋଗାଇବା ପାଇଁ ବିହନ ନିଗମ କର୍ପସ ପାଣ୍ଠି ପରିମାଣକୁ ୧୦୦ କୋଟିକୁ ବୃଦ୍ଧି କରାଯାଇଥିବା ବେଳେ ସାର ପାଇଁ ନିଗମର ଥିବା ଅନୁପାତକୁ କୋହଳ କରିଛନ୍ତି। ୨୦୦୧ରୁ ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ମିଶନ ଶକ୍ତି ଅଧୀନ‌େ‌ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସୁଦୃଢ଼ୀକରଣ କରିବା ଲାଗି ସ୍ବତନ୍ତ୍ର ମିଶନଶକ୍ତି ବିଭାଗ ଗଠନର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ମହିଳାମାନଙ୍କୁ ସଶକ୍ତୀକରଣ ଲାଗି ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ମହିଳା ସଶକ୍ତୀକରଣ ଉପରେ ଯେଉଁ ଗୁରୁତ୍ବ ଦେଇଥିଲେ ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ନେଇଛନ୍ତି। ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ୨୦୨୦ ମାର୍ଚ୍ଚ ୮ରେ ମିଶନଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିବାପାଇଁ ଘୋଷଣା କରିଥିଲେ। ଏହାକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ବାରା ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ମହିଳାମାନେ ବିଶେଷ ଉପକୃତ ହେବେ। ପୂର୍ବରୁ ଯେଉଁ ମହିଳାମାନେ ବଡ଼ି, ପାମ୍ପଡ ଓ ଆଚାର ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଥିଲେ ଏବେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ମହିଳାଙ୍କୁ ଏବେ ମିଟର ରିଡ଼ିଂ କାର୍ୟ୍ୟଠାରୁ ଆରମ୍ଭ କରି ଧାନସଂଗ୍ରହ, ମତ୍ସ୍ୟଚାଷ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯାଇପାରୁଛି।

ଶ୍ରୀମତୀ ସାହୁ କହିଛନ୍ତି ଯେ ଏଣିକି ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦେଶାଳୟରେ କାର୍ୟ୍ୟରତ ଅଧିକାରୀ ଏବଂ ଓଡ଼ିଶା ଜୀବିକା ମିଶନ ମିଳିତ ଭାବେ ଗୋଟିଏ ପ୍ଲାଟଫର୍ମରେ କାର୍ୟ୍ୟ କରିବେ। ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ସଂଘ ପାଇଁ କାର୍ୟ୍ୟ କରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜଳଜୀବନ ମିଶନ(ଜେଜେଏମ୍) ଅଧୀନରେ ୬ଟି ଜିଲାରେ ଲକ୍ଷାଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଥିବା ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ଆଜି ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, ସମ୍ବଲପୁର, କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲାରେ ଜେଜେଏମ ମିଶନ କାର୍ୟ୍ୟକାରୀ ପାଇଁ ୧୬୮୫.୧୩କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଆସନ୍ତା ୨ବର୍ଷ ମଧ୍ୟରେ ଖୋର୍ଦ୍ଧା ଓ କେନ୍ଦ୍ରାପଡାରେ ପାନୀୟ ପ୍ରକଳ୍ପ କାର୍ୟ୍ୟଶେଷ କରିବାକୁ ଚେନ୍ନଇସ୍ଥିତ ଏଲଆଣ୍ଡଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବାବେଳେ ହାଇଦ୍ରାବାଦ୍‌ସ୍ଥିତ ମେଘା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚରକୁ ଯାଜପୁର, ସମ୍ବଲପୁର, ଢ଼େଙ୍କାନାଳ ଓ କଳାହାଣ୍ଡି ଜିଲାରେ ପ୍ରକଳ୍ପ ଲାଗି ନିୟୋଜିତ କରାଯାଇଛି। କେନ୍ଦ୍ରାପଡାରେ ଏହି ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ୪ଟି ବ୍ଲକ ଅନ୍ତର୍ଗତ ୬୫ ଗ୍ରାମର ୨ଲକ୍ଷ ୭୪ହଜାର ୮୩୬ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ମିଳିପାରିବ। ଖୋର୍ଦ୍ଧାରେ ଟାଙ୍ଗୀ, ଚିଲିକା, ଜଟଣୀ, ବେଗୁନିଆ, ବାଣପୁର ପ୍ରଭୃତି ବ୍ଲକରେ ଜେଜେଏମ ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପାନୀୟଜଳ ମିଳିବ। କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକରେ ୧ଲକ୍ଷ ୩୦ହଜାର ୫୫୫ ଲୋକ, ଢ଼େଙ୍କାନାଳରେ ଗଁଦିଆ, ଭୂବନ, କାମାକ୍ଷାନଗର, ସଦର ବ୍ଲକରେ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ଲୋକ, ସମ୍ବଲପୁରରେ ୧ଲକ୍ଷ ୪୩ହଜାରରୁ ଊର୍ଦ୍ଧ୍ବ ଲୋକ ଏବଂ ଯାଜପୁରରେ ୪ଟି ବ୍ଲକରେ ୩ଲକ୍ଷ ୨୩ହଜାର ଲୋକ ଉପକୃତ ହେବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିଲେ ଯେ ଏଣିକି ରାଜ୍ୟ ଲୋକାୟୁକ୍ତ ଆୟୋଗର ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ। ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ର ଧାରା ୪୮ ଅନୁଯାୟୀ ୨୦୧୯ ବର୍ଷର ରିପୋର୍ଟ ଉପସ୍ଥାପନ କରାଯିବ। ଏହାବାଦ୍ ଅଧିନିୟମ ଧାରା ୮ର ଉପଧାରା(୧) ଅନୁଯାୟୀ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତିରେ ଥିବା କଟକଣାରେ ସଂଶୋଧନ ଅଣାଯାଇଛି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଅଧ୍ୟକ୍ଷ ଓ ସଦସ୍ୟମାନେ ପଦରୁ ଅବସର ପରେ ସେମାନଙ୍କ ପୁନଃ ନିଯୁକ୍ତି ହୋଇପାରିବେ ନାହିଁ। ଏହାକୁ ରାଜ୍ୟ କ୍ୟାବିନେଟରେ ସଂଶୋଧନ କରାଯାଇଛି। ଯଦ୍ବାରା ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ପରେ ରାଜ୍ୟ ବାହାରେ ପୁନଃ ନିଯୁକ୍ତି ଦିଗରେ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଶ୍ରୀ ମହାପାତ୍ର କହିଛନ୍ତି ଯେ ବାଲେଶ୍ବରରେ ଏମ୍ସର ସାଟେଲାଇଟ ପ୍ରତିଷ୍ଠାନ କେନ୍ଦ୍ର ଲାଗି ବିନା ଦେୟରେ ସରକାରୀ ଜମି ହସ୍ତାନ୍ତର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମରେ କେତେକ ସଂସ୍କାର ଅଣାଯାଇଛି। ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦ ସୃଷ୍ଟି କରାଯାଇଛି। ଏହି କେନ୍ଦ୍ରରେ ବର୍ତ୍ତମାନ କାର୍ୟ୍ୟରତ ୩୭ଜଣ ପୁନର୍ବାସ କର୍ମଚାରୀଙ୍କୁ ଏହି ନୂତନ କ୍ୟାଡର ଅନ୍ତର୍ଭୁକ୍ତ କରାଯାଇଛି।

Comments are closed.