ଓଡ଼ିଆ ବୈଜ୍ଞାନିକ ଉଦ୍ଭାବନ କଲେ ଜୀବାଣୁନାଶକ ସୁଗନ୍ଧିତ ତେଲ

ଭୁବନେଶ୍ବର: କୋଭିଡ୍-୧୯ ଭୂତାଣୁ ପାଇଁ ଟିକା ଉଦ୍ଭାବନରେ ବୈଜ୍ଞାନିକ, ଗବେଷକମାନେ ବ୍ୟସ୍ତ ଥିବାବେଳେ ଭାରତ ସରକାରଙ୍କ ସିଏସ୍‌ଆଇଆର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ ଆଣ୍ଡ ଆରୋମେଟିକ୍ ପ୍ଲାଣ୍ଟ୍ସ (ସିମାପ୍) ପକ୍ଷରୁ ପ୍ରସ୍ତୁତ ହୋଇଛି ଏକ ଅଭିନବ ତରଳ ସଲ୍ୟୁସନ୍ ଅବା ଏସେନ୍‌ସିଆଲ ଅଏଲ୍ (ବାସ୍ନା ତେଲ)। ଯାହା ଦ୍ବାରା ଘର ଭିତରେ ବାତାବରଣକୁ ଜୀବାଣୁ ମୁକ୍ତ କରିବା ସହ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେଉଛି। ଏହାର ଉଦ୍‌ଭାବନ ପଛରେ ରହିଛି ଓଡ଼ିଆ ବୈଜ୍ଞାନିକଙ୍କ ଉଦ୍ୟମ। ସିମାପ୍‌ରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ୟ୍ୟରତ ଡ଼ଃ ଅଜିତ କୁମାର ଶାଶିନୀଙ୍କ ନେତୃତ୍ବରେ ଗବେଷଣାକାରୀ ଦଳ ଏହାର ଉଦ୍‌ଭାବନ କରିଛନ୍ତି। ଯଦିଓ ଏହା କରୋନା ଭୂତାଣୁର ନାସ କରିବା ପାଇଁ ସକ୍ଷମ କି ନୁହେଁ, ସେନେଇ ଏପର୍ୟ୍ୟନ୍ତ ଗବେଷଣା ହୋଇ ନାହିଁ, ତେବେ କରୋନା ରୋଗୀଙ୍କ ଶ୍ବାସକ୍ରିୟା ଯନ୍ତ୍ରଣାମୁକ୍ତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ସମ୍ପୂର୍ଣ୍ଣ ଭାବେ ଆୟୁର୍ବେଦିକ ଜ୍ଞାନକୌଶଳ ଆଧାରରେ ଏହା ପ୍ରସ୍ତୁତ ହୋଇଛି। ଏହାକୁ ଏବେ କିଛି କୋଭିଡ୍-୧୯ ହସ୍ପିଟାଲରେ ବ୍ୟବହାର ଆରମ୍ଭ ହୋଇଛି। ଏହାର ବିଶେଷତ୍ବ ହେଉଛି, ବ୍ୟବହାର ସମୟରେ ସୁଗନ୍ଧିତ ବାତାବରଣ ସହ କୀଟାଣୁନାଶକ, ଆଲର୍ଜି ବିହୀନ ଏବଂ ଫୁସ୍‌ଫୁସ୍‌କୁ ଚାପମୁକ୍ତ କରିଥାଏ।

ଡ଼ଃ ଶାଶିନୀ କହିଛନ୍ତି, ଅନେକ ଆୟୁର୍ବେଦିକ ତୈଳ ରହିଛି ଯାହା ବିଭିନ୍ନ ରୋଗର ଉପଶମ ପାଇଁ ଆଘ୍ରାଣ କରାଯାଏ ଅବା ଶରୀରରେ ମାଲିସ କରାଯାଇଥାଏ। ତେଣୁ ମହାମାରୀ ବ୍ୟାପିବା ପରିପ୍ରେକ୍ଷୀରେ ଆଣ୍ଟିଭାଇରାଲ ମଲିକ୍ୟୁଲ ଯୁକ୍ତ ବୃକ୍ଷକୁ ନେଇ ଗବେଷଣା ଆରମ୍ଭ କରିଥିଲୁ। ଶେଷରେ ତେଲଯୁକ୍ତ ୫ଟି ପ୍ରଜାତିର ବୃକ୍ଷରୁ ଆଣ୍ଟିଭାଇରାଲ ମଲିକ୍ୟୁଲ୍ ସଂଗ୍ରହ କରିବା ପରେ ଗବେଷଣାଗାରରେ ପରୀକ୍ଷା କରାଯାଇଥିଲା। ୫ଟି ବୃକ୍ଷର ତେଲକୁ ନେଇ ତାହାର ଗୁଣବତ୍ତା ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଏଥିରେ ଭୂତାଣୁ ରୋଧକ ଉପାଦାନ ରହିଛି। ତୁଳସୀ, ମେନ୍ଥା, ରୋଜମ୍ୟାରୀ ଓ ୟୁକାଲିପଟାସ୍ ଗଛର ପତ୍ରକୁ ନେଇ ଏକ ଫର୍ମୁଲେସନ୍ (ତରଳ ସଲ୍ୟୁସନ୍) ପ୍ରସ୍ତୁତ କରି କୋଠରି ମଧ୍ୟରେ ତାହାର ପ୍ରଭାବ ସଫଳତାର ସହ ଯାଞ୍ଚ କରାଯାଇଥିଲା। ଇଣ୍ଟରନ୍ୟାସନାଲ ଫ୍ରାଗରାନ୍ସ ରିସର୍ଚ୍ଚ ଆସୋସିଏସନ୍ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ତେଲର ବ୍ୟବହାର କରାଯାଇଥିଲା। ଡ଼ା ଶାଶିନୀ କହିଛନ୍ତି ଉକ୍ତ ତେଲରେ ବିଶାକ୍ତ ଉପାଦାନ ରହିଛି କି ନାହିଁ, ଶ୍ବାସ ପ୍ରକ୍ରିୟାକୁ ପ୍ରଭାବିତ କରୁଛି କି ନାହିଁ, ତାହା ଯାଞ୍ଚ କରାଯାଇଥିଲା। ପରେ ଏହାକୁ ପଶୁଙ୍କ ଉପରେ ପରୀକ୍ଷା କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ମାନବ ଶରୀର ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ମଶା ଘଉଡ଼ାଇବା ପାଇଁ ଘରେ ବ୍ୟବହାର ହେଉଥିବା ବିଦ୍ୟୁତ ଚାଳିତ ଯନ୍ତ୍ର ଜରିଆରେ ଏହାକୁ ବ୍ୟବହାର କଲେ, ତାହା ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶିଯାଏ। ଫଳରେ ଘର ଭିତରେ କ୍ଷତିକାରକ ଜୀବାