ଏଥର ବି ବାଦ୍‌ ପଡ଼ିଲା ଓଡ଼ିଶା  ,ନୂଆଦିଲ୍ଲୀରେ ଗଡ଼ିବନି ପ୍ରଜ୍ଞାପନ ମେଢ଼

0

ଭୁବନେଶ୍ବର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର ଜନପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ ନାହିଁ। ଏଥର ଓଡ଼ିଶାରୁ ଯାଇଥିବା ଚାରିଟି ଥିମ୍‌ର ଡିଜାଇନ୍‌ ମନୋନୟନ କମିଟି ସଦସ୍ୟଙ୍କ ମନ ଜିଣିପାରି ନାହିଁ। ଚଳିତ ମାସ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ୟ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ପ୍ରତିରକ୍ଷା ବିଭାଗର ବିଚାରକମଣ୍ଡଳୀ ଶେଷ ଡିଜାଇନ୍‌କୁ ଖାରଜ କରି ଦେଇଥିଲେ। ଅନୁରୂପ ଭାବେ ଗତବର୍ଷ ଓଡ଼ିଶା ମେଢ଼ ଡିଜାଇନ୍ ଶେଷ ମୁହୂର୍ତ୍ତରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ବାଦ୍ ପଡ଼ିଥିଲା।
ସୂଚନା ଅନୁସାରେ ୨୦୧୯ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ୍ ହେବା ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଚାରିଟି ଥିମ୍‌କୁ ନେଇ ଡିଜାଇନ୍ ଦାଖଲ କରାଯାଇଥିଲା। ଦକ୍ଷତା ବିକାଶ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଦକ୍ଷତା ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମର ଥିମ୍‌କୁ ନେଇ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। ସେହିପରି ରାଜ୍ୟର ତିନିଜଣ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ୍ ମଧ୍ୟ ମନୋନୟନ କମିଟିକୁ ପଠାଯାଇଥିଲା। ଏଥିମଧ୍ୟରୁ ଗାନ୍ଧିଜୀ ଏବଂ ଓଡ଼ିଶା ଥିମ୍‌କୁ ନେଇ ୨ ଶିଳ୍ପୀ ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ଅନ୍ୟ ଜଣେ ହକି ବିଶ୍ବକପ୍ ଥିମ୍‌କୁ ନେଇ ଡିଜାଇନ୍ ପ୍ରସ୍ତୁତ କରିଥିଲେ। ସବୁଥର ଭଳି ଏଥର ମଧ୍ୟ ପ୍ରତିରକ୍ଷା ବିଭାଗର ୧୬ ଜଣିଆ ମନୋନୟନ କମିଟି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ଡିଜାଇନ୍‌ର ମୂଲ୍ୟାୟନ କରିଥିଲେ। ତେବେ ପ୍ରଥମ ରାଉଣ୍ଡରେ ଓଡ଼ିଶାର ତିନି କଳାକାରଙ୍କ ଡିଜାଇନ୍‌ ବାଦ୍‌ ପଡ଼ିଥିବା ବେଳେ ଦକ୍ଷତା ବିକାଶ ବିଭାଗର ଡିଜାଇନ୍ ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଚଳିତ ମାସ ୮ ତାରିଖରେ ଅନୁଷ୍ଠିତ ମନୋନୟନ କମିଟିର ଦ୍ବିତୀୟ ରାଉଣ୍ଡ ବୈଠକରେ ଏହି ଡିଜାଇନ୍‌କୁ ବାଦ୍‌ ଦିଆଯାଇଥିଲା। ଫଳରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର ଜନପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ଆଶାରେ ଯବନିକା ପଡ଼ିଛି। ତେବେ ଚଳିତ ବର୍ଷ ମନୋନୟନ ପ୍ରକ୍ରିୟାକୁ ନେଇ କିଛି ଶିଳ୍ପୀ ଶିଳ୍ପୀ ଆପତ୍ତି ଉଠାଇଛନ୍ତି। ଚଳିତ ବର୍ଷ ଡିଜାଇନ୍ ପ୍ରସ୍ତୁତ କରିଥିବା ଜଣେ ପ୍ରମୁଖ ଶିଳ୍ପୀ କହିଛନ୍ତି ଯେ ଅଗଷ୍ଟ ମାସରୁ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇ ଡିସେମ୍ବର ବେଳକୁ ଅନ୍ୟୂନ ୬/୭ ଥର ବୈଠକ ବସିଥାଏ। ଚଳିତ ବର୍ଷ ନୂତନ ମନୋନୟନ କମିଟି ମାତ୍ର ଦୁଇଥର ବୈଠକ ଡକାଇ ବିଭିନ୍ନ ଡିଜାଇନ୍ ଉପରେ ଆଲୋଚନା କରିଥିଲେ। ଅଧିକଥର ବୈଠକ ହୋଇଥିଲେ ନିର୍ଦିଷ୍ଟ ଥିମ୍‌ର ଡିଜାଇନ୍ ସମ୍ପର୍କରେ ସେମାନଙ୍କୁ ଭଲଭାବେ ଅବଗତ କରାଯାଇ ପାରିଥାନ୍ତା। ହୁଏତ ଓଡ଼ିଶାର ଚାରିଟି ଡିଜାଇନ୍‌ରୁ ଗୋଟିଏ ଡିଜାଇନ୍ ଏହି ସମ୍ମାନଜନକ ପରେଡ୍‌ରେ ସ୍ଥାନ ପାଇ ପାରିଥାନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୭ ସାଧାରଣତନ୍ତ୍ର ଦିବସରେ ଓଡ଼ିଆ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ବାରା ବୋଇତ ବନ୍ଦାଣ ଥିମ୍‌କୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଥିବାବେଳେ ୨୦୧୬ରେ ଦୋଳ ମେଳଣ ଥିମ୍‌କୁ ନେଇ ପ୍ରସ୍ତୁତ ମେଢ଼ ଗଡ଼ିବା ସହ ଓଡ଼ିଶାର ଗୌରବ ବଜାୟ ରଖିଥିଲା।

Leave A Reply