ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାବେଳେ ଶାସକ ବିଜେଡି ପକ୍ଷରୁ ଏହାର ମୁକାବିଲା କରାଯିବା ସହ କେନ୍ଦ୍ରର ବୈମାତୃକ ମନୋଭାବ ପ୍ରସଙ୍ଗ ଉଠାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବିରୋଧୀକୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ ହୋଇଛି।

ଗତକାଲି ପୂର୍ବାହ୍ନରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟସଚେତକ ମୋହନ ଚରଣ ମାଝି କହିଥିଲେ ଯେ, ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗ ବିଜେପି ଗୃହରେ ଉଠାଇବ। ବିଶେଷ କରି ମମିତା ହତ୍ୟାକାଣ୍ଡ, ମହିଳା ନିର୍ଯାତନା, ଶିଶୁ ଅପହରଣ ଓ ହତ୍ୟା, ମଣ୍ଡି ସମସ୍ୟା, ବେକାରୀ ସମସ୍ୟା; ନିଶା କାରବାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡର ପ୍ରହେଳିକା, ୫-ଟି ଜରିଆରେ ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରହସନ, ମାହାଙ୍ଗା ହତ୍ୟାକାଣ୍ଡ, ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପାଇଁ ବଜେଟ୍‌ରେ ଅର୍ଥ ବରାଦ ହୋଇନାହିଁ, ରୋଗୀକୁ କୌଣସି ପ୍ରକାର ସୁବିଧା ମିଳୁନାହିଁ, ଚିକିତ୍ସା ନ ପାଇ ରୋଗୀ ଫେରୁଛି; କିନ୍ତୁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚିକିତ୍ସା ମିଳିବ ବୋଲି ମିଛ ପ୍ରଚାର କରୁଛନ୍ତି। ସେହିପରି ୫-ଟି ମାଧ୍ୟମରେ ୧୦୭୮ଟି ସ୍କୁଲ ରୂପାନ୍ତରଣ ହୋଇଥିଲେ ମଧ୍ୟ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ଏହାସହିତ ପୌରାଞ୍ଚଳରେ ଉନ୍ନତିକରଣ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଚାଲିଛି। ବାଚସ୍ପତି ଯଦି ନିରପେକ୍ଷତା ଅବଲମ୍ବନ କରି ଆଲୋଚନା ପାଇଁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ବିଜେପି ଗୃହ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିବ। କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଣ୍ଟନ କରାଯାଉଛି। ଓଡିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ଅଧିବେଶନରେ ବିଜେପି ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍‌ ମଗାଯିବ ବୋଲି ଶ୍ରୀ ମାଝି କହିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଗୃହର ପରିଚାଳନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମମତା ମେହେର ମାମଲାକୁ କଂଗ୍ରେସ ପ୍ରସଙ୍ଗ କରିବ। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ନାହାନ୍ତି ବା ତଦନ୍ତ ଦାୟିତ୍ବ ଦେଇନାହାନ୍ତି ସେପର୍ଯ୍ୟନ୍ତ ଅଟଳ ରହିବ। ଏହାବାଦ୍ କୃଷି ଓ କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର କିଭଳି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହାକୁ ନେଇ ଗୃହରେ ସରକାରଙ୍କୁ ଜବାବ ମଗାଯିବ। ଧାନମଣ୍ଡିରେ ଅବ୍ୟବସ୍ଥା, ଧାନର ସହାୟକ ମୂଲ୍ୟ ପ୍ରସଙ୍ଗ ସହିତ ଚାଷୀର ବାର୍ଷିକ ଆୟ କିଭଳି ଜଣେ ମଜୁରିଆ ଠାରୁ ଓଡ଼ିଶାରେ କମ୍ ରହିଛି ତାହାକୁ ନେଇ ସରକାରଙ୍କୁ ଘେରିବୁ। ଏହାବାଦ୍ ତୈଳଦର ବୃଦ୍ଧି, ବେକାରୀଙ୍କୁ ନିଯୁକ୍ତି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଖଣି ଓ ପାଣିରେ ଦୁର୍ନୀତି ଭଳି ପ୍ରସଙ୍ଗ ଗୃହରେ ଉଠିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବୈଠକରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୁକିମ ଓ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ଶାସକ ଦଳ ପକ୍ଷରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ହୋଇଯାଇଛି। ଏଥିରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ସମେତ ଖାଇବା ତେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ରକୁ ନିଶାଣ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ସ୍ୱାର୍ଥରକ୍ଷା ନେଇ କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ବିରୋଧରେ ବିଧାନସଭା ଏବଂ ବିଧାନସଭା ବାହାରେ ଲଢ଼େଇ ଜାରି ରଖିବାକୁ ବିଜେଡି ଯୋଜନା କରିଛି।

ଆବାସ ଯୋଜନା ପ୍ରଦାନରେ କେନ୍ଦ୍ରର ପାତର ଅନ୍ତର ନୀତିକୁ ଦଳର ସଦସ୍ୟମାନେ ନିନ୍ଦା କରିଥିଲେ। ୧୩ ଲକ୍ଷ ଆବାସ ଯୋଜନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ମାତ୍ର ୫ଲକ୍ଷ ଆବାସ ଯୋଜନା ମଞ୍ଜୁର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରସ୍ତାବ ମୁତାବକ ଆବାସ ଯୋଜନା ମଞ୍ଜୁର କରିବାକୁ ଦଳ ଦାବି କରିବ। ରାଜ୍ୟ ସରକାର ଫସଲବୀମା ବାବଦ ଯେତିକି ଅର୍ଥ ଦେଉଛନ୍ତି, କେନ୍ଦ୍ର ତା’ର ଅଧା ପ୍ରଦାନ କରୁଛି। ଏହାକୁ ଗୃହରେ ପ୍ରସଙ୍ଗ କରାଯିବ। ଧାନସଂଗ୍ରହ କ୍ଷେତ୍ରରେ କେନ୍ଦ୍ରର ଅସହଯୋଗକୁ ଦଳ ବିଧାନସଭାରେ ଉଠାଇବ। ଚାଉଳ ଉଠାଣ ପାଇଁ ମନା କରିବା ଏବଂ ବକେୟା ଥିବା ପ୍ରାୟ ୧୧ ହଜାର କୋଟି ଟଙ୍କା ପ୍ରଦାନ କରୁ ନ ଥିବା ପ୍ରସଙ୍ଗ ସମେତ କୋଇଲା ରୟାଲିଟି ବୃଦ୍ଧି କରା ନ ଯିବା ବିଷୟକୁ କେନ୍ଦ୍ର ବିରୋଧୀ ଅସ୍ତ୍ର କରିବ ବିଜେଡି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବିଧାନସଭାରେ ଦଳର ସଦସ୍ୟମାନେ ଆଲୋଚନା କରିବେ। ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ, ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ, କରୋନାର ସଫଳ ମୁକାବିଲା, ଭିତ୍ତିଭୂମି ବିକାଶ ସହ ବିଭିନ୍ନ ସମୟରେ ସରକାରଙ୍କ ସଫଳତା ପାଇଁ ମିଳିଥିବା ପୁରସ୍କାର ଓ ସ୍ୱୀକୃତିକୁ ଦଳ ପ୍ରାଧାନ୍ୟ ଦେଇ ବିରୋଧୀଙ୍କୁ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛି।

ଆଭାସି ବ୍ୟବସ୍ଥାରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଏବଂ ବିଧାୟକମାନେ ବିଧାନସଭାର ଦୁଇଟି ପ୍ରକୋଷ୍ଠରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Comments are closed.