ନୂପୁର ଶର୍ମାଙ୍କ ପାଇଁ ବିଧାନସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ; ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ନୂପୁରଙ୍କ ବୟାନକୁ ନେଇ ଗୃହରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ପୋଡିୟମ ତଳେ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି । ଘଟଣାକୁ ନେଇ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଉଦୟପୁର ପ୍ରସଙ୍ଗ ଉଠାଇଥିଲା । କାଶ୍ମୀର ପ୍ରସଙ୍ଗ କଥା ଉଠାଇ କଂଗ୍ରେସକୁ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ଟାର୍ଗେଟ କରିଛନ୍ତି । ଗୃହରେ ଉଭୟ କଂଗ୍ରେସ ଓ ବିଜେପିର ପ୍ରତିବାଦ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ମୁଲତବି କରିଛନ୍ତି ।

ପ୍ରଥମେ ବାଚସ୍ପତି ଗୃହକୁ ୧୦ ମିନିଟ୍‌ ମୁଲତବି କରିଥିବା ବେଳେ ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି କରାଯାଇଛି । ଏହାରି ଭିତରେ ବାଚସ୍ପତି ମଧ୍ୟ ତାଙ୍କର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯାହାଙ୍କ ବିଷୟରେ ଆଲୋଚନା ହେଉଛି ସେ ଗୃହର ସଦସ୍ୟ ନୁହଁନ୍ତି । ଏ ବିଷୟରେ ଅଧିକ ଆଲୋଚନା ହେବା ଉଚିତ ନୁହେଁ । ହେଲେ ବିରୋଧୀ ବାଚସ୍ପତିଙ୍କ କଥା ନଶୁଣି ହଙ୍ଗାମା କରିବାରୁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

Comments are closed.