ସଂଗିନ ସ୍ଥିତିରେ ସୁରତ ଓଡ଼ିଆ- ହାତ ଟେକିଦେଲା ସୂତାକଳ ମାଲିକ ସଂଘ

ବ୍ରହ୍ମପୁର: ଲକଡାଉନରେ ରହିଥିବା ସୁରତ ଓଡ଼ିଆଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ବାସ ଓ ଅର୍ଥ ସଂକଟ ସାଙ୍ଗକୁ ଖାଦ୍ୟାଭାବ ସମସ୍ୟାରେ ଛନ୍ଦି ହୋଇ ଆଉଟୁପାଉଟୁ ହେଉଛନ୍ତି ସୁରତରେ ରହିଥିବା ଓଡ଼ିଆଶ୍ରମିକ। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ସବୁସ୍ତରରେ ଉଦ୍ୟମ ହେଉଥିଲେ ହେଁ ତାହା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁନି। କେଉଁଠି ଦିନକୁ ଥରେ ଦୁଇପଟ ରୁଟି ଓ ତରକାରୀ ତ ଆଉ କେଉଁଠି ଦିନକୁ ଓଳିଏ କେବଳ ଖେଚଡି ଯୋଗାଣ ହେଉଛି।

ଏଭଳି ସ୍ଥିତିରେ ଓଡ଼ିଆ ଶ୍ରମିକଙ୍କୁ ସମ୍ଭାଳିବାରେ ଅସାମର୍ଥ୍ୟତା ପ୍ରକାଶ କରିଛନ୍ତି କେତେକ ସୂତାକଳ ମାଲିକ। ସଚିନସ୍ଥିତ ଜିଆଇଡିସି ମାଲିକ ସଂଘ ସଭାପତି ରମାବେନ ମହେନ୍ଦ୍ରଭାଇ ରାମୋଲିୟା ଓ ଅଞ୍ଜନୀ ଇଣ୍ଡଷ୍ଟ୍ରିଆଲର ମାଲିକ ସଂଘର ସଭାପତି ବିଜୟ ମାଙ୍ଗୁକିୟା ପତ୍ର ଜରିଆରେ ସୁରତ ଜିଲାପାଳଙ୍କୁ ଅବଗତ କରି ତୁରନ୍ତ ଶ୍ରମିକମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବାକୁ ବ୍ୟବସ୍ଥା କରିବା ନିମନ୍ତେ ନିବେଦନ କରିଛନ୍ତି। ​‌ସଂକୀର୍ଣ୍ଣ କୋଠରୀରେ ୧୫ଜଣ ଶ୍ରମିକ ଖୁନ୍ଦାଖୁନ୍ଦି ହୋଇ ରହିବା ବର୍ତ୍ତମାନ ସ୍ଥିତିରେ ଠିକ ହେଉନି। ଶ୍ରମିକମାନେ ଦିନକୁ ଦିନ ମାନସିକ ଭାରସାମ୍ୟ ହରାଇ ବସୁଥିବାରୁ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବାକୁ ଯେତେଶୀଘ୍ର ସମ୍ଭବ ବ୍ୟବସ୍ଥା କରିବା ନିମନ୍ତେ ଉପରୋକ୍ତ ଦୁଇ ସଭାପତି ଜିଲାପାଳଙ୍କୁ ପତ୍ର ଜରିଆରେ ଜଣାଇଥିବା ସୁରତସ୍ଥିତ ଶ୍ରମିକ ସେବା ସଂଘର ସଭାପତି ଡ.ପୀତାମ୍ବର ପ୍ରଧାନ ‘ସମାଜ’କୁ ଫୋନରେ ଜଣାଇଛନ୍ତି। ସେଠାକାର ମାଲିକମାନେ ଓଡ଼ିଆ ଶ୍ରମିକଙ୍କୁ ସଂଗରୋଧରେ ରଖିବାରେ ବ୍ୟର୍ଥ ହୋଇଥିବାରୁ ଓଡ଼ିଶା ସରକାର ଏ ଦିଗରେ କିଛି ପଦକ୍ଷେପ ନେବାକୁ ଡ.ପ୍ରଧାନ ନିବେଦନ କରିଛନ୍ତି।

