କୋଭିଡ ଟିକାକରଣରେ ଓଡ଼ିଶାର କୀର୍ତ୍ତିମାନ ସ୍ଥାପନ; ୩.୫ କୋଟି ପାନରୁ ଅଧିକ ଟିକାଦାନ

ଭୁବନେଶ୍ୱର: କୋଭିଡ ବିରୋଧୀ ମୁକାବିଲାରେ ଦେଶର ଅନ୍ୟାନ୍ୟ ରାଜ୍ୟ ସହିତ ତାଳଦେଇ ଓଡ଼ିଶା ମଧ୍ୟ ନିଜର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟାପକ ଉନ୍ନତିସାଧନ କରିଛି । ସଂକ୍ରମଣ ଅଧିକ ରହିଥିବା ସମୟରେ ରାଜ୍ୟରେ ଡାକ୍ତରଖାନାଗୁଡିକରେ ଆବଶ୍ୟକ ଶଯ୍ୟା ବ୍ୟବସ୍ଥା କରାଯିବା ସହିତ କୋଭିଡ ସଂକ୍ରମିତଙ୍କ ପାଇଁ ସମସ୍ତ ଚିକିତ୍ସା ସୁବିଧା ରାଜ୍ୟ ସରକାର ଉପଲବ୍ଧ କରାଇଛନ୍ତି । ଏଥିସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ଲାଭ କରିଛି । ଅକ୍ଟୋବର ୨୧ ତାରିଖରେ ସମଗ୍ର ଦେଶରେ କୋଭିଡ ଟିକାକରଣ ୧୦୦ କୋଟି ଟପିଥିବାବେଳେ ଓଡ଼ିଶାରେ ଏହିଦିନ ରାଜ୍ୟବାସୀଙ୍କର ଟିକାକରଣ ୩.୫ କୋଟିକୁ ଅତିକ୍ରମ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବରେ ଟଳିନାହିଁ । ସେଥିପାଇଁ ରାଜ୍ୟବାସୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଆଦି କୋଭିଡ କଟକଣା ପୂର୍ଣ୍ଣତଃ ପାଳନ କରିବା ନିତାନ୍ତ ଜରୁରୀ ।

Comments are closed.