ନୂଆ ଫର୍ମାଟରେ ବିଧାନସଭା – ହେବନି ପ୍ରଶ୍ନକାଳ, କେବଳ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା

ଭୁବନେଶ୍ୱର: ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବିଧାନସଭା ସଭାକକ୍ଷରେ ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାନସଭାର ଗୃହକାର୍ୟ୍ୟ ସାଢ଼େ ୪ଘଣ୍ଟା ଲେଖାଏଁ ଚାଲିବାକୁ ନିଷ୍ପତି ହୋଇଛି।

ବୈଠକ ପରେ ବାଚସ୍ପତି ଡ. ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଆସନ୍ତା ୨୯ରେ ବିଧାନସଭା ଅଧିବେଶନର ଆରମ୍ଭ ଦିନ ୧୧ଟା ବେଳକୁ କାର୍ୟ୍ୟ ଦିବସ ଆରମ୍ଭ ହେବ। ପ୍ରଥମେ ଦିବଗନ୍ତ ସଦସ୍ୟମାନଙ୍କ ଉପରେ ଶୋକ ପ୍ରସ୍ତାବ ଆସିବ। ଏହାପରେ ଗୃହକାର୍ୟ୍ୟ ମୁଲତବି କରାଯିବ ଏବଂ ଅପରାହ୍ନ ୩ଟାରୁ ୫ ପର୍ୟ୍ୟନ୍ତ ପୁଣି ଗୃହକାର୍ୟ୍ୟ ଚାଲିବ। ସେହିପରି ଅନ୍ୟସବୁ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଏବଂ ପରେ ଅପରାହ୍ନ ୩ଟାରୁ ୫ଟା ପର୍ୟ୍ୟନ୍ତ ଗୃହକାର୍ୟ୍ୟ ଚାଲିବ ବୋଲି ବାଚସ୍ପତି କହିଛନ୍ତି। ଅନ୍ୟପକ୍ଷରେ ବିଧାନସଭା ଏଜେଣ୍ଡାରେ ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ୟ୍ୟନ୍ତ ଉଲ୍ଲେଖ ରହିଛି।

ସବୁଠାରୁ ବଡ଼କଥା ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। କେବଳ ଶୂନ୍ୟକାଳ ଏବଂ ମୁଲତବିକୁ ନେଇ ଗୃହକାର୍ୟ୍ୟ ଚାଲିବ। ସଦସ୍ୟମାନେ ସେମାନଙ୍କ ସ୍ଥାନରେ ବସିରହି ପ୍ରଶ୍ନ ପଚାରିବେ ଏବଂ ମନ୍ତ୍ରୀମାନେ ନିଜ ଆସନରେ ବସି ରହି ଉତର ଦେବେ।

ଏହି ଅଧିବେଶନରେ କୌଣସି ଗଣମାଧ୍ୟମକୁ ଲବି ଅନୁମତି ମିଳିବ ନାହିଁ। କେବଳ ୩୬ଟି ଗଣମାଧ୍ୟମକୁ ବିଧାନସଭା ଆସିବାକୁ ଅନୁମତି ଦିଆଯିବ। ସେଥିମଧ୍ୟରେ ୧୧ଟି ବୈଦ୍ୟୁତିକ ଗଣମାଧ୍ୟମ ରହିଥିବାବେଳେ ୨୫ଟି ଛାପା ଗଣମାଧ୍ୟମ ରହିଛି ବୋଲି ବିଧାନସଭା ନିରାପତା ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ସେହିପରି ବିଧାନସଭା ଭିତରେ କେବଳ ଜରୁରୀ ବିଷୟବସ୍ତୁରେ କାଗଜ ପତ୍ର ବଣ୍ଟାଯାଇପାରିବ। ଏହାବ୍ୟତୀତ କୌଣସି ପ୍ରଶ୍ନ ଏବଂ ଉତ୍ତର କାଗଜ ଗୃହରେ ବଣ୍ଟାଯିବ ନାହିଁ। ଗୃହର ସମସ୍ତ ସଦସ୍ୟଙ୍କୁ କରୋନା କିଟ୍ ବଣ୍ଟନ କରାଯିବ। ଏହାସହିତ ଗଣମାଧ୍ୟମ ପ୍ରତିନିଧି ଓ ଷ୍ଟାଫଙ୍କୁ ମଧ୍ୟ ପ୍ରଦାନ କରାଯିବ। ଏହି ସମୟରେ ମନ୍ତ୍ରୀମାନଙ୍କ ପିଏସଓ, ଏପିଏସ, ପିଅନ ଏବଂ ଡ୍ରାଇଭରଙ୍କୁ ଛାଡି ଆଉ କାହାରିକୁ ଭିତରକୁ ଆସିବାକୁ ଦିଆଯିବ ନାହିଁ। ୧୨ଜଣ ସଭ୍ୟ ରହିଲେ ଗୃହ କାର୍ୟ୍ୟ ଚାଲିବ। ବିଧାନସଭା ପରିସରକୁ ବିଏମସି ପକ୍ଷରୁ ବିଶୋଧନ କରାଯିବ।

ଆଜିଠାରୁ ଦୁଇଟି ପର୍ୟ୍ୟାୟରେ ୨୮ ତାରିଖ ପର୍ୟ୍ୟନ୍ତ ବିଧାନସଭା ଷ୍ଟାଫ୍, ପୁଲିସ ଷ୍ଟାଫ୍, ଗୃହର ସଦସ୍ୟମାନଙ୍କୁ କୋଭିଡ଼ ପରୀକ୍ଷା କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି।

Comments are closed.