ମିଳିବ ୫୦% ଅଧିକ ଦରମା

ବାଜିଲା ରାଜ୍ୟ କ୍ୟାବିନେଟ୍‌ ମୋହର: ଠିକା ଚାକିରିଆ ଏଣିକି ‘ପ୍ରାରମ୍ଭିକ ନିଯୁକ୍ତି’

ପଡ଼ିବ ୨୫୦ କୋଟିର ଅତିରିକ୍ତ ଆର୍ଥିକ ବୋଝ
ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଜିଲାର ୧୨ଲକ୍ଷଙ୍କୁ ମିଳିବ ପାନୀୟ ଜଳ
ଘରୋଇ ସାଧାରଣ ବଣ୍ଟନ ଡିଲରଙ୍କ ଅବଧି ୬ମାସ ବୃଦ୍ଧି

ଭୁବନେଶ୍ବର : ଠିକା ଚାକିରିଆଙ୍କ ଲାଗି ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ଏଣିକି ରାଜ୍ୟରେ ଆଉ କେହି ଠିକା ଚାକିରିଆ (କଣ୍ଟ୍ରାକ୍ଟଚୁଆଲ) ରହିବେ ନାହିଁ। ସବୁ ଠିକା ଚାକିରିଆଙ୍କୁ ଏଣିକି ଇନିସିଆଲ ଆପଏଣ୍ଟିଜ୍ (ପ୍ରାରମ୍ଭିକ ନିଯୁକ୍ତି) ବୋଲି କୁହାଯିବ। ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହାବ୍ୟତୀତ ୪ଟି ଜିଲାର ୧୨ ଲକ୍ଷ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ଆସିବାଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହାବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ଡିଲରଙ୍କ ଅବଧିକୁ ୫ବର୍ଷ ୬ ମାସରୁ ୬ବର୍ଷକୁ ବୃଦ୍ଧି କରାଯାଇଛି।
ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ଏବେ ଠିକା କର୍ମଚାରୀମାନେ ଦରମା ବାବଦକୁ ଯେତିକି ଟଙ୍କା ପାଉଥିଲେ ବା ୬ବର୍ଷରେ ଯେଉଁ ଚାକିରିରେ ନିୟମିତ ହେଉଥିଲେ ସେହି ବ୍ୟବସ୍ଥାର ପୂର୍ଣ୍ଣଚ୍ଛେଦ ପଡିଲା। ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ପ୍ରଥମ ବର୍ଷରୁ ହିଁ ସେମାନେ ଅଧିକ ଟଙ୍କା ପାଇବେ। ଯେତିକି ପାଉଥିଲେ ତା’ର ୫୦ ପ୍ରତିଶତ ଅଧିକ ଟଙ୍କା ପାଇବେ। ୬ବର୍ଷ ପରେ ସେମାନେ ନିୟମିତ ହେବେ ଏବଂ ଦରମା ଆକାରରେ ଅଧିକ ଅର୍ଥ ପାଇବେ। ଏହାସହିତ ସ୍ବାସ୍ଥ୍ୟଗତ ସୁବିଧା ସୁଯୋଗ ପାଇପାରିବେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଗ-ଖ’ ନିୟମ ୨୦୧୩ର ସଂଶୋଧନ ଅନୁଯାୟୀ ପ୍ରାରମ୍ଭିକ ନିଯୁକ୍ତି ‘ଇନିସିଆଲ ଆପଏଣ୍ଟି’ମାନେ ପ୍ରଥମ ବର୍ଷ ୧୬ହଜାର ୮୮୦ ଟଙ୍କା ପାଇବାକୁ ଥିବାବେଳେ ଦ୍ବିତୀୟବର୍ଷ ୧୮ହଜାର ୫୭୦ଟଙ୍କା, ତୃତୀୟ ବର୍ଷ ୨୦ହଜାର ୪୩୦, ଚତୁର୍ଥ ବର୍ଷ ୨୨ହଜାର ୮୦, ପଞ୍ଚମ ବର୍ଷ ୨୪ହଜାର ୭୩୦ ଏବଂ ଷଷ୍ଠ ବର୍ଷ ୨୭ହଜାର ୨୧୦ ଟଙ୍କା ପାଉଛନ୍ତି। ମାତ୍ର ଏହି ନିୟମର ସଂଶୋଧନ ପରେ ସଂପୃକ୍ତ ବର୍ଗର କର୍ମଚାରୀମାନେ ପ୍ରଥମ ବର୍ଷ ୨୫ହଜାର ୩୦୦ଟଙ୍କା, ଦ୍ବିତୀୟ ବର୍ଷ ୨୬ହଜାର ୫୦୦, ତୃତୀୟ ବର୍ଷ ୨୭ହଜାର ୮୦୦, ଚତୁର୍ଥ ବର୍ଷ ୨୯ହଜାର ୨୦୦, ପଞ୍ଚମ ବର୍ଷ ୩୦ହଜାର ୬୦୦ ଏବଂ ଷଷ୍ଠ ବର୍ଷ ୩୨ହଜାର ୧୦୦ଟଙ୍କା ପାଇବେ। ସେହିପରି ବର୍ଗ-ଗ’ ଓ ବର୍ଗ-ଘ’ଙ୍କ କ୍ଷେତ୍ରରେ ଦରମା ହାର ବଢ଼ିବା ସାଙ୍ଗକୁ ‘ଆରସିଏମ୍’ ଭତ୍ତା ଲାଗୁ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସରକାରଙ୍କୁ ଏ ବାବଦରେ ଅତିରିକ୍ତ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀ ନ୍ୟାସନାଲ ପେନସନ ସ୍କିମ୍(ଏନପିଏସ) ବ୍ୟବସ୍ଥାରେ ଆସୁଛନ୍ତି ସେମାନଙ୍କ ପାଇଁ ସରକାରଙ୍କ ଅନୁଦାନ ପୂର୍ବରୁ ୧୦ ପ୍ରତିଶତ ଥିଲା। ମାତ୍ର ଆଜି ରାଜ୍ୟ କ୍ୟାବିନେଟ ଏହାକୁ ୧୪ ପ୍ରତିଶତକୁ ବଢ଼ାଇବା ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବର୍ଦ୍ଧିତ ପ୍ରତିଶତକୁ ସରକାର ପିଛିଲା ଭାବେ ୨୦୧୯ ଏପ୍ରିଲ ପହିଲାରୁ ଲାଗୁ କରିବେ। ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସ୍ବଚ୍ଛତା ରହିବ। ବର୍ଷକୁ ରାଜ୍ୟ ସରକାର ଏ ବାବଦରେ ୩୮୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବେ। ଗତ ୨ବର୍ଷ ବକେୟା ବାବଦକୁ ପ୍ରାୟ ୭୭୨କୋଟି ଟଙ୍କା ସରକାର ବହନ କରିବେ। ଏଥିରେ ୨ଲକ୍ଷ ୮ହଜାର ସରକାରୀ କର୍ମଚାରୀ ଉପକୃତ ହେବେ। ଏହି ବର୍ଗର କର୍ମଚାରୀମାନେ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ପେନସନ ଦେବାପାଇଁ ସରକାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି।
ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ଏନପିଏସ୍ ବୃଦ୍ଧି ସମସ୍ତ ଖ-ବର୍ଗ, ଗ-ବର୍ଗ ଏବଂ ଘ-ବର୍ଗ ଠିକା ଚାକିରିଆ ଏବଂ ଶିକ୍ଷାନୁଷ୍ଠାନର ସମସ୍ତ ଚାକିରିଆଙ୍କ କ୍ଷେତ୍ରରେ ଲାଗୁ ହେବ। ଏହାବାଦ୍ ଅବକାରୀ ବିଭାଗର ଗ୍ରୁପ୍-କ ଏବଂ ଗ୍ରୁପ୍-ଖ’ ଅଧିକାରୀମାନଙ୍କ ପାଇଁ ୨ଟି ସ୍ବତନ୍ତ୍ର କ୍ୟାଡର ରୁଲର ଅନୁମୋଦନ କରାଯାଇଛି। କିଛିମାସ ତଳେ ରାଜ୍ୟ ଅବକାରୀ କ୍ୟାଡରର ପୁନଃବିନ୍ୟାସ କରାଯାଇଥିଲା। ବିଭାଗର ଅତିରିକ୍ତ ଆୟୁକ୍ତଙ୍କ ପଦ ଏବଂ ଅତିରିକ୍ତ ପଦ ସୃଷ୍ଟି କରାଯାଇଥିଲା। ଉପ ଅଧୀକ୍ଷଣ ପଦ ପାଇଁ ସିଧାସଳଖ ନିଯୁକ୍ତି(ରିକ୍ର୍ୟୁଟମେଣ୍ଟ) ଆଧାରରେ ୪୦ ପ୍ରତିଶତ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଅବକାରୀ ବିଭାଗ ଅଧିକ କ୍ରିୟାଶୀଳ ହେବ।

Comments are closed.