୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ; ନଦୀତଟରେ ସବୁଜ ବନାନୀ

0
-ସବୁ ପୌରାଞ୍ଚଳରେ ଲାଗିବ ଏଲଇଡି ଲାଇଟ୍‌
-ନିର୍ମାଣ ହେବ ଭବାନୀପାଟଣା ମେଡିକାଲ କଲେଜ
-ଶିଶୁଭବନରେ ନିର୍ମାଣ ହେବ ନୂଆ କୋଠା
-ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା ହେବ ୫ ପ୍ରସ୍ତାବ

ଭୁବନେଶ୍ୱର : ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଭଳି ରାଜ୍ୟର ୪ ବଡ଼ନଦୀ ଓ ଏହାର ଶାଖା ଏବଂ ଉପନଦୀର ତଟତର୍ତ୍ତୀ ଅଞ୍ଚଳରେ ସବୁଜ ବନାନୀ ସୃଷ୍ଟି କରାଯିବ। ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ସଡ଼କ ଆଲୋକୀକରଣ ନିମନ୍ତେ ଏଲଇଡି ଲାଇଟ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଶକ୍ତି ସଞ୍ଚୟ ହେବା ସହ ବିଦ୍ୟୁତ ଦେୟ ବାବଦ ଅର୍ଥ ସଞ୍ଚୟ ହୋଇପାରିବ। ତେଣୁ ଏବେ ଲାଗିଥିବା ବଲ୍‍ବ ଗୁଡ଼ିକ ବଦଳାଇ ଏଲଇଡି ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଶତପ୍ରତିଶତ ସହରାଞ୍ଚଳରେ ସଡ଼କ ଆଲୋକୀକରଣ ନିମନ୍ତେ ଏଲଇଡି ଲଗାଇବା ନେଇ ପଦକ୍ଷେପ ନେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଆଉଟ ସୋର୍ସିଂରେ କର୍ମଚାରୀ ନିୟୋଜିତ ହେବେ। ଘରୋଇ ଉଦ୍ୟୋଗୀଙ୍କ ସହଭାଗିତାରେ ଏହି କାର୍ଯ୍ୟ ୫ ମାସ ମଧ୍ୟରେ ଶେଷ ହେବ। ସେହିପରି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ ଓ କଟକସ୍ଥିତ ଶିଶୁଭବନର ନୂତନ କୋଠା ଓ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହି ଦୁଇଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ନିର୍ମାଣ ନେଇ ଟେଣ୍ଡର କରାଯାଇଥିଲା। ଏହା ଚୂଡ଼ାନ୍ତ ହେବା ପରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ୫ଟି ପ୍ରସ୍ତାବ ଉପରେ ନିଆଯାଇଥିବା ନିଷ୍ପତ୍ତି ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ସରକାର ଘୋଷଣା କରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତେବେ ଧାମରାରେ ଏୟାର ପୋର୍ଟ ନିର୍ମାଣ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଏହା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯିବା ସୂଚନା ମିଳିଛି।
ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ସଡ଼କ ଆଲୋକୀକରଣ ପାଇଁ ଏଲଇଡି ଲଗାଇବା ନେଇ ଦୁଇଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଭାରତ ସରକାରଙ୍କ ଏନର୍ଜି ଏଫସିଏନ୍ସି ସର୍ଭିସ ଲିମିଟେଡ଼ ସବୁ ପୌରାଞ୍ଚଳରେ ଲାଗିଥିବା ପାରମ୍ପରିକ ଷ୍ଟ୍ରିିଟ ଲାଇଟ ବଦଳାଇ ଏଲଇଡି ଲଗାଇବ। ଆବଶ୍ୟକ ପଡ଼ିଲେ ପୁରୁଣା ଖୁଣ୍ଟ ମଧ୍ୟ ବଦଳାଯିବ। ଘରୋଇ ସଂସ୍ଥା ଏନଇଏସଏସଏଲ ପ୍ରାଇଭେଟ ଲିମିଟେଡ ସରକାରୀ-ଘରୋଇ ସହଭାଗିତାରେ ରାଜ୍ୟର ୫ଟି ପୌର ନିଗମରେ ଥିବା ପରାମ୍ପରିକ ଷ୍ଟ୍ରିଟ ଲାଇଟ ବଦଳାଇବା ସହ ଭୁବନେଶ୍ୱରରେ ନୂଆ ଆଲୋକୀକରଣ ବ୍ୟବସ୍ଥା କରିଛି। ଏହି କାର୍ଯ୍ୟକୁ ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ୩୦ଟି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପ ପାଇଁ
