ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ବିଧାନସଭାରେ ସଙ୍କଳ୍ପ

ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଆଜି ରାଜ୍ୟ ସରକାର ଗୃହରେ ସଙ୍କଳ୍ପ କରିଛନ୍ତି। ବିରୋଧିଙ୍କ ହଟଗୋଳ ମଧ୍ୟରେ ତାହା ଗୃହର ଅନୁମୋଦନ ଲାଭ କରିଛି। ତେବେ ସଙ୍କଳ୍ପଟି ପାରିତ ହେବା ପରେ ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ଚଳିତ ଶୀତ ଅଧିବେଶନର ଆଜି ଷଷ୍ଠ ଦିବସରେ ବିରୋଧି ଓ ଶାସକଦଳ ସଦସ୍ୟଙ୍କ ଗୃହ ମଧ୍ୟରେ ହଟଗୋଳ ଯୋଗୁଁ ପୂର୍ବାହ୍ନରେ କୌଣସି କାର୍ଯ୍ୟ ହୋଇପାରି ନଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିବା ବେଳେ ବିଜେଡି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସିଥିଲେ। ବିଜେଡି ବିଧାୟିକା ଲତିକା ପ୍ରଧାନ ଓ ସୁନନ୍ଦା ଦାସ ବିରୋଧି ଦଳ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରୁଥିବା ବେଳେ ବିଜେପି ବିଧାୟକମାନେ ଗୃହ ମଧ୍ୟରେ ଘଣ୍ଟ ବାଡେଇବା ସହିତ ଘଣ୍ଟି ବଜାଇଥିଲେ। ମାତ୍ର ୨ମିନିଟ୍‍ ଏଭଳି ପରିସ୍ଥିତି ଲାଗି ରହିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଅପରାହ୍ନ ଅଧିବେଶନରେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ଡକ୍ଟର ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସର୍ବଦଳୀୟ ବୈଠକକୁ ବିରୋଧି ସଦସ୍ୟମାନେ ଯାଇନଥିଲେ। ଏହାପରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେନ୍ଦ୍ର ସରକାର ଓଡିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରମାର ମାନ୍ୟତା ଦେବାପାଇଁ ଏକ ସଙ୍କଳ୍ପ ଆଗତ କରିଥିଲେ। ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଏହା ସପକ୍ଷରେ ମତ ରଖିଥିଲେ। ପରେ ହଟ୍ଟଗୋଳ ମଧ୍ୟରେ ସଙ୍କଳ୍ପଟି ପାରିତ ହୋଇଥିଲା।

Comments are closed.