ଲକ୍‌ଡାଉନ ଯୋଗୁଁ ବାୟୁମଣ୍ଡଳ ହୋଇଛି ସ୍ବଚ୍ଛ ; ଭୁବନେଶ୍ବର ଓ ବ୍ରହ୍ମପୁରରେ ପ୍ରଦୂଷଣ ମାତ୍ରା ୬୦ ଭାଗ ହ୍ରାସ

ଭୁବନେଶ୍ବର:କରୋନା ମହାମାରୀ ପାଇଁ ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ବର ରାଜପଥ ଏବେ ଏକପ୍ରକାର ନିରବି ଯାଇଛି। ପ୍ରାୟ ୪୦ଦିନ ଧରି ଯାନବାହନର ଧୂଆଁ ଓ ଶବ୍ଦ ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଲୋକାରଣ୍ୟକୁ ସାମାଜିକ ଦୂରତା ବାନ୍ଧି ରଖିଛି। ଏହା ସାଙ୍ଗକୁ ଶିଳ୍ପର ନିରବତା ସ୍ମାର୍ଟସିଟିର ବାୟୁମଣ୍ଡଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏଠାକାର ବାୟୁମଣ୍ଡଳୀୟ ପ୍ରଦୂଷଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏପରିକି ପ୍ରଦୂଷଣ ହ୍ରାସ ଦିଗରେ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ବହୁ ପଛରେ ପକାଇଦେଇଛି ସ୍ମାର୍ଟସିଟି। ଇତିମଧ୍ୟରେ ଏଠାରେ ପ୍ରଦୂଷଣସ୍ତର ୬୦ ପ୍ରତିଶତ କମି ଯ ାଇଛି। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି ଦର୍ଶାଇ ପରିବେଶବିତମାନେ ଖୁସି ବ୍ୟକ୍ତ କରୁଛନ୍ତି। ତେବେ ରାଜଧାନୀ ଇତିହାସରେ ଏଭଳି ଏକ ପରିସ୍ଥିତି ସମ୍ଭବ ହୋଇଛି କେବଳ କରୋନା ମହାମାରୀ କାରଣରୁ। ଲକଡାଉନ ସମୟରେ ଲକ୍ଷାଧିକ ସଂଖ୍ୟାର ଯାନବାହନ ଚଳାଚଳ ଓ ଧୂଆଁ ନିର୍ଗତକାରୀ କଳକାରଖାନା ବନ୍ଦ ରହିବା ଯୋଗୁଁ ବାୟୁମଣ୍ଡଳରେ ଘୋଟି ଯାଇଥିବା କଳାବାଦଲ ଉପରୁ ଧୀରେଧୀରେ ଆସ୍ତରଣ ହଟି ନିର୍ମଳ ହେବାରେ ଲାଗିଛି। ଆଜିର ଏହି ପରିସ୍ଥିତି ମାନବ ଜାତି ପାଇଁ ଆହ୍ବାନ ପାଲଟିଥିବାବେଳେ ଜୀବଜଗତ ପାଇଁ ବରଦାନ ସାଜିଛି ବୋଲି ପରିବେଶବିତ ମତ ପ୍ରକାଶ କରୁଛନ୍ତି।

ଏ ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସି)ର ମାନଙ୍କ ଅନୁସାରେ ମାର୍ଚ୍ଚ ୨୨ରେ ଲକଡାଉନ ଲାଗୁ ହେବାର ପୂର୍ବଦିନ ଭୁବନେଶ୍ବରରେ ବାୟୁମଣ୍ଡଳୀୟ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ କରାଯାଇଥିଲା। ଯାହାକି ମାର୍ଚ୍ଚ ୩୧ ସୁଦ୍ଧା ୪୧ ପିଏମ-୧୦ କୁ ଖସିଆସିଛି। ଏହି ସମୟ ମଧ୍ୟରେ ପ୍ରଦୂଷଣସ୍ତର ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା କଟକରେ ୯୫ ପିଏମ-୧୦ ରୁ ୬୧ ପିଏମ-୧୦, ରାଉରକେଲାରେ ୧୦୬ ପିଏମ-୧୦ ରୁ ୬୬ ପିଏମ-୧୦, ଅନୁଗୋଳରେ ୭୯ ପିଏମ-୧୦ ରୁ ୫୬ ପିଏମ–୧୦, ତାଳଚେରରେ ୧୦୫ ପିଏମ-୧୦ ରୁ ୭୮ ପିଏମ-୧୦, କଳିଙ୍ଗନଗରରେ୯୮ ପିଏମ-୧୦ ରୁ ୬୨ ପିଏମ-୧୦ ଏବଂ ବାଲେଶ୍ବରରେ ୮୫ ପିଏମ-୧୦ ରୁ ୮୦ ପିଏମ-୧୦ କୁ ହ୍ରାସ ପାଇଛି।

ସେହିଭଳି ଏହି ସମୟ ଭିତରେ ବାୟୁମଣ୍ଡଳୀୟ ପ୍ରଦୂଷଣ ହ୍ରାସରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଅନ୍ୟ ସହରଗୁଡିକ ମଧ୍ୟରେ ରହିଛି ଝାରସୁଗୁଡା, ପାରାଦ୍ବୀପ, ସମ୍ବଲପୁର , କେନ୍ଦୁଝର , ରାୟଗଡା, ରାଜଗାଙ୍ଗପୁର ଏବଂ ବ୍ରହ୍ମପୁର )। ତେବେ ସବୁଠାରୁ ବଡ଼କଥା ହେଲା ବାଲେଶ୍ବର ଜିଲାରେ କରୋନା ପାଇଁ ବାୟୁମଣ୍ଡଳରେ ବିଶେଷ କିଛି ଫରକ ପଡ଼ିଲା ଭଳି ମନେ ହେଉନାହିଁ। ଏହି ସହରରେ ମାତ୍ର ୫ ପ୍ରତିଶତ ପ୍ରଦୂଷଣ ହାର କମିଥିବା ବୋର୍ଡ ପକ୍ଷରୁ ରେକର୍ଡ କରାଯାଇଛି।

ସୂଚନା ଅନୁସାରେ , ଭୁବନେଶ୍ବର ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ପରିମାଣ ଚିହ୍ନଟ ହେବା ଭଳି ସ୍ତରରୁ ତଳକୁ ଖସିଆସିଛି। ଅନ୍ୟ ସହରଗୁଡିକରେ ମଧ୍ୟ ଏହି ଗ୍ୟାସ ପରିମାଣରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି। ଏହା କେବଳ ଭୁବନେଶ୍ବର ଅଥବା ଓଡ଼ିଶାର ଚିତ୍ର ନୁହେଁ, ବରଂ ସମଗ୍ର ଦେଶର ବାୟୁମଣ୍ଡଳ ଏହିଭଳି ନିର୍ମଳ ହେବାରେ ଲାଗିଛି।

ଏସମ୍ପର୍କରେ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ ରାଜଧାନୀରେ ପ୍ରତିଦିନ ଲକ୍ଷାଧିକ ଯାନବାହାନ ଚଳାଚଳ କରିବା ଯୋଗୁଁ ଏହାର ହଳଦିଆ ଜୋନକୁ ଚାଲି ଯାଇଥିଲା। ମାତ୍ର ଲକ୍ ଡାଉନ ଯୋଗୁଁ କେବଳ ଭୁବନେଶ୍ବର ଓ ବ୍ରହ୍ମପୁର ନୁହେଁ ରାଜ୍ୟର ପ୍ରାୟ ସହରରେ ପ୍ରଦୂଷଣ ହାର କମିଛି। ତେବେ ବାଲେଶ୍ବରରେ କାହିଁକି ତାରତମ୍ୟ ରହିଛି ତା’ର ଅନୁଧ୍ୟାନ କରାଯାଉଛି। ସେଠାରେ ଜାମସେଦପୁର କିମ୍ବା ପଶ୍ଚିମବଙ୍ଗ ଲିଙ୍କ ପାଇଁ ପ୍ରଦୂଷଣ ହାରରେ ଫରକ ଆସିଥିବା ଅନୁମାନ କରାଯାଉଛି।

Comments are closed.