ସୁରତ ଲସକଣାସ୍ଥିତ ଡାଏମଣ୍ଡ ନଗରର ବିଭିନ୍ନ ସ୍ଥାନରେ ରହୁଥିବା ହଜାର ହଜାର ଓଡ଼ିଆ ଦୟନୀୟ ସ୍ଥିତିରେ ରହିଛନ୍ତି। ବିନା ଖାଦ୍ୟରେ ଓଡ଼ିଆମାନେ ରହିଛନ୍ତି। ସୂତାକଳ ମାଲିକ କିମ୍ବା ସରକାରୀ ସ୍ତରରେ ଏହି ନଗରରେ ସେଭଳି କିଛି ବ୍ୟବସ୍ଥା କରାଯାଇନଥିବା ସୂଚନା ମିଳିଛି। ଉଲପାଡ, ବରାସା, ଲିମ୍ବାୟତ ଆଦି ବଜାରରେ ଶହଶହ ଶ୍ରମିକ ଘୁରି ବୁଲୁଛନ୍ତି। ସେଠାରେ ମାସ୍କ ନାହିଁ କି ସାମାଜିକ ଦୂରତା ଅବଲମ୍ବନ କରାଯାଉନି। ପାଣ୍ଡେଶ୍ବରରେ ରହୁଥିବା ଓଡ଼ିଆମାନେ ପୁଣି ଗତକାଲି ରାତିରେ ଖାଦ୍ୟ ଦାବିରେ ହୋ-ହଲ୍ଲା କରିଛନ୍ତି। ବିଭିନ୍ନ ନଗରରେ ରହୁଥିବା ସବୁ ଓଡ଼ିଆଙ୍କ ପଡିକାର୍ଡ ନଥିବାରୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ଫଳରେ କେବଳ ରନ୍ଧାଖାଦ୍ୟ ଉପରେ ସେମାନେ ନିର୍ଭରଶୀଳ ହୋଇପଡିଛନ୍ତି ବୋଲି କହିଛନ୍ତି ଶ୍ରମିକ ସେବା ସଂଘର ସଭାପତି ଡ.ପୀତାମ୍ବର ପ୍ରଧାନ। ସୁରତ ଜଲୱା ଅଞ୍ଚଳରେ ସପରିବାର ରହୁଥିବା ଗଞ୍ଜାମର ଶ୍ରମିକ ସୁଶାନ୍ତ ଗୌଡ ଗତମାସର ଦରମା ପାଇବା ପରେ ଘରକୁ କିଛି ପଠାଇଥିଲେ। ଯାହାକିଛି ଥିଲା ତାହା ଏବେ ସରିଗଲାଣି। ଏଣେ ତାଙ୍କର କୌଣସି ପ୍ରକାର ସରକାରୀ ପଡିକାର୍ଡ ନାହିଁ। ସୁରେନ୍ଦ୍ର ଏବେ ଅସୁସ୍ଥ ହୋଇପଡିଛନ୍ତି। ପତ୍ନୀ ଏବଂ ଏକମାତ୍ର ଛୁଆକୁ ରନ୍ଧାଖାଦ୍ୟ ଦେବା ତାଙ୍କ ପକ୍ଷେ ଅସମ୍ଭବ ହୋଇଛି। ଧାଡିରେ ଘଣ୍ଟା ଘଣ୍ଟା ଛିଡା ହୋଇ ଅସୁସ୍ଥ ଶରୀରରେ ପତ୍ନୀ ଓ ଛୁଆ ପାଇଁ ଖାଦ୍ୟ ସଂଗ୍ରହ କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଭାତହାଣ୍ଡିରୁ ଗୋଟିଏ ଭଳି ସୁଶାନ୍ତଙ୍କ ଭଳି ଶହଶହ ଓଡ଼ିଆ ପରିବାର ଦୟନୀୟ ସ୍ଥିତିରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ସୁରତରେ ଶ୍ରମିକଙ୍କ ପାଇଁ କାମ କରୁଥିବା ସମାଜସେବୀ ନିରଞ୍ଜନ ମହାପାତ୍ର

Comments are closed.