କାର୍ଯ୍ୟକର୍ତ୍ତା ବୈଠକରେ ଶାହଙ୍କ ମନ୍ତ୍ର ; କଠିନ ପରିଶ୍ରମ କର, ଯେମିତି ଦୁଇରୁ ଏକରେ ପହଞ୍ଚିବା

ସରକାର ଓ ଦଳ ଭିନ୍ନ

ଭୁବନେଶ୍ବର : ରାଜ୍ୟରେ ଥିବା ୩୭ହଜାର ବୁଥକୁ ମଝବୁତ୍ କରିବାକୁ ପଡିବ। ଯେଉଁଠି ବିଜେପିର ଦୁର୍ବଳ ସ୍ଥିତି ରହିଛି ସେଠାରେ ସଙ୍ଗଠନକୁ ସୁଦୃଢ଼ କରାଯିବ। ଏଥିପାଇଁ ଆମକୁ ଆଉ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡିବ। ଅକ୍ଲାନ୍ତ ପରିଶ୍ରମ କଲେ ହିଁ ୨୦୨୪ରେ ଓଡ଼ିଶାରେ ଦୁଇରୁ ଏକ ନମ୍ବରକୁ ଆସି ପାରିବା ବୋଲି ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କାର୍ଯ୍ୟକର୍ତ୍ତା ବୈଠକରେ କର୍ମୀମାନଙ୍କୁ ଆଶ୍ବାସନା ଦେଇଛନ୍ତି।
ଶ୍ରୀ ଶାହା କହିଛନ୍ତି ଯେ ଓଡ଼ିଶାରେ ଏବେ ୨୩ ହଜାର ବୁଥକୁ ବିଜେପି ଖାତାକୁ ଆଣିବାକୁ ପଡ଼ିବ। ଓଡ଼ିଶା ହେଉଛି ପ୍ରକୃଷ୍ଟ କ୍ଷେତ୍ର ଯେଉଁଠାରେ ବିଜେପିର ମୂଳ ବିଚାରାଧାରାକୁ ନେଇ କାର୍ଯ୍ୟକାରୀ କରିହେବ। ଦଳୀୟ କର୍ମକର୍ତ୍ତା ଯଦି ଏକ ମନ ଓ ଏକ ପ୍ରାଣ ନେଇ କାର୍ଯ୍ୟ କରିବେ ତେବେ ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି ସରକାର ଗଢ଼ି ପାରିବ। ଓଡ଼ିଶାରେ ଖଣିଜ ସମ୍ପଦ ଭରି ରହିଛି। ବିକାଶ ପାଇଁ ଏଠାରେ ବେଶି କିଛି କରିବାକୁ ପଡିବ ନାହିଁ, ବିକାଶ ସ୍ବତଃ ହେବ। ସାମଗ୍ରିକ ବିକାଶରେ ହିଁ ଦେଶର ପ୍ରଗତି ହୋଇପାରିବ। ତେବେ ସରକାରୀ କାର୍ଯ୍ୟ ବେଳେ ଦଳର କୌଣସି ପ୍ରାସଙ୍ଗିକତା ନାହିଁ। ବିକାଶ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରିବାକୁ ପଡିବ ବୋଲି ଶ୍ରୀ ଶାହା କହିଛନ୍ତି।
ଶ୍ରୀ ଶାହା କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ଫୁଲତୋଡା, ଫୁଲଗୁଚ୍ଛ କିମ୍ବା ବାଜା ବାଣରେ ବିଶ୍ବାସ ନରଖି ଦଳର ସଙ୍ଗଠନକୁ ମଝବୁତ୍ କରିବା ଦିଗରେ ମନ ଦିଅ। ଆଗାମୀ ଦିନରେ ଦଳ କିଭଳି ଅଧିକ ସୁଦୃଢ଼ ହେବ ସେନେଇ ଶ୍ରୀ ଶାହା ବୁଥସ୍ତରକୁ ଫୋକସ କରିବାକୁ ସବୁ ସାଂସଦ, ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲା ସଭାପତିମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ,ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.