ଜୟନାରାୟଣଙ୍କ ନେତୃତ୍ୱରେ ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ବିଧାୟକଗଣ

ସମ୍ବଲପୁର : ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡିଶାର ଭାଜପା ବିଧାୟକମାନେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜଧାନୀ ନୁଆଦିଲ୍ଲୀ ଠାରେ ସାକ୍ଷାତକାର କରିଛନ୍ତି। ରବିବାର ସାକ୍ଷାତକାର ସମୟରେ ବିଧାୟକ ମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଦାବି ସର୍ମ୍ପକରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ଅନେକ ସମୟ ଧରି ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତକାର ସମୟରେ ରାଜ୍ୟ ସରକାରଙ୍କ ବୈମାତୃକ ଓ ଅବହେଳା ମନୋଭାବ ଯୋଗୁଁ ପଶ୍ଚିମ ଓଡିଶାବାସୀ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ବା ବିଶାଖାପଟନମ ଉପରେ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପଟନମକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଚଳାଚଳ କରିବା, ବିଶାଖାପଟନମ-ଅମୃତସର ଏକ୍ସପ୍ରେସକୁ (୨୦୮୦୭/୨୦୮୦୮) ଦୈନିକ କରିବା, ଜାମ୍ମୁ ତାୱି ଏକ୍ସପ୍ରେସକୁ (୧୮୩୦୯/୧୮୩୧୦) କୁ ଦୈନିକ କରିବା, ଗୋନ୍ଦୱାନା ଏକ୍ସପ୍ରେସକୁ (୧୨୪୦୯/୧୨୪୧୦) ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ସହିତ ଦୈନିକ କରିବା, ପୁରୀ ଓ ସିରିଡି ସାପ୍ତାହିକ ଏକ୍ସପ୍ରେସକୁ ସପ୍ତାହକୁ ୩ ଦିନ କରିବା ପାଇଁ ବିଧାୟକ ମାନେ ଦାବି କରିଛନ୍ତି । ରେଳମନ୍ତ୍ରୀଙ୍କୁ ସାକ୍ଷାତକାର ସମୟରେ ବିଧାୟିକା କୁସୁମ ଟେଟେ, ବିଧାୟକ ମୋହନ ମାଝୀ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବ ଚରଣ ମାଝୀ, ଜୟନ୍ତ କୁମାର ଷଡଙ୍ଗୀ, ବିଧାନ ମୁର୍ମୁ, ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ। ସୁଚନାଯୋଗ୍ୟ ଯେ, ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶାର ବିଧାୟକ ମାନେ ରାଜଧାନୀ ନୂଆଦିଲ୍ଲୀ ଯାତ୍ରା କରିଥିବା ବେଳେ ଏହି ଅବସରରେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତକାର କରି ସେମାନଙ୍କ ଅଞ୍ଚଳର ବିକାଶ ନିମନ୍ତେ ଉଦ୍ୟମ କରୁଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ମାନସ ବକ୍ସୀ ସୂଚନା ଦେଇଛନ୍ତି।

Comments are closed.