ଓଡ଼ିଶା ବ୍ୟାଡମିଣ୍ଟନ ଏକାଡ଼େମୀ ପରିଦର୍ଶନ କଲେ ଗୋପୀଚାନ୍ଦ

ଭୁବନେଶ୍ବର  : ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ରବିବାର ପୂର୍ବାହ୍ନରେ ସହିଦ୍‌ନଗରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଏକାଡେମୀର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ ପ୍ରଶିକ୍ଷକମାନଙ୍କ ସହ ତାଲିମ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶା ବ୍ୟାଡମିଣ୍ଟନ ଏକାଡ଼େମୀର ନିର୍ଦେଶକ କୈଳାସ ଚନ୍ଦ୍ର ଦାସ ଏକାଡେମୀର ଭିତ୍ତିଭୂମି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଦିଆଯାଇଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ତଥ୍ୟ ପ୍ରଦାନ କରିଥିଲେ। କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା​ ଓ ଓଡ଼ିଶା ସରକାର ବ୍ୟାଡମିଣ୍ଟନ ସମେତ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଗୋପୀଚାନ୍ଦ ଖୁସି ପ୍ରକଟ କରିଥିଲେ। ରାଜ୍ୟ ତଥା ଦେଶରେ ବ୍ୟାଡମିଣ୍ଟନର ବହୁତ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଯେଉଁସବୁ କାର୍ଯ୍ୟ କରାଯିବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଗୋପୀଚାନ୍ଦ ଆଲୋଚନା କରିଥିଲେ। ଏହି ଅବସରରେ ଏକାଡେମୀର ବ୍ୟାୟମଶାଳା, ଛାତ୍ରାବାସ ବୁଲିବା ସହିତ ପିଲାଙ୍କ ସହିତ ଅଭିଜ୍ଞତା ବାଣ୍ଟିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା​‌ ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ସହ ଗୋପୀଚାନ୍ଦ ବୈଠକରେ ଯୋଗଦେବା ସହ କଳିଙ୍ଗ ଷ୍ଟାଡ଼ିୟମରେ ନିର୍ମାଣଧିନ ଡାଲମିୟା-ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର ବୁଲିଥିଲେ।

Comments are closed.