ଆଜି ବଜେଟ, ବଢ଼ିବ କଳେବର

କୋଭିଡ୍‌ ବିପର୍ଯ୍ୟସ୍ତ ଅର୍ଥନୀତି ସୁଧାରିବା ଆହ୍ବାନ

-ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନକୁ ମିଳିପାରେ ଗୁରୁତ୍ବ,-ରୋଜଗାର ସୃଷ୍ଟି ଓ ନିଯୁକ୍ତି ପାଇଁ ବଢ଼ୁଛି ଚିନ୍ତା
-ଖର୍ଚ୍ଚ ଭରଣା ପାଇଁ ଏ ବର୍ଷ ପୁଣି ବଢ଼ିବ ଋଣ ଭାର

ଭୁବନେଶ୍ବର : କରୋନାର ଡର ଭିତରେ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବାକୁ ଯାଉଛନ୍ତି ଆଉ ଏକ ବଜେଟ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ମୂଳ ବଜେଟ ଓ ଅତିରିକ୍ତ ବଜେଟକୁ ମିଶାଇ ମୋଟ ୧ଲକ୍ଷ ୬୧ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଲକ୍ଷ୍ୟ ଥିଲା ପୁଞ୍ଜିନିବେଶ ବଢ଼ାଇବା ସହିତ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଶିଳ୍ପ, କୃଷି, ସ୍ବାସ୍ଥ୍ୟ ଶିକ୍ଷା ଭଳି କ୍ଷେତ୍ରକୁ ମଜଭୁତ କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା; କିନ୍ତୁ କରୋନା ମହାମାରୀ ଏସବୁ ସ୍ବପ୍ନକୁ ଚୁରମାର କରିଦେଲା।
ଇତିମଧ୍ୟରେ କରୋନା ଭୟ ଦୂରୀଭୁତ ହେବା ପରିବର୍ତ୍ତେ ଲେଉଟିବାର ଆଶଙ୍କା ଦେଖାଦେଲାଣି। ଏସବୁ ସତ୍ତ୍ବେ ଧରାଶାୟୀ ରାଜ୍ୟ ଅର୍ଥନୀତିକୁ ସୁଧାରିବା ରାଜ୍ୟ ସରକାରଙ୍କ ପାଇଁ ଏବେ ସବୁଠୁ ବଡ଼ ଆହ୍ବାନ। ଦୀର୍ଘ ଦୁଇ ଦଶନ୍ଧି ପରେ ସରକାର ପୁଣି ଏକ ବଡ଼ ଆକାରର ବଜେଟ ପ୍ରସ୍ତୁତ କରିଥିଲେ ବି ଏହା ଆଶା ପୂରଣ କରିବ କି ନାହିଁ, ସେଥିନେଇ ଆଶଙ୍କା ଲାଗିରହିଛି।
ଅର୍ଥନୀତି ବି‌େ‌ଶଷଜ୍ଞଙ୍କ ଯୁକ୍ତି ହେଲା ସବୁ ପ୍ରତିକୂଳ ସ୍ଥିତିରେ ବି ସରକାରଙ୍କୁ ଅର୍ଥନୀତି ସଜାଡ଼ିବାକୁ ହେବ। ବିପର୍ଯ୍ୟସ୍ତ ହୋଇପଡ଼ିଥିବା କୃଷି, ଶିଳ୍ପ, ‌ସେବା କ୍ଷେତ୍ର ସମେତ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ପ୍ରାଥମିକ କ୍ଷେତ୍ରକୁ ସୁଧାରିବା ସହ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଜାରି ରଖିବାକୁ ପଡ଼ିବ।
