ରାଜ୍ୟ ବଜେଟ ୨୦୨୦-୨୧: ଅଭିନବ, ସବୁଜ

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୫୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥିମଧ୍ୟରୁ ପ୍ରାଶାସନିକ ବ୍ୟୟ ପାଇଁ ୬୫,୬୫୫କୋଟି, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୪ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୩,୨୦୦କୋଟି ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ୭,୧୪୫କୋଟି ହସ୍ତାନ୍ତର ପାଇଁ ଉଦ୍ଦିଷ୍ଟ। ଏହାବ୍ୟତୀତ ଓମ୍‌ବାଡ଼ସି, ଜିଲା ଖଣିଜ ପାଣ୍ଠି, ସରକାରୀ ଉଦ୍ୟୋଗ ଇତ୍ୟାଦିରୁ ୬,୫୦୦କୋଟି ଟଙ୍କା ବଜେଟ ବହିର୍ଭୂତ ସମ୍ବଳ ବ୍ୟୟ କରାଯିବ। ଏହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଦୀର୍ଘ ୧ ଘଣ୍ଟା ୭ମିନିଟ ଧରି ସ୍ବତନ୍ତ୍ର ଭାବେ କୃଷି ବଜେଟ ଓ ସାଧାରଣ ବଜେଟ ଉପସ୍ଥାନ କରିଥିଲେ। ବଜେଟକୁ ପେପରଲେସ କରାଯାଇଥିବାରୁ ପ୍ରଥମ ଥର ପାଇଁ ମନ୍ତ୍ରୀ ଆଇ-ପ୍ୟାଡ୍‌ ଜରିଆରେ ବଜେଟ ପଢ଼ିଥିଲେ। ମହାତ୍ମା ଗାନ୍ଧୀଙ୍କ (‘ଟାଲିସମ୍ୟାନ୍‌’)ନୀତିବାଣୀରୁ ଭାଷଣ ଆରମ୍ଭ କରିଥିଲେ। ବଜେଟ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ରାଜ୍ୟ ନିଅଣ୍ଟିଆ ସ୍ଥିତିରୁ ମୁକୁଳିବା ସହିତ ରାଜସ୍ବ ପ୍ରାପ୍ତି ବଢ଼ିଛି। ବଜେଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ଅଟକଳ ୨୬,୫୧୩କୋଟି ଟଙ୍କା ରଖାଯାଇଛି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୪.୫ପ୍ରତିଶତ।

ଅତିରିକ୍ତ ଭାବେ ଋଣ ଏବଂ ଅଗ୍ରୀମ, ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଅନୁଦାନ ଓ ଅନ୍ୟାନ୍ୟ ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଖର୍ଚ୍ଚକୁ ମିଶାଇ ମୋଟ ୧୦ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧.୭ପ୍ରତିଶତ।

ବଜେଟ ପାଇଁ ଅର୍ଥର ଉତ୍ସ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ବ ପ୍ରାପ୍ତିରୁ ୧ଲକ୍ଷ ୨୪ହଜାର ୩ଶହ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ୨୫,୭୦୦କୋଟି ଟଙ୍କା ଭରଣା କରାଯିବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ଘରୋଇ ଉତ୍ପାଦର ୩ପ୍ରତିଶତ ରହିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆକଳିତ ମୋଟ ରାଜସ୍ବ ପ୍ରାପ୍ତି ମଧ୍ୟରେ ନିଜସ୍ବ ଟିକସ ୩୮,୩୫୦କୋଟି ଟଙ୍କା, ନିଜସ୍ବ ଅଣଟିକସ ରାଜସ୍ବ ୧୭,୬୫୦କୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୩୬,୩୦୦କୋଟି ଏବଂ କେନ୍ଦ୍ରରୁ ମିଳିବାକୁ ଥିବା ଅନୁଦାନ ୩୨ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ।

