ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ, ଜର୍ସି ଓ ମାସ୍କଟ

ଭୁବନେଶ୍ବର: ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ ହୋଇଛି। ସୋମବାର ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିୟମରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡାର ଲୋଗୋ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଥମ ଖେଲୋ ଇଣ୍ଡିଆର ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରଥମ ଖେଲୋ ଇଣ୍ଡିଆର ମାସ୍କଟ ‘ଜୟ-ବିଜୟ’ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।

ଆସନ୍ତା ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ  ରମେଶ ପୋଖରିଆଲ, ଓଡିଶାର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏବଂ ସାଂସଦ ତଥା କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅତ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

କିଟ୍ ବିଶ୍ୱବିଦ୍ୟାଳୟରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ୧୮ଟି ଇଭେଣ୍ଟ ପାଇଁ ସାରା ଦେଶରୁ ୮ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଯେଉଁଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀ ମଧ୍ୟ ସାମିଲ ହେବେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିଜ୍ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ । ଉଭୟ ପୁରୁଷ ମହିଳା ବର୍ଗରେ ତୀରନ୍ଦାଜୀ, ଦୌଡ଼କୁଦ, ବକ୍ସିଂ, ଫେନସିଂ, ଜୁଡ଼ୋ, ସନ୍ତରଣ, ଭାରୋତ୍ତୋଳନ, କୁସ୍ତି, ବ୍ୟାଡ଼ମିଣ୍ଟନ, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ ଟେନିସ ଓ ଭଲିବଲ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତି ଇଭେଣ୍ଟରେ ଦେଶର ଶ୍ରେଷ୍ଠ ୮ ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ।

 

Comments are closed.