ଓଡ଼ିଶା ଗାଁକୁ ପିଇବା ପାଣି ଦେବ ଆନ୍ଧ୍ର

ପାତ୍ରପୁର : ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୁଲାଡ଼ି ଆଦିବାସୀ ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାର ଜମିପଟ୍ଟା ବାଣ୍ଟିବା ପରେ ଏବେ ସୀମାନ୍ତ ବୁରାତଲ ପାଞ୍ଚୟତର ଗୁଡିଖଳା ଗ୍ରାମର ଲୋକଙ୍କୁ ପାନୀୟ ଜଳ ଯୋଗାଇବା ନିମନ୍ତେ ଓଭରହେଡ ଟ୍ୟାଙ୍କ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଗ୍ରାମର ଲୋକଙ୍କୁ ଜମିପଟ୍ଟା ଯୋଗାଇ ଦେବାକୁ ଆନ୍ଧ୍ର ସରକାର ସର୍ଭେ ପରେ ହିତାଧିକାରୀ ତାଲିକା ମଧ୍ୟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର କେତେକ ଗ୍ରାମରେ ଆନ୍ଧ୍ର ବିଭିନ୍ନ ସୁବିଧା ଯୋଗାଇ ସେସବୁ ଗ୍ରାମକୁ କରାୟତ୍ତ କରିବାକୁ ଦୀର୍ଘ ବର୍ଷ ହେଲା ଉଦ୍ୟମ ଜାରି ରଖିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତର କେତେକ ଗ୍ରାମରେ ଉଭୟ ରାଜ୍ୟର ଲୋକ ବସବାସ କରୁଛନ୍ତି। କେଉଁ ଗ୍ରାମର ଦାଣ୍ଡ ଆନ୍ଧ୍ର ତ ବାରି ଓଡ଼ିଶା ଏବଂ ଆଉ କେଉଁ ଗ୍ରାମରେ ଦାଣ୍ଡ ଓଡ଼ିଶା ତ ବାରି ଆନ୍ଧ୍ରରେ ରହିଛି। ବି.ନୂଆଗାଁ ଏବଂ ଗୁଡିପଦର ପଞ୍ଚାୟତର ଅଧିକାଂଶ ଗ୍ରାମର ଭୌଗୋଳିକ ସ୍ଥିତି ଏଭଳି ରହିଛି। ଏହି ଗ୍ରାମଗୁଡିକର ଲୋକଙ୍କ ପାଖରେ ଉଭୟ ରାଜ୍ୟର ଆଧାର ଓ ଭୋଟ ପରିଚୟପତ୍ର ରହିଛି।
ପାତ୍ରପୁର ବ୍ଲକର ସୀମାନ୍ତ ଦୁଇ ପାଞ୍ଚାୟତ ବୁରାତାଲ ଓ ତୁମ୍ବାର ୩ଟି ଗ୍ରାମ କୁଲାଡି, ବାବନାସାହି, ଗୁଡିଖଳା ଗ୍ରାମରେ ଆନ୍ଧ୍ର ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରୀ ରଖିଛି। ଏ ମଧ୍ୟରେ କୁଲାଡି ଗ୍ରାମର ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିଥିବା ବେଳେ ଅନ୍ୟ ଦୁଇ ଗୋଟି ଗ୍ରାମର ଲୋକଙ୍କୁ ପଟ୍ଟା ପ୍ରଦାନ ପାଇଁ ସର୍ଭେ କରି ତାଲିକା ପ୍ରସ୍ତୁତ କରିଛି। ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ବୁରାତାଲ ପଞ୍ଚାୟତର ଗୁଡିଖଳା ଗ୍ରାମରେ ଆନ୍ଧ୍ର ଏବେ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମେସିନ ଲଗାଇ କାମ ଆରମ୍ଭ କରିଛି। ଗୁଡିଖଳା ଗ୍ରାମଟି ବୁରାତାଲ ପଞ୍ଚାୟତ ଲାଇଡା ୱାର୍ଡରେ ରହିଛି। ଏହାସହ ଗ୍ରାମଟି ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ କଣ୍ଟାକୁମ୍ଭ ୱାର୍ଡ ଏବଂ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ବୁଡାରସିଙ୍ଗି ପଞ୍ଚାୟତର କୁରୁଡ।ଲ ୱାର୍ଡ ଅଧୀନରେ ରହିଛି। ଗ୍ରାମରେ ୨୭ଗୋଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ୧୩୦ରୁ ଅଧିକ। ଗ୍ରାମବାସୀ ତିନିଗୋଟି ସ୍ଥାନରେ ଭୋଟ ଦେଇ ଆସୁଛନ୍ତି। ଏହି ଗ୍ରାମରୁ ବୁରାତାଲ ପଞ୍ଚାୟତକୁ ଯିବାକୁ ହେଲେ ଆନ୍ଧ୍ର ପଥରେ ଦୁଇଟି ନଦୀ ପାର ହୋଇ ୨୫ କିଲୋମିଟର ଏବଂ ବ୍ଲକକୁ ୪୦ କିଲୋମିଟର ଯିବାକୁ ପଡୁଛି। ସେହିପରି ଗଜପତି ଜିଲାର ରାୟଗଡ ବ୍ଲକକୁ ଗୋଟିଏ ନଦୀ ପାର ହୋଇ ପ୍ରାୟ ୧୨୦ କିଲୋମିଟର ପଦାଚଲା ରାସ୍ତାରେ ଯିବାକୁ ପଡୁଛି। ଗ୍ରାମଟି କଳିଙ୍ଗ ଦଳା ଆନିକଟ ତଳ ପାର୍ଶ୍ୱରେ ରହିଛି। ଗ୍ରାମରେ ବିଭିନ୍ନ ସମୟରେ ପାନୀୟ ଜଳ ସଙ୍କଟ ଲାଗି ରହୁଥିଲା। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଗୁଡିଖଳାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ କରିଛି ବୋଲି କୁରୁଡାଲ ୱାର୍ଡସଭ୍ୟ ମାଧବ ପ୍ରକାଶ କରିଛନ୍ତି। କୋଡିଏ ବର୍ଷ ପୂର୍ବେ ଆନ୍ଧ୍ର ସରକାର ଗ୍ରାମରେ ଏକ କୂଅ ନିର୍ମାଣ କରିଥିଲେ। ଏହି ଗ୍ରାମରେ ରାୟଗଡ ବ୍ଲକ ତରଫରୁ ଖୋଲା ଯାଇଥିବା ନଳକୁଅ ତିନିମାସ ହେଲେ ଅଚଳ ରହିଛି। ଗ୍ରାମକୁ ଆନ୍ଧ୍ର ସରକାର ୧୫ବର୍ଷ ତଳେ ବିଦ୍ୟୁତ ଯୋଗାଇବା ସହ ୭ଟି ପରିବାରକୁ ଇନ୍ଦିରା ଆବାସ ଯୋଜନାରେ ଘର ଯୋଗାଇଥିଲେ। ତିତଲି ପରେ ପାତ୍ରପୁର ବ୍ଲକ ତରଫରୁ ପ୍ରାୟ ଦଶରୁ ଅଧିକ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଣ ପାଇଁ କାମ ଆରମ୍ଭ ହୋଇଛି। ଗାଁରେ ରାୟଗଡ ବ୍ଲକ ତରଫରୁ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଛି। କିନ୍ତୁ ଗ୍ରାମବାସୀ ସ୍ୱାସ୍ଥ୍ୟ, ଶିକ୍ଷା ବଜାର ସଉଦା ପାଇଁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର ଉପରେ ନିର୍ଭରଶୀଳ।
ଲୋକେ ପୂର୍ବରୁ ବଗଡରେ ବିଭିନ୍ନ ଫସଲ ଉପୁଜାଇ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏବେ ବଗଡରୁ ଆଦାୟ କମିଯିବାରୁ କିଛି ପରିବାର କୁଲି ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ଗ୍ରାମରେ ମନରେଗା କାମ କିମ୍ବା ଅନ୍ୟ କାମ ନହେବା ଫଳରେ ଏବେ ଗ୍ରାମର ତ୍ରିନାଥ ଶବର,ଏଣ୍ଡା ଶବର, ଶଙ୍କର ଶବର, ଶ୍ରୀନୁ ଶବର, ରମେଶ ଶବର, ରାଜେନ୍ଦ୍ର ଶବର, ଗୁରୁନାଥ ଶବର, ଗଣିଆ ଶବର ପ୍ରମୁଖ ପୁଣି ରାଜ୍ୟ ବାହାରକୁ କାମ କରିବାକୁ ଚାଲି ଯାଇଛନ୍ତି। ଗ୍ରାମର ରାଜୁ ଶବର,ସମ୍ବରି ସବର,ଲିଲି ଶବର,ତ୍ରିନାଥ ଶବର, ପିତାମ୍ବର ଶବର,ଟୁନା ଶବର, ବୁଦା ଶବରଙ୍କୁ ସରକାରୀ ଆବାସ ମିଳିନି। ବିଧବା ଲିଲି ଶବର, ଯମୁନା ଶବର, ଆନାମ୍ମା ଶବର, ଗୁଡିମାରି ଶବର, ସୀତା ଶବର, ସମ୍ବାରି ଶବର ପ୍ରମୁଖଙ୍କୁ ବିଧବା ଭତ୍ତା ମିଳୁନି। ଗ୍ରାମର ପିଲାଏ ସ୍କୁଲ ଠାରୁ କଲେଜ ପାଠ ପଢା ପାଇଁ ଆନ୍ଧ୍ର ନୂଆଗଡ଼ କଲୋନୀ, କୁରୁଡାଲ, ସାନ କୃଷ୍ଟା, ମଞ୍ଜୁଷା ଓ ପଲାସାକୁ ଯାଉଛନ୍ତି। ଆନ୍ଧ୍ରର ନୂତନ ସରକାର ପ୍ରାଥମିକ ସ୍ତରରେ ପାଠ ପଢା ପାଇଁ ପନ୍ଦର ହଜାର ଏବଂ ଦଶମ ଶ୍ରେଣୀ ପରେ ଅଠର ହଜାର ଟଙ୍କା ପିଲାଙ୍କ ମା’ଙ୍କ ବ୍ୟାଙ୍କ ଖାତାରେ ଜମା କରିଛନ୍ତି। ଓଡିଶା ସରକାର ଏହି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Comments are closed.