ଅଭିଭାଷଣ ରଖିବା କାଳରେ ଅର୍ଥମନ୍ତ୍ରୀ କହିଥିଲେ, ୧୯୯୯-୨୦୦୦ରୁ ୨୦୧୮-୧୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୯ ବର୍ଷ ମଧ୍ୟରେ ରାଜ୍ୟର ମୋଟ ରାଜସ୍ବ ସାମଗ୍ରିକ ଘରୋଇ ଉତ୍ପାଦର ୧୨.୩ପ୍ରତିଶତରୁ ବୃଦ୍ଧି ପାଇ ୨୦.୧ପ୍ରତିଶତରେ ପହଞ୍ଚିଛି। ମୋଟ ସରକାରୀ ବ୍ୟୟ ସାମଗ୍ରିକ ଘରୋଇ ଉତ୍ପାଦର ୧୬ପ୍ରତିଶତରୁ ୨୩ପ୍ରତିଶତକୁ ବଢ଼ିଛି। କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୫ରୁ ୧୨ପ୍ରତିଶତ ଓ ପୁଞ୍ଜି ବ୍ୟୟବରାଦ ୧.୭ପ୍ରତିଶତରୁ ୪.୭ପ୍ରତିଶତକୁ ବଢ଼ିଛି। ପୁଞ୍ଜି ବ୍ୟୟବରାଦ ରାଜସ୍ବ ହିସାବର ବଳକା ଅର୍ଥ ଓ ସରକାରୀ ଋଣ ଦ୍ବାରା ଭରଣା କରାଯାଉଛି।

୨୦୧୯-୨୦ ଆର୍ଥିକ ବର୍ଷର ସଂଶୋଧିତ ଅଟକଳ ଅନୁସାରେ ରାଜସ୍ବ ବଳକା ୬୧୭୫କୋଟି ଏବଂ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୩.୪ପ୍ରତିଶତରେ ରହିବ। ଏହା ଉତ୍ତରଦାୟିତ୍ବ ଓ ବଜେଟ ପରିଚାଳନା ଅଧିନିୟମ(ଏଫଆରବିଏମ)ରେ ଧାର୍ଯ୍ୟ ଆର୍ଥିକ ଲକ୍ଷ୍ୟ ଭିତରେ ସୀମିତ ରହିଛି। ରାଜ୍ୟର ଟିକସ, ମୋଟ ଘରୋଇ ଉତ୍ପାଦର ୬.୩ପ୍ରତିଶତ ଏବଂ ବର୍ଷ ଶେଷରେ ଋଣ ଭାର ମୋଟ ରାଜ୍ୟ ଘରୋଇ ଉତ୍ପାଦର ୧୭.୯ପ୍ରତିଶତରେ ରହିବ ବୋଲି ଆକଳନ କରାଯାଇଛି।

ଶ୍ରୀ ପୁଜାରୀ କହିଥିଲେ ଯେ ରାଜ୍ୟରେ ସ୍ଥିର ସରକାର ଯୋଗୁଁ ନିରବଚ୍ଛିନ୍ନ ଅଭିବୃଦ୍ଧି ସହ ଦାରିଦ୍ର୍ୟ କମିଛି ଏବଂ କୃଷକର ଆୟ ଦ୍ବିଗୁଣିତ ହୋଇଛି। ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ପରିଣତ କରିବା ପାଇଁ ବୃହତ ଯୋଜନା ମଞ୍ଜୁର କରିଛନ୍ତି। ଅବଢ଼ା ଯୋଜନା ଅଧୀନରେ ସର୍ବମୋଟ ୩,୨୬୮କୋଟି ଟଙ୍କା ଖର୍ଚ୍ଚ ପାଇଁ ଅଟକଳ କରାଯାଇଛି। ୪ମାସ ଭିତରେ ପୁରୀରେ ଐତିହ୍ୟ କରିଡ଼ର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅବଢ଼ା ଯୋଜନାରେ ୬୯୫କୋଟି ଟଙ୍କା ବ୍ୟୟବରାଦ ବ୍ୟବସ୍ଥା ହୋଇଛି। ସେହିପରି ଲିଙ୍ଗରାଜ ମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର କ୍ଷେତ୍ର ଯୋଜନା ବାବଦରେ ୭୦୦କୋଟି ଟଙ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାିଥିବାବେଳେ ୨୦୨୦-୨୧ରେ ୧୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସହସ୍ରାବ୍ଦୀର ସହର କଟକ ପାଇଁ ଏକ ‘ଡ଼ିକନଜେସନ ପ୍ଲାନ’ ପ୍ରସ୍ତୁତ କରାଯାଇଛି। ମହାନଦୀ କୂଳରେ ଥିବା ୪୨୪ ଏକର ଜମିକୁ ବ୍ୟବହାର ଯୋଗ୍ୟ କରିବାକୁ ପ୍ରସ୍ତାବ ରହିଛି। ରିଙ୍ଗରୋଡ଼କୁ ୬ଲେନରେ ପରିଣତ କରାଯିବ। ସେହିପରି ସମଲେଶ୍ବରୀ ମନ୍ଦିର, ହିରାକୁଦ ଡ଼୍ୟାମ, ଭିତରକନିକା, ତାଳସରି ଓ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଅନ୍ୟାନ୍ୟ ସ୍ଥାନର ବିକାଶ ପାଇଁ ବ୍ୟୟବରାଦ ପ୍ରସ୍ତାବ ରହିଛି।

ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସ୍ବାସ୍ଥ୍ୟ ବଜେଟ ୫ବର୍ଷରେ ଦୁଇଗୁଣ ବଢ଼ି ୭,୭୦୦କୋଟିରେ ପହଞ୍ଚିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୧୦୮କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ଓ ସେବା ପାଇଁ ୫୭୮କୋଟି, ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୧୬୫୨କୋଟି ବ୍ୟୟବରାଦ କରାଯାଇଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ୩୦୦ଶଯ୍ୟା ବିଶିଷ୍ଟ ଏକ ବିଶ୍ବସ୍ତରୀୟ ଏବଂ ସମନ୍ବିତ ‘ଏମ୍ସ ପ୍ଲସ’ ପ୍ରତିଷ୍ଠାନରେ ପରିଣତ କରିବାକୁ ପ୍ରସ୍ତାବ ରହିଛି। ଆଗାମୀ ୨ ବର୍ଷ ଭିତରେ ଏଥିପାଇଁ ୧୦୦୦କୋଟିରୁ ଅଧିକ ନିବେଶ କରାଯିବ। ନିର୍ମଳ ଯୋଜନାରେ ୩୬୦କୋଟି ଜନସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଉତ୍କର୍ଷତା ପାଇଁ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରତିଷ୍ଠା ପାଇଁ ବଜେଟରେ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କର୍ମଚାରୀ ରାଜ୍ୟ ବୀମା ଯୋଜନା(ଇଏସଆଇ) ପାଇଁ ୪୭କୋଟିର ପ୍ରସ୍ତାବ ରହିଛି।

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨,୬୩୧କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ୬୦ପ୍ରତିଶତ ଓ ନଗରାଞ୍ଚଳର ଶତ ପ୍ରତିଶତ ଅଧିବାସୀଙ୍କୁ ପାଇପ ଦ୍ବାରା ଜଳ ଯୋଗାଇବାକୁ ଲକ୍ଷ୍ୟ ରହିଛି। ବସୁଧା ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ ୩୨୫୦କୋଟି ଏବଂ ସହରାଞ୍ଚଳରେ ଜଳଯୋଗାଣ ପାଇଁ ୨୩୬କୋଟି ବ୍ୟୟ ଅଟକଳ ପ୍ରସ୍ତାବ ରହିଛି। ଜଳ ମିଶନ ଅଧୀନରେ ୨ହଜାର ରକ୍ଷଣାବେକ୍ଷଣ ପାଇଁ ୫୬୦କୋଟି ଟଙ୍କାର ପ୍ରସ୍ତାବ ରହିଛି। ସ୍ବଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମାଞ୍ଚଳ ପାଇଁ ୫୦୦କୋଟି ଓ ସହରାଞ୍ଚଳ ପାଇଁ ୩୦୦କୋଟିର ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ୩୯୬୨କୋଟି ଏବଂ ନଗରାଞ୍ଚଳରେ ଗୃହ ନିର୍ମାଣ ପାଇଁ ଆଉ ୫୧୮କୋଟିର ପ୍ରସ୍ତାବ ରହିଛି।

ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ସ୍ବାୟତ୍ତ ଶାସନ ସଂସ୍ଥାକୁ ଅର୍ଥ ହସ୍ତାନ୍ତର କରାଯାଉଛି। ପଞ୍ଚାୟତିରାଜ ସଂସ୍ଥା ପାଇଁ ପଞ୍ଚଦଶ ଅର୍ଥକମିଶନଙ୍କ ସୁପାରିସ କ୍ରମେ ପ୍ରାୟ ୨,୨୫୮ କୋଟି ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ୨୬୪୫କୋଟି ଟଙ୍କା ପ୍ରଦାନ ପାଇଁ ପ୍ରସ୍ତାବ ରହିଛି।

୨୦୨୦-୨୧ ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତିର ସବ କମ୍ପୋନେଣ୍ଟ ଅଧୀନରେ ୧୩,୭୭୭କୋଟି ଏବଂ ଅନୁସୂଚିତ ଜାତି ସବ କମ୍ପୋନେଣ୍ଟ ଅଧୀନରେ ୧୦,୩୧୩କୋଟି ବ୍ୟୟବରାଦ କରାଯାଇଛି। ଉଭୟ ବଜେଟରେ ମୋଟ ୨୩୮୦୮କୋଟି ଟଙ୍କର ବ୍ୟୟବରାଦ କରାଯାଇଛି।
ମଧୁବାବୁ ପେନସନ ଯୋଜନାରେ ବ୍ୟୟବରାଦ ନିମନ୍ତେ ୧,୭୧୮କୋଟି ଟଙ୍କା ଏବଂ ଖାଦ୍ୟ ନିରାପତ୍ତା ଯୋଜନାରେ ବ୍ୟୟବରାଦ ୬୭ପ୍ରତିଶତ ବୃଦ୍ଧି ସହ ୧୦୩୮କୋଟି ଟଙ୍କା ରଖାଯାଇଛି। ନଗର ଉନ୍ନୟନ ବିଭାଗର ‘ଉନ୍ନତି’ ଯୋଜନାରେ ୩୫୧କୋଟି, ସ୍ମାର୍ଟ ସିଟି ମିଶନ ପାଇଁ ୨୦୦କୋଟି ପ୍ରସ୍ତାବ ରହିଛି। ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କରିଥିବା ସୁପାରିସ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ନଗରାଞ୍ଚଳରେ ମୌଳିକ ସେବା ପାଇଁ ସହରାଞ୍ଚଳ ନିକାୟ ସଂସ୍ଥାକୁ ଯଥାକ୍ରମେ ୧୦୮୭କୋଟି ଓ ୧୨୬୧କୋଟି ଟଙ୍କା ହସ୍ତାନ୍ତର ପ୍ରସ୍ତାବ ରହିଛି।
ଗୃହ ଓ ନଗର ଉନ୍ନୟନ ପାଇଁ ୬,୧୮୦କୋଟି ଅଟକଳ କରାଯାଇଛି ଯାହା ଗତ ବର୍ଷ ତୁଳନାରେ ୧୧ପ୍ରତିଶତ ଅଧିକ। ୨୦୦୦କିମି ରାସ୍ତା ଉନ୍ନତୀକରଣ, ୫୦ଟି ସେତୁ ଓ ୫ଟି ରେଳ ଓଭରବ୍ରିଜ ପାଇଁ ପୂର୍ତ୍ତ ବିଭାଗ ବ୍ୟୟବରାଦକୁ ୬ହଜାର କୋଟି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୨୫୦୦କୋଟି ବ୍ୟୟବରାଦ କରାଯାଇଥିବାବେଳେ ୧୭ଟି ନକ୍ସଲ ପ୍ରବଣ ଜିଲାର ୧୪୨ଟି ବିଚ୍ଛିନ୍ନ ଗ୍ରାମକୁ ରାସ୍ତା ସଂଯୋଗ ପାଇଁ ୭୧କୋଟି ବ୍ୟୟବରାଦ ହୋଇଛି। ଓଏସଆରଟିସି ନୂଆ ବସ କିଣା ପାଇଁ ୫୦କୋଟି, ଗୁରୁତ୍ବପୂର୍ଣ୍ଣ ବସଷ୍ଟାଣ୍ଡ ପୁନରୁଦ୍ଧାର ପାଇଁ ୭୭କୋଟି, ବିମାନବନ୍ଦର ନିର୍ମାର ପାଇଁ ୧୦୦କୋଟି ଟଙ୍କାର ପ୍ରସ୍ତାବ ରହିଛି।

ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ନ୍ୟାୟିକ ପ୍ରଶାସନ ପାଇଁ ୫,୯୭୪କୋଟି ବ୍ୟୟବରାଦ ହୋଇଛି। ଜଙ୍ଗଲ ଓ ପରିବେଶ ପାଇଁ ବ୍ୟୟବରାଦ ୨ଗୁଣରୁ ଅଧିକ ବଢ଼ିଛି। ଗତବର୍ଷ ଏହା ୯୦୨କୋଟି ଥିବାବେଳେ ଚଳିତବର୍ଷ ଏହା ୧୯୮୦କୋଟି ଟଙ୍କାକୁ ବଢ଼ିଛି। ସବୁଜ ମହାନଦୀ ମିଶନ ପାଇଁ ୩୧କୋଟି ଟଙ୍କାର ପ୍ରସ୍ତାବ ରହିଛି।

ସେହିପରି ପର୍ଯ୍ୟଟନ ବ୍ୟୟବରାଦ ଦୁଇଗୁଣ ବୃଦ୍ଧି ସହ ୧୯୪କୋଟିରୁ ୪୦୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରୁ ଅର୍ଦ୍ଧେକ ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ। ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ ପାଇଁ ୧୬୨କୋଟି, କ୍ରୀଡ଼ା ଓ ଯୁବ ସେବା ପାଇଁ ୩୦୧କୋଟି ସହ ବିଜ୍ଞାନ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ବଜେଟ ଦୁଇଗୁଣ ବୃଦ୍ଧି ସହ ୨୩୬କୋଟି ଟଙ୍କାର ପ୍ରସ୍ତାବ ରହିଛି। ଭୂ-ପ୍ରଶାସନ ପାଇଁ ୧୩୩୫କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ବିଧାୟକମାନଙ୍କ ପାଇଁ ଖୁସି ଖବର ହେଉଛି ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି(ଏମଏଲଏ ଲ୍ୟାଡ଼) ତିନି ଗୁଣା ବୃଦ୍ଧି କରି ବାର୍ଷିକ ୩କୋଟି ଟଙ୍କା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିମଧ୍ୟରୁ ୨କୋଟି ସାଧାରଣ ଉନ୍ନୟନ ଓ ୫୦ଲକ୍ଷ ରାସ୍ତା କାମ ଓ ୫୦ଲକ୍ଷ ମହାବିଦ୍ୟାଳୟ ଶିକ୍ଷା ଉନ୍ନୟନ ପାଇଁ ଉଦ୍ଦିଷ୍ଟ। ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ପାଇଁ ୪୪୧କୋଟି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ବାବଦରେ ୮୦କୋଟିର ପ୍ରସ୍ତାବ ରହିଛି।

Comments are closed.