ଆସନ୍ତା ୨୭ରୁ ଆରମ୍ଭ ହେବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା

ଫେବୃଆରୀ ୨୬ ସୁଦ୍ଧା ସରିବ ସଭାପତି ନିର୍ବାଚନ

ଭୁବନେଶ୍ୱର:  ବିଜେଡିର ସାଂଗଠନିକ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୭ ତାରିଖରୁ ନିର୍ବାଚନ ପ୍ରକ୍ରିୟା  ଆରମ୍ଭ ହୋଇ ୨୦୨୦ ଫେବୃଆରୀ ୨୬ ତାରିଖ  ପର୍ଯ୍ୟନ୍ତ ଚାଲିବ।  ସମୁଦାୟ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଶେଷ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ମଧ୍ୟରେ ୮୦ଜଣ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ କରାଯିବ। ଦୁଇମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଫେବୃଆରୀ ୨୬ରେ  ଶେଷ ହେବ ବୋଲି ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ  ପ୍ରତାପ  କେଶରୀ ଦେବ କହିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି,  ଦଳର ୩୩ଟି ସାଂଗଠନିକ ଜିଲା ପାଇଁ ଜିଲା ନିର୍ବାଚନ ଅଧିକାରୀ ନିଯୁକ୍ତି କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀମାନେ ସମସ୍ତ ବ୍ଲକ  ଓ ପୌରାଞ୍ଚଳ ପାଇଁ  ସହକାରୀ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ସାରିଛନ୍ତି।
ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ  ନିର୍ବାଚନ ଡିସେମ୍ବର ୨୭ରୁ ୨୦୨୦ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ସଭାପତି  ପଦ ସମେତ  ୧୫ଜଣ କମିଟି ସଭ୍ୟ ଓ ପୌରାଞ୍ଚଳର  ୱାର୍ଡ ସଭାପତି ପଦ ସହିତ ସଭ୍ୟପଦ ପାଇଁ ନିର୍ବାଚନ କରାଯିବ।  ଏଥିରେ ଏନଏସିର ପ୍ରତି ୱାର୍ଡ ପାଇଁ ଜଣେ ସଭାପତି ଓ ୧୪ଜଣ ସଭ୍ୟ, ମ୍ୟୁନିସିପାଲିଟିର ପ୍ରତି ୱାର୍ଡ ପାଇଁ ଜଣେ ସଭାପତି ଓ ୨୦ଜଣ ସଭ୍ୟ ଏବଂ  ମହାନଗର ନିଗମର ପ୍ରତି ୱାର୍ଡ ପାଇଁ ସଭାପତି ଏବଂ ୨୦ଜଣ ସଭ୍ୟ ନିର୍ବାଚିତ ହେ‌େ‌ବ।  ଜାନୁଆରୀ ୧୪ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ  ନିର୍ବାଚନ ଆରମ୍ଭ କରାଯାଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବ୍ଲକ ସଭାପତି ଓ ବ୍ଲକର ୨୦ଜଣ କମିଟି ସଭ୍ୟ,  ଏନଏସି ସଭାପତି ଓ ୨୦ ଜଣ କମିଟି ସଭ୍ୟ, ମ୍ୟୁନିସିପାଲିଟିର ସଭାପତି ଓ ୩୦ ଜଣ କମିଟି ସଭ୍ୟ ଏବଂ ମହାନଗର ନିଗମର ସଭାପତି ଓ ୫୦ଜଣ କମିଟି ସଭ୍ୟ ନିର୍ବାଚିତ ହେବେ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁଆରୀ ୩୦ରୁ ଫେବୃଆରୀ ୧୫ ତାରିଖ  ମଧ୍ୟରେ କରାଯିବ। ଏଥିରେ ସାଂଗଠନିକ ଜିଲାର ସଭାପତି ପଦ ସମେତ ୫୦ଜଣ କମିଟି ସଭ୍ୟ ନିର୍ବାଚିତ ହେବେ। ଫେବୃଆରୀ ୧୬ରୁ ୧୮ ତାରିଖ  ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ  ନିର୍ବାଚନ  ହେବ।  ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଏବଂ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

Comments are closed.