ବିଧାନସଭାରେ ଶ୍ୱେତପତ୍ର ଉପସ୍ଥାପିତ, ତଥ୍ୟ ଚିନ୍ତାଜନକ

ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ରରେ ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ପଂଜୀକୃତ ଅପରାଧ ମାମଲା ମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ମାମଲା ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ପଂଜୀକୃତ ହୋଇଥିବା ଜଣାପଡିଛି। ସେହିପରି ୨୦୨୦ ମସିହାରେ ଧର୍ତବ୍ୟ ଅପରାଧ କ୍ଷେତ୍ରରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧ ଲକ୍ଷ ୨୯ ହଜାର ୩୦୫ଟି ମାମଲା ସତ୍ୟ ଅଟେ। ତନ୍ମଧ୍ୟରୁ ୯୩ ହଜାର ୨୨୯ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି।

ନରହତ୍ୟା କ୍ଷେତ୍ରରେ ପଂଜୀକୃତ ହୋଇଥିବା ୧୪୭୦ଟି ହତ୍ୟା ମାମଲାରୁ ୧୩୯୨ଟି ସତ୍ୟ ମାମଲା ଅଟେ। ଏଥିରୁ ୬୯୪ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ସେହିପରି ଡକାୟତି କ୍ଷେତ୍ରରେ ୫୧୪ଟି ଡକାୟତି ମାମଲାରେ ୨୫୪ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି। ବିଭିନ୍ନ ଡକାୟତି ଘଟଣାରେ ପୋଲିସ ଦ୍ୱାରା ୧୨ ଜଣ ଆନ୍ତ-ରାଜ୍ୟ ଡକାୟତଙ୍କ ସମେତ ୧୮୭୬ ଜଣ ଡକାୟତଙ୍କୁ ଗିରଫ କରାଯାଇଛି। ୨୪ଟି ଘଟଣାରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଏହା ବ୍ୟତୀତ ଚୋରୀ ହୋଇଥିବା ସମ୍ପତି ମଧ୍ୟରୁ ୧୦ କୋଟି ୪୦ ଲକ୍ଷ ୪୬ ହଜାର ୮୪୫ ଟଙ୍କାର ସମ୍ପତି ଉଦ୍ଧାର କରାଯାଇଛି।

ଲୁଣ୍ଠନ ମାମଲାରେ ୨୧୬୬ଟି ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗରେ ୧୮୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୪ କୋଟି ୨୪ ଲକ୍ଷ ୨୬ ହଜାର ୯୫ ଟଙ୍କା ମୂଲ୍ୟର ସମ୍ପତି ଉଦ୍ଧାର କରାଯାଇଛି। ସିନ୍ଧି ଚୋରୀ ଘଟଣାରେ ୪୫୦୦ଟି ମାମଲା ରୁଜୁ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୪୨୨ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ଚୋରୀ ମାମଲାରେ ୧୦୪୧୨ଟି ମାମଲା ପଂଜୀକୃତ ହୋଇଥିଲା। ସେଥିମଧ୍ୟରୁ ୩୭୭୦ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ଚୋରୀ ସମ୍ପତି ମଧ୍ୟରୁ ୧୮ କୋଟି ୮୩ ଲକ୍ଷ ୨୧ ହଜାର ୨୮୩ ଟଙ୍କାର ସମ୍ପତି ଉଦ୍ଧାର କରାଯାଇଛି। ପ୍ରତାରଣା କ୍ଷେତ୍ରରେ ୩୫୨୪ଟି ମାମଲା ରୁଜୁ ହୋଇଛି। ୭୫୧ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି।

ଦୁଷ୍କର୍ମ ମାମଲାରେ ପଂଜୀକରଣ ହୋଇଥିବା ୨୯୮୪ଟି ମାମଲା ମଧ୍ୟରୁ ୨୯୦୭ଟି ମାମଲା ସତ୍ୟ। ଏଥି ମଧ୍ୟରୁ ୨୦୫୪ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ଦଙ୍ଗା ମାମଲାରେ ୨୦୫୯ଟି ମାମଲା ପଂଜୀକୃତ ହୋଇଥିଲା। ସେଥିରୁ ୧୩୪୭ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ମୋଟର ଯାନ ଦୁର୍ଘଟଣାରେ ୯୮୧୭ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୯୭୭୧ଟି ମାମଲା ସତ୍ୟ ରହିଛି। ଏଥି ମଧ୍ୟରୁ ୬୦୫୬ଟି ମାମଲାରେ ଚାର୍ଜସିଟ ଦିଆଯାଇଛି। ଅନୈତିକ ବ୍ୟଭିଚାର ମାମଲାରେ ୨୨ଟି ମାମଲା ରୁଜୁ ହୋଇଥିଲା। ଏଥି ମଧ୍ୟରୁ ୧୦ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଥିବା ଶ୍ୱେତପତ୍ରରୁ ଜଣାପଡିଛି।

