୬ ଫୁଟ ଦୂରରେ ବସିବେ ବିଧାୟକ! ସେପ୍ଟେମ୍ବରରେ ବସିବ ବିଧାନସଭା

ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀର ଭୟାନକ ସ୍ଥିତି ଉପୁଜିଥିଲେ ମଧ୍ୟ ସମ୍ବିଧାନ ନିୟମ ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରେ ବିଧାନସଭା ବସିବାର ସମ୍ଭାବନା ରହିଛି। ମାତ୍ର ତାହା କେତେ ତାରିଖଠାରୁ ଆରମ୍ଭ ହେବ ଏବଂ କେଉଁ ସବୁ ସର୍ତ୍ତାବଳୀ ଅନୁଯାୟୀ କାର୍ଯ୍ୟଦିବସ ଚାଲିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଲୋକସଭା ବାଚସ୍ପତିଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଧାନସଭା ଅଧିବେଶନ ପରିଚାଳିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ବାଚସ୍ପତିଙ୍କ ସୂଚନା ଅନୁଯାୟୀ, ମାର୍ଚ୍ଚରେ ବିଧାସନଭା ଶେଷ ହୋଇଥିଲା। ନିୟମ ଦୃଷ୍ଟିରୁ ୬ମାସରେ ପୁନଶ୍ଚ ବିଧାନସଭା ଅନୁଷ୍ଠିତ ହେବା କଥା। ହେଲେ କୋଭିଡ-୧୯ ମହାମାରୀ ପାଇଁ ବିଧାନସଭା କେବେ ଅନୁଷ୍ଠିତ ହେବ ତାହା ଠିକଣା କରାଯାଇ ନାହିଁ। ତେବେ ଲୋକସଭା ବାଚସ୍ପତିଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଧାନସଭା ପରିଚାଳିତ ହେବ।

ନିୟମ ଅନୁଯାୟୀ ପ୍ରତି ୬ଫୁଟ୍ ଦୂରତାରେ ସଭ୍ୟମାନେ ବସିବା କଥା। ମାତ୍ର ବିଧାନସଭାରେ ୧୪୭ ବିଧାୟକଙ୍କ ପାଇଁ ଆସନ ରହିଥିବା ଦୃ​ଷ୍ଟିରୁ କେତେ ଦୂରତାରେ କେତେ ବିଧାୟକ ବସିବେ ଏବଂ ପ୍ରତି କାର୍ଯ୍ୟଦିବସ ଦିନ କେତେ ବିଧାୟକ ଆସିବେ ତାହା ସ୍ଥିର ହୋଇନାହିଁ। ମହାମାରୀ ଦୃଷ୍ଟିରୁ ସାମ୍ବାଦିକ ଓ ଦର୍ଶକମାନଙ୍କ ପ୍ରବେଶ ଉପରେ କଟକଣା ଲାଗିପାରେ। ତେବେ ଲୋକସଭା ବାଚସ୍ପତିଙ୍କ ମାର୍ଗଦର୍ଶିକା ଉପରେ ସବୁ ନିର୍ଭର କରୁଛି ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Comments are closed.