ବିଧାନସଭା ଡାକ୍ତରଖାନା ଅଧିକାରୀ ନିଲମ୍ବିତ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସପେନସାରୀ ଡାକ୍ତର ଲଳିତ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୯୨୪୭ ଅନୁଯାୟୀ ଡାକ୍ତର ବେହେରାଙ୍କୁ ଓଡିଶା ପ୍ରଶାସନିକ ସେବା ଆଇନ ୧୯୬୨ ଅନ୍ତର୍ଗତ ଅଧିନିୟମ ୧୨ ଅନୁଯାୟୀ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଯଦିଓ ନିଲମ୍ବନର କାରଣ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ସୂଚନା ଯୋଗ୍ୟ ଯେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଚଳିତ ମାସ ୧୬ ତାରିଖରେ ବିଧାନସଭା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ କ୍ଲିନିକରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତ କାଲି ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ତେବେ ବିଧାନସଭା ଡାକ୍ତରଖାନାରେ ନିୟମ ଉଲ୍ଲଙ୍ଘନ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ତେବେ ଡାକ୍ତର ବେହେରାଙ୍କୁ ବିନା ଅନୁମତିରେ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।