୨୬୯.୮୩କୋଟି ଟଙ୍କା ପୁଞ୍ଜି ବ୍ୟୟ ହେବ। ବାର୍ଷିକ ୮.୦୬ କୋଟି ଟଙ୍କା ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟୟ ବାବଦରେ ଖର୍ଚ୍ଚ ହେବ। ରକ୍ଷଣାବେକ୍ଷଣ ବ୍ୟୟ ବାବଦରେ ୭ ବର୍ଷରେ ମୋଟ ୫୬.୪୨କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପରେ ୭ ବର୍ଷରେ ମୋଟ ୩୨୬.୨୬କୋଟି ଟଙ୍କା ବ୍ୟୟ ହେବ। ପ୍ରକଳ୍ପ ଦ୍ୱାରା ପୌରାଞ୍ଚଳର ୭୦ଲକ୍ଷ ଜନସାଧାରଣ ଉପକୃତ ହେବେ। ବିଦ୍ୟୁତ ଯନ୍ତ୍ରୀ ଓ ବୈଷୟିକ ସହାୟତା ପ୍ରଦାନ ପାଇଁ କର୍ମଚାରୀ ଅଭାବ ଥିବାରୁ ସହରାଞ୍ଚଳ ରାସ୍ତା ଆଲୋକୀକରଣ ଅବହେଳିତ ହୋଇ ପଡ଼ିଛି। ଏହାକୁ ଦୂର କରିବା ପାଇଁ ବାହ୍ୟ ସଂସ୍ଥାରୁ କର୍ମଚାରୀ ନିୟୋଜିତ କରାଯିବ। ସେହିପରି ସମ୍ବଲପୁର ସମେତ ନୂତନ ମହାନଗର ନିଗମ ଅନ୍ତର୍ଭୁକ୍ତ ନୂତନ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ ସେଠାରେ ନୂତନ ଭାବେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯିବ। ୫ମାସରେ ଏହି ସମସ୍ତ କାର୍ଯ୍ୟ ସରିବ। କ୍ରମ୍ପଟନ, ସୂର୍ଯ୍ୟ ରୋଷନୀ, ଅକ୍ଷୟ ପାୱାରା ସଂସ୍ଥାକୁ ଏହି କାର୍ଯ୍ୟ ଦିଆଯାଇଛି। ଏବାଦରେ ୨୭୦କୋଟି ଟଙ୍କା ପୁଞ୍ଜି ବ୍ୟୟ ଏବଂ ୭ବର୍ଷ ପାଇଁ ରକ୍ଷଣାବେକ୍ଷଣ ଓ ପରିଚାଳନା ବାବଦରେ ୫୬କୋଟି ଟଙ୍କା ବ୍ୟୟ ହେବ।
ଡାକ୍ତରଖାନାରେ ଡାକ୍ତରଙ୍କ ଆବଶ୍ୟକତା ପୂରଣ ନେଇ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଭବାନୀପାଟଣାରେ ୧୦୦ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଛି। ଟର୍ଣ୍ଣକୀ ଚୁକ୍ତିରେ ଏହାର କୋଠା ନିର୍ମାଣ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ୨୨୦.୭୪ କୋଟି ଟଙ୍କାର ଏହି କାର୍ଯ୍ୟ ଟାଟା ପ୍ରୋଜେକ୍ଟସ ଲିମିଟେଡ କରିବ। ସଂପୃକ୍ତ ଠିକା ସଂସ୍ଥା ଏହି କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ବିନା ମୂଲ୍ୟ ବୃଦ୍ଧିରେ କରିବା ବ୍ୟବସ୍ଥା କରାଯାଇଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି କଟକସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ସଂସ୍ଥାନରେ ବୁହମୁଖୀ ବ୍ୟାବହାରିକ କମ୍ପେ୍ଲକ୍ସ ଓ ସ୍ନାତକୋତ୍ତର ଛାତ୍ରାବାସ ନିର୍ମାଣ ନିମନ୍ତେ ଟେଣ୍ଡରକୁ ଅନୁମୋଦନ ମିଳିଛି। ବ୍ରିଜ ଆଣ୍ଡ ରୁଫ୍‌ କୋ ଇଣ୍ଡିଆ ଲିମିଟେଡ ୧୧୬.୯୨ କୋଟି ଟଙ୍କାରେ ଏହି ନିର୍ମାଣ କାର୍ଯ୍ୟ ନେଇଛି। ଏହି କାର୍ଯ୍ୟକୁ ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।
ଏଥିସହିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସବୁଜ ମହାନଦୀ ମିଶନ ଅଧୀନରେ ମହାନଦୀ, ଇବ୍‍ ଓ ତେଲ ନଦୀ ଏବଂ ଏହାର ଶାଖା ଏବଂ ଉପନଦୀ କୂଳରେ ଏକ କିଲୋମିଟର ପ୍ରଶସ୍ତର ସବୁଜ ବଳୟ ସୃଷ୍ଟି ନେଇ ପଦକ୍ଷେପ ନିଆଯାଇଛି। ୨୦୧୯-୨୦ରେ ପର୍ଯ୍ୟାୟ କ୍ରମେ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଓ ଏହାର ଶାଖା ଏବଂ ଉପନଦୀକୁ ଯୋଜନାଭୁକ୍ତ କରାଯାଇଛି। ଏହାବ୍ୟତୀତ ମହାନଦୀ, ଇବ ଓ ତେଲ ନଦୀ ପାର୍ଶ୍ବର ଅବଶିଷ୍ଟ ଅଞ୍ଚଳରେ ବନୀକରଣ କରାଯିବ।
ଏହି ପାଞ୍ଚ ବର୍ଷିଆ ଯୋଜନାରେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ୪୧,୩୦୦ ହେକ୍ଟର ଏବଂ ୧୦୪୧ କିମି ପଥପାର୍ଶ୍ବ ବନୀକରଣ କରାଯିବ। ଏହି ଯୋଜନା ପାଇଁ ମୋଟ ୪୪୮ କୋଟ ିଟଙ୍କାର ବ୍ୟୟ ବରାଦ ରହିଛି। ରାଜ୍ୟସ୍ତରରେ ସବୁଜ ମହାନଦୀ ମିଶନର କାର୍ଯ୍ୟକାରିତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ କମିଟି ଦ୍ୱାରା ପରିଚାଳିତ ହେବ। ଏହାର ମାସିକ, ତ୍ରୟମାସିକ ଓ ବାର୍ଷିକ ନିରୀକ୍ଷଣ କରାଯିବ। ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ କମିଟି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

Leave A Reply