ଯୌତୁକ ଜନିତ ମାମଲାରେ ୪୦୮୮ଟି ମାମଲା ରୁଜୁ ହୋଇଥିଲା। ସେଥି ମଧ୍ୟରୁ ୨୭୪୮ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ୩୮ଟିର ଚୂଡାନ୍ତ ରିପୋର୍ଟ ସତ୍ୟ ରହିଛି। ୧୨୧୮ ମୋକଦ୍ଦମା ତଦନ୍ତାଧୀନ ରହିଛି। ଯୌତୁକଜନିତ ହତ୍ୟା ମାମଲାରେ ୩୨୧ଟି ମୋକଦ୍ଦମା ରୁଜୁ ହୋଇଛି। ସେଥି ମଧ୍ୟରୁ ୧୪୧ଟିରେ ଦୋଷାରୋପ ଫର୍ଦ ଦାଖଲ ହୋଇଛି। ୧୫୭ଟି ମୋକଦ୍ଦମା ତଦନ୍ତାଧୀନ ରହିଛି। ଯୌତୁକଜନିତ ଆତ୍ମହତ୍ୟାରେ ୮୭ଟି ମୋକଦ୍ଦମା ମଧ୍ୟରୁ ୭୩ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି। ଅବଶିଷ୍ଟ ୧୪ଟି ମୋକଦ୍ଦମା ତଦନ୍ତାଧୀନ ରହିଛି। ଯୌତୁକଜନିତ ନିର୍ଯାତନା ମାମଲାରେ ୩୭୫୯ଟି ମୋକଦ୍ଦମା ମଧ୍ୟରୁ ୨୬୬୨ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି। ଏଥି ମଧ୍ୟରୁ ୧୦୨୧ଟି ମୋକଦ୍ଦମା ତଦନ୍ତାଧୀନ ରହିଛି। ଅଣ ଯୌତୁକ ନିର୍ଯାତନା ମାମଲାରେ ୩୧୫୩ ମୋକଦ୍ଦମା ମଧ୍ୟରୁ ୨୪୧୩ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। ୬୩୬ଟି ମୋକଦ୍ଦମା ତଦନ୍ତାଧୀନ ରହିଛି। ତଫସିଲଭୁକ୍ତ ଜାତି ଓ ଜନଜାତିମାନଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ମାମଲାରେ ୨୬୭୦ଟି ମୋକଦ୍ଦମା ମଧ୍ୟରୁ ୧୧୮୩ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି।

ଶ୍ୱେତପତ୍ରରେ କୁହାଯାଇଛି ଯେ ୧୯୯୯ ମହାବାତ୍ୟା ପରେ ରାଜ୍ୟ ୮ ଗୋଟି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ୨୦୧୩ ମସିହାରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତିଲି, ପେଥାଇ ଓ ଡାଏ, ୨୦୧୯ର ବାତ୍ୟା ଫନି ଓ ବୁଲବୁଲ ଓ ୨୦୨୦ରେ ଅମ୍ଫାନ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୯୯୯ ମହାବାତ୍ୟା ପରେ ଏହି ବାତ୍ୟା ଗୁଡିକରେ ମୋଟ ୧୬୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୩୧୯୪୫.୮୦ କୋଟି ଟଙ୍କାର ଧନ ଜୀବନ କ୍ଷତି ହୋଇଥିବାର ଆକଳନ କରା ଯାଇଛି। ଏହି ବାତ୍ୟା ଗୁଡିକର ରିଲିଫ ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ମୋଟ ୨୯୪୮୦.୩୭ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଥିବା ବେଳେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହୟତା ପାଂଠିରୁ ୫୨୮୫.୬୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ରୀଡା ସଂଘ ଗୁଡିକୁ ଦଶ ବର୍ଷରେ ୩ କୋଟି ୪୦ ଲକ୍ଷ ୧୬ ହଜାର ୨୫୦ କୋଟି ଟଙ୍କାର ଅନୁଦାନ ଦିଆ ଯାଇଛି ବୋଲି କ୍ରୀଡା ଓ ଯୁବ ସେବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି।

Comments are closed.