‘ନାସା’ ରୋଭର ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଓଡ଼ିଶାର ଛାତ୍ରଛାତ୍ରୀ

ନେତୃତ୍ବ ନେଇଥିଲେ ୪୨ମୌଜା ଯୁବ ବୈଜ୍ଞାନିକ ଅନିଲ

କଟକ : ସୁଦୂର ଆମେରିକାର ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ‘ନାସା’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ହ୍ୟୁମାନ ଏକ୍ସପ୍ଲୋରେସନ୍‌ ରୋଭର-୨୦୨୧’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ। ନାସା ପାଇଁ ରୋଭର ପ୍ରସ୍ତୁତ କରିଥିବା ଏହି ୧୦ ଜଣିଆ ‘ନାପସାଟ୍‌ ଇଣ୍ଡିଆ’ ଟିମ୍‌କୁ ‘ନାସା’ ପକ୍ଷରୁ ସମ୍ମାନଜନକ ପୁରସ୍କାର ମିଳିଛି। ଭାରତର ପ୍ରଥମ ହାଇସ୍କୁଲ ଟିମ୍‌ ଭାବେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ସାରା ବିଶ୍ବର ୮୭ଟି ଟିମ୍‌କୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ନାପସାଟ୍ ଟିମ୍‌ ତୃତୀୟ ସ୍ଥାନ ହାସଲ କରିଛି।
ଏହି ଛାତ୍ରଛାତ୍ରୀ ନାସା ପାଇଁ ରୋଭର ପ୍ରସ୍ତୁତ କରିଥିଲେ। କଟକ ୪୨-ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଥିବା ଏକ ରୋଭର ପ୍ରକଳ୍ପକୁ ସେ ‘ନାସା’କୁ ପଠାଇଥିଲେ। ‘ନାସା’ ପକ୍ଷରୁ ତାଙ୍କ ପ୍ରକଳ୍ପଟିକୁ ମନୋନୀତ କରାଯିବା ସହିତ ଟିମ୍‌ର ପ୍ରକଳ୍ପ ତୃତୀୟ ସ୍ଥାନ ହାସଲ କରିଛି। ନାପ୍‌ସାଟ୍‌ ଟିମ୍‌ ଏହି ପ୍ରତିଯୋଗିତାରେ ଅନ୍‌ଲାଇନ୍‌ ମାଧ୍ୟମରେ ଭାଗ ନେଇଥିଲା। ରୋଭର ପ୍ରସ୍ତୁତି ପାଇଁ ୮ ମାସ ଲାଗିଥିଲା। ଅକ୍ଳାନ୍ତ ପରିଶ୍ରମ ପରେ ‘ନାପସାଟ’ ନାମକ ଏହି ରୋଭର ଶେଷରେ ପ୍ରସ୍ତୁତ ହୋଇଥିଲା। ଯୁବ ବୈଜ୍ଞାନିକ ଅନିଲଙ୍କ ନେତୃତ୍ବରେ ଓଡ଼ିଶାର ବଛା ବଛା ୧୯ ବର୍ଷରୁ କମ୍‌ ୧୦ ଜଣ ନାସା ପାଇଁ ପ୍ରସ୍ତୁତ ହୋଇଥିବା ଏହି ରୋଭରଟିକୁ ଅନ୍‌ଲାଇନରେ ଉପସ୍ଥାପନ କରିଥିଲେ। ରୋଭର ପ୍ରସ୍ତୁତିରେ ସାଇକଲ, ମୋଟର ସାଇକଲ, ଅଟୋ ଏବଂ କାର୍ ପ୍ରଭୃତି ଯାନର ଯନ୍ତ୍ରାଂଶକୁ ଉପଯୋଗ କରାଯାଇଛି। କରୋନା ପାଇଁ ‘ନାସା’ ଗ୍ରସ୍ତକୁ ବନ୍ଦ ରଖାଯାଇଛି; ତେଣୁ ଅନ୍‌ଲାଇନ ମାଧ୍ୟମରେ ସେମାନେ ଏହି ପ୍ରକଳ୍ପଟିକୁ ଉପସ୍ଥାପନ କରିଥିଲେ। ଟିମ୍‌ର ସଦସ୍ୟମାନେ ମନୋନୀତ ହେବା ପାଇଁ ଦିନରାତି କାମ କରିବା ପରେ ଶେଷରେ ସଫଳତା ହାସଲ କରିଛନ୍ତି।

Comments are closed.