ରଣଜୀ ଟ୍ରଫି : ହରିୟାଣା ବିପକ୍ଷରେ ଓଡ଼ିଶାର ରୋମାଞ୍ଚକର ବିଜୟ

କଟକ, ୧୪ା୧ (ନିପ୍ର): ଚଳିତ ରଣଜୀ ସିଜିନ୍‌ରେ ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି ଓଡ଼ିଶାର ସିନିୟର କ୍ରିକେଟ ଦଳ। ହରିୟାଣାର ରୋହ୍‌ତକସ୍ଥିତ ଲାହ୍‌ଲି ଷ୍ଟାଡିୟମ୍‌ରେ ମଙ୍ଗଳବାର ସମାପ୍ତ ହୋଇଥିବା ରୋମାଞ୍ଚକର ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ହରିୟାଣାକୁ ମାତ୍ର ୧ ୱିକେଟରେ ଓଡ଼ିଶା ପରାସ୍ତ କରିଛି। ୨ୟ ଇନିଂସରେ ୧୭୯ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ମଙ୍ଗଳବାର ୪ର୍ଥ ତଥା ଅନ୍ତିମ ଦିନରେ ୯ ୱିକେଟ ହରାଇ ଏହା ହାସଲ କରି ନେଇ ନେଇଥିଲା। ମ୍ୟାଚ୍ ଜିତିବା ପାଇଁ ଓଡ଼ିଶା ଆଉ ୩ ରନ୍ ଆବଶ୍ୟକ କରୁଥିବା ବେଳେ ୯ମ ୱିକେଟ ହରାଇଥିଲା। ତେବେ ଶେଷ ୱିକେଟ ଯୋଡ଼ି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଏହି ବିଜୟରୁ ଓଡ଼ିଶା ୬ ପଏଣ୍ଟ ପାଇଛି। ଫଳରେ ୫ଟି ମ୍ୟାଚ୍‌ରୁ ୪ର୍ଥ ବିଜୟ ଓ ଗୋଟିଏ ଡ୍ର ସହ ସର୍ବାଧିକ ୨୮ ପଏଣ୍ଟ ସହ ଓଡ଼ିଶା ଏଲିଟ୍‌ ଗ୍ରୁପ୍ ‘ସି’ର ଶୀର୍ଷରେ ରହିଛି। ଆସନ୍ତା ୧୯ରୁ ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଜାମ୍ମୁ-କାଶ୍ମୀର ବିପକ୍ଷରେ ଓଡ଼ିଶା ୬ଷ୍ଠ ଲିଗ୍ ମ୍ୟାଚ୍ ଖେଳିବ।
୩ୟ ଦିନ ଶେଷରେ ଏହି ମ୍ୟାଚ୍ ଏକ ରୋଚକ ମୋଡ଼ରେ ଥିଲା। ଜିତିବା ପାଇଁ ଓଡ଼ିଶାକୁ ୪ର୍ଥ ତଥା ଅନ୍ତିମ ଦିନରେ ଆଉ ୩୨ ରନ୍ କରିବାକୁ ଥିବା ବେଳେ ହାତରେ ଆଉ ୩ଟି ୱିକେଟ ବାକିଥିଲା। ହରିୟାଣା ୩୨ ରନ୍ ପୂର୍ବରୁ ଏହି ୩ଟି ୱିକେଟ ହାସଲ କରିବା ଆବଶ୍ୟକ କରୁଥିଲା। ୩ୟ ଦିନର ଖେଳ ଶେଷସୁଦ୍ଧା ଓଡ଼ିଶା ୭ ୱିକେଟ ହରାଇ ୧୪୭ ରନ୍ କରିଥିଲା। ଓଡ଼ିଶାର ଏକମାତ୍ର ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍ ଭାବେ ରାଜେଶ ଧୁପର କ୍ରିଜ୍‌ରେ ରହିଥିଲେ। ୪ର୍ଥ ଦିନରେ ଓଡ଼ିଶାର ୮ମ ୱିକେଟ ଯୋଡ଼ି ସ୍କୋର୍‌କୁ ୧୬୫ ରନ୍‌ରେ ପହଞ୍ଚାଇଥିଲା। ଏହି ସ୍କୋର୍‌ରେ ଓଡ଼ିଶା ରାଜେଶ ଧୁପରଙ୍କ ୱିକେଟକୁ ହରାଇବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ଧୁପର ୮୯ ବଲ୍‌ରୁ ୩ଟି ଚୌକା ସହ ୩ଟି ଚୌକା ସହ ୩୨ ରନ୍ କରିଥିଲେ। ଶେଷ ୨ ୱିକେଟ ହାତରେ ଥାଇ ଓଡ଼ିଶାକୁ ଆହୁରି ୧୪ ରନ୍ କରିବାର ଥିବାରୁ ଦଳ ଚିନ୍ତାରେ ପଡ଼ି ଯାଇଥିଲା। ତେବେ ଦଳର ଦୁଇ ଓପ୍‌ନିଂ ବୋଲର ରାଜେଶ ମହାନ୍ତି ଓ ବସନ୍ତ ମହାନ୍ତି ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୯ମ ୱିକେଟ ପାଇଁ ୧୪ ରନ୍ ଯୋଗ କରିଥିଲେ। ରାଜେଶ ମହାନ୍ତି ୩୧ ବଲ୍‌ରୁ ୩ଟି ଚୌକା ସହ ମୂଲ୍ୟବାନ ୨୧ ରନ୍ କରିଥିଲେ। ଜିତିବା ପାଇଁ ଓଡ଼ିଶା ଆଉ ୩ ରନ୍ ଆବଶ୍ୟକ କରୁଥିବା ବେଳେ ଶେଷ ୱିକେଟ କ୍ରିଜ୍‌ରେ ରହିଥିଲେ। ୫୮ତମ ଓଭରରୁ ବସନ୍ତ ମହାନ୍ତି ୨ ରନ୍ ନେଇ ସ୍କୋର୍‌କୁ ସମାନ କରିଥିଲେ। ଆଶିଷ ହୁଡା ବୋଲିଂ କରିଥିବା ୫୯ତମ ଓଭରରେ ୧ ରନ୍ ବଞ୍ଚାଇବା ଲାଗି ହରିୟାଣାର ସମସ୍ତ ଫିଲ୍‌ଡର ପାଖକୁ ଚାଲି ଆସିଥିବା ବେଳେ ପ୍ରଥମ ବଲ୍‌ରେ ପପ୍ପୁ ରାୟ ଚୌକା ମାରି ଦଳକୁ ଜିତାଇଥିଲେ। ବସନ୍ତ ୬ ଓ ପପ୍ପୁ ୪ ରନ୍‌କରି ଅପରାଜିତ ରହିଥିଲେ। ଆଶିଷ ଚହଲ ୭ଟି ଏବଂ ଏବଂ ଟିନୁ କୁଣ୍ଡୁ ଓ ଆଶିଷ ହୁଡା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚ୍‌ରେ ମୋଟ ୧୧ଟି ୱିକେଟ ନେଇଥିବା ଓଡ଼ିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଓଡ଼ିଶାର ଏହି ବିଜୟ ପାଇଁ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

Comments are closed.