ଶିଳାନ୍ୟାସରେ ଅଟକିଛି ଓଡ଼ିଆ ବିଶ୍ବବିଦ୍ୟାଳୟ

ପୁରୀ: ଶିଳାନ୍ୟାସରେ ଅଟକିଛି ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା। ଏଥିପାଇଁ ବର୍ଷେତଳୁ ଜମି କିଣାଯାଇଥିଲେ ମଧ୍ୟ ଆରମ୍ଭ ହେଉନି ନିର୍ମାଣ କାର୍ଯ୍ୟ। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରବତା ସାଧାରଣରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ବିଶ୍ବବିଦ୍ୟାଳୟ ପ୍ରକଳ୍ପରୁ ଐତିହ୍ୟ ବକୁଳବନକୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୁଇବର୍ଷ ବିତିଗଲା ପଛେ ନିର୍ମାଣ ଶେଷହେବା ତ ପରକଥା ଏପର୍ଯ୍ୟନ୍ତ ଇଟାଖଣ୍ଡେ ପଡିପାରି ନାହିଁ। ଏକ ବୈଷୟିକ ସଂସ୍ଥା ଦ୍ବାରା ପ୍ରସ୍ତୁତ ବିଶ୍ବବିଦ୍ୟାଳୟ ଡିଜାଇନ୍‌ ଏବଂ ପ୍ରକଳ୍ପ ରିପୋର୍ଟ ପ୍ରଶାସନର ନାଲିଫିତା ତଳେ ଚାପିହେ​‌ାଇ ରହିଯାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ର ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ଏକ ସଂକଳ୍ପ ନା ପ୍ରବଞ୍ଚନା ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର ୧୦ତାରିଖରେ ସତ୍ୟବାଦୀ ଶ୍ରୀଗୋପୀନାଥ ଦେବ ଟ୍ରଷ୍ଟବୋର୍ଡଠାରୁ ୯ଏକର ୬୦ ଡେସିମିଲ ଜମି କ୍ରୟ କରିଥିଲେ। ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକ୍ରିପତ୍ର ସମ୍ପନ୍ନ ହୋଇଥିଲା। ଜମି ମୂଲ୍ୟ ବାବଦକୁ ୧୧କୋଟି ୩୩ଲକ୍ଷ ୫୮ହଜାର ଟଙ୍କା ଗୋପୀନାଥ ଦେବଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କ ପକ୍ଷରୁ ଜମା କରାଯାଇଥିଲା। ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଜମି ହସ୍ତାନ୍ତର କରିଥିଲେ। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ରାଜସ୍ବ ମୌଜାର ଖାତା ୧୦୦ରେ ଥିବା ୧୧ଟି ପ୍ଲଟ ବିଶ୍ବବିଦ୍ୟାଳୟ ପାଇଁ କିଣାଯାଇଛି। ଖୁବ୍‌ଶୀଘ୍ର ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତାହା କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି। ଶିଳାନ୍ୟାସକୁ ୨ବର୍ଷ ଏବଂ ଜମି କିଣିବାର ବର୍ଷେ ପୂର୍ତ୍ତି ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବିଶ୍ବବିଦ୍ୟାଳୟ ପାଇଁ ବକୁଳବନ ସମେତ ତାହାକୁ ଲାଗି ରହିଥିବା ୨୮ ଏକର ୭୪ ଡେସିମିଲ ଜମି କିଣିବାକୁ ସରକାର ସ୍ଥିର କରିଥିଲେ। ଜମି ବିକ୍ରି ପାଇଁ ରାଜ୍ୟ ଦେବୋତ୍ତର କମିଶନର ୨୦୧୮ ଅକ୍ଟୋବର ୬ତାରିଖରେ ଗୋପୀନାଥ ଦେବ ଏଣ୍ଡାଓମେଣ୍ଟ ଟ୍ରଷ୍ଟବୋର୍ଡକୁ ଅନୁମତି ଦେଇଥିଲେ। ବିଶ୍ବବିଦ୍ୟାଳୟ ପ୍ରକଳ୍ପ ଭିତରେ ବକୁଳବନ ପୁନରୁଦ୍ଧାର ପ୍ରସ୍ତାବ ରହିଥିଲା। ତେବେ ଅର୍ଥାଭାବ ଯୋଗୁଁ ୨୮ଏକର ଜମି ପରିବର୍ତ୍ତେ ଗତବର୍ଷ ସରକାର ମାତ୍ର ୯ଏକର ୬୦ ଡେସିମିଲ ଜମି କ୍ରୟ କରିଥିଲେ। ବିଶ୍ବବିଦ୍ୟାଳୟ ପ୍ରକଳ୍ପରୁ ୧୯ଏକର ୧୪ଡେସିମିଲ ଜମି ବାଦ୍‌ ଦିଆଯାଇଛି। ସେଥିରେ ବକୁଳବନ ରହିଛି।

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀଙ୍କୁ ସ୍ବତନ୍ତ୍ର ପଦାଧିକାରୀ ଭାବେ ସରକାର ନିଯୁକ୍ତି ଦେଇଥିଲେ। ଜମି କିଣିବା ପରଠାରୁ ରାଜ୍ୟ ସରକାର ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ କଥା ଭୁଲିଯାଇଥିବା ପରି ମନେହେଉଛି। ବିଶ୍ବବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହାର ନିର୍ଦିଷ୍ଟ ଉତ୍ତର ରାଜ୍ୟ ସଂସ୍କୃତି କିମ୍ବା ଉଚ୍ଚଶିକ୍ଷା ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂହଙ୍କ ମତାମତ ସଂଗ୍ରହ ପାଇଁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ।

Comments are closed.