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବେ ଆଉ ଏକ ପେପରଲେସ ବଜେଟ (କାଗଜବିହିନ ବଜେଟ୍‌)। ଏଥର ବଜେଟ ଆକାର ପ୍ରାୟ ୧ଲକ୍ଷ ୭୫ହଜାର କୋଟିକୁ ବଢ଼ିବା ସମ୍ଭାବନା ରହିଛି। କିନ୍ତୁ ସରକାରଙ୍କ ପାଇଁ ଅର୍ଥ ସଂଗ୍ରହ ଏବେ ସବୁଠୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି। କାରଣ କରୋନା କାଳରେ ରାଜସ୍ବ ସଂଗ୍ରହ ଗୁରୁତର ହ୍ରାସ ପାଇଛି। କେନ୍ଦ୍ରୀୟ ଅନୁଦାନ ଓ ଜିଏସଟି ବାବଦ କ୍ଷତିଭରଣା କମିଛି। ଗତ ବର୍ଷକ ଭିତରେ ସରକାର କୋଭିଡ଼ ମୁକାବିଲା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। ଏମଏସଏମଇ, ମନରେଗା ସମେତ ରୋଜଗାର ପନ୍ଥା ବଢ଼ାଇବା ପାଇଁ ସରକାର କିଛି ଯୋଜନା କରିଥିଲେ ହେଁ ଏହା ଆଖିଦୃଶିଆ ହୋଇପାରିନି କିମ୍ବା ଲୋକଙ୍କ ଚାହିଦା ପୂରଣ କରିପାରିନି। କରୋନା କାଳରେ ଦୀର୍ଘ ଦୁଇ ମାସ କାଳ ଲକଡାଉନ ଓ ସଟଡାଉନ ଭିତରେ ସମସ୍ତ କ୍ଷେତ୍ର ଓ ସବୁ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ଅର୍ଥନୀତି ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ କୃଷି ଅଭିବୃଦ୍ଧି ୬ରୁ ୭ପ୍ରତିଶତ ପଛାଇଥିବାବେଳେ ଶିଳ୍ପ ପ୍ରାୟ ୩ରୁ ୪ ପ୍ରତିଶତ, ସେବା ପ୍ରାୟ ୭ପ୍ରତିଶତ ହ୍ରାସ ପାଇଛି। ଶ୍ରମିକ, କୃଷକ, ମତ୍ସ୍ୟଜୀବୀ,ଉଠାଦୋକାନୀ, ପରିବହନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଭିତରୁ ଅଧିକାଂଶ ବେକାର ହୋଇଛନ୍ତି। ରାଜ୍ୟରେ ବେକାରୀ ହାର ଉଦ୍‌ବେଗଜନକ ଭାବେ ବଢ଼ିଛି। ସରକାରୀ ନଥିପତ୍ରରେ ଏହା ୧୦ ପ୍ରତିଶତରେ ସୀମିତ ଥିଲେ ବି ବାସ୍ତବରେ ଏହା ଦୁଇରୁ ତିନିଗୁଣ ହେବ ବୋଲି ଅର୍ଥନୀତି ବି‌େଶ‌ଷଜ୍ଞ ଆକଳନ କରୁଛନ୍ତି। ତେଣୁ ସମ୍ପୂର୍ଣ୍ଣ ଦୁର୍ଦ୍ଦିନ ଭିତରେ ଥିବା ଅର୍ଥନୀତିକୁ ସଳଖିବା ଏବେ ସରକାରଙ୍କ ପାଇଁ କାଠିକର ପାଠ।
ସରକାର ଏଥର ବଜେଟରେ ବଡ଼ ପୁଞ୍ଜିର ବ୍ୟବସ୍ଥା କରୁଥିଲେ ହେଁ କେଉଁ ସୂତ୍ରରୁ ଅର୍ଥ ଆସିବ ଓ କେଉଁ ବାଟରେ ଖର୍ଚ୍ଚ ହେବ ସେ ନେଇ ଥଳକୂଳ ମିଳୁନି। ୨୦୨୦-୨୧ ଆର୍ଥିକ ବର୍ଷ ‌େ‌ଶଷ ପର୍ଯ୍ୟାୟରେ ପହଞ୍ଚିଥିଛି। ମାତ୍ର ମୂଳ ବଜେଟ ବାବଦ ବ୍ୟୟବରାଦରୁ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ହୋଇଛି। ଗତ ବର୍ଷକ ଭିତରେ ରାଜ୍ୟ ସରକାର କେବଳ ଏପ୍ରିଲରେ ଦୁଇଟି ପର୍ଯ୍ୟୟରେ ୩ ହଜାର କୋଟି ଟଙ୍କା ଖୋଲା ବଜାରରୁ ଋଣ କରିଥିଲେ। କାରଣ କୋଭିଡ଼ ମୁକାବିଲା ପାଇଁ ସରକାରଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। କେବଳ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କୁ ମୂଳ ବଜେଟ ୭,୩୦୦ କୋଟି ଟଙ୍କା ସହିତ ଅତିରିକ୍ତ ୧୭୬୯କୋଟି ଟଙ୍କା ବ୍ୟୟବରାଦ ବଢ଼ାଇବାକୁ ପଡ଼ିଥିଲା। ସରକାର ଏହି ସମୟରେ ବ୍ୟାଙ୍କରେ ପାର୍କିଂ ଆକାରରେ ପଡ଼ିଥିବା ୨,୭୦୦ କୋଟି, ଖଣି କ୍ଷେତ୍ରରୁ ୨ହଜାର କୋଟି ଏବଂ ଷ୍ଟମ୍ପ ଡ଼୍ୟୁଟି ଆକାରରେ ୧୬୦୦କୋଟି ପାଇଥିଲେ। ମାତ୍ର କେନ୍ଦ୍ରୀୟ ଅନୁଦାନ ଓ ଜିଏସଟି ଆଶାନୁରୂପ ମିଳି ନ ଥିଲା।
ସର୍ଭେ ରିପୋର୍ଟରେ ଥିବା ତଥ୍ୟରୁ ଯାହା ବୁଝାପଡ଼ୁଛି ଏ ବର୍ଷ ରାଜ୍ୟ ସରକାରଙ୍କୁ ଆହୁରି ଅଧିକ ଅର୍ଥ ଋଣ କରିବାକୁ ପଡ଼ିବ, ନହେଲେ ଖର୍ଚ୍ଚ ଭରଣା କରିବା ସମ୍ଭବ ହେବନାହିଁ। ଋଣ କରିବା କିଛି ଖରାପ ନୁହେଁ, କିନ୍ତୁ ଏହି ଅର୍ଥ ସକାରାତ୍ମକ ଢ଼ଙ୍ଗରେ ପୁଞ୍ଜି ସୃଷ୍ଟି ବାଟରେ ବିନିଯୋଗ କରାଯିବାର ଜରୁରୀ ଆବଶ୍ୟକତା ରହିଛି। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ମୋଟ ଘରୋଇ ଉତ୍ପାଦନର ୨୨ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ। ଅର୍ଥାତ ରାଜ୍ୟ ସରକାରଙ୍କ ଋଣ ପରିମାଣ ୧ଲକ୍ଷ ୩୭ହଜାର କୋଟି ଟଙ୍କାକୁ ଟପିଯାଇପାରେ। ତେବେ ସରକାରଙ୍କ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦ(ଜିଏସଡ଼ିପି)ର ଧାର୍ଯ୍ୟ ସୀମା ୨୫ ପ୍ରତିଶତ ଭିତରେ ସୀମିତ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଋଣ ଅର୍ଥ ଯଦି ରୋଜଗାର ବଢ଼ାଇବା ଦିଗରେ ବିନିଯୋଗ ନହେଲା ତେବେ ଏହା ଆଗାମୀ ଦିନ ପାଇଁ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି। ଆଜି ଶ୍ରୀ ପୂଜାରୀ ତାଙ୍କ ବଜେଟ୍‌ଉପସ୍ଥାପନ କରିବା ପରେ ସବୁକିଛି ଅଧିକ ସ୍ପଷ୍ଟ ହୋଇପାରିବ।

Comments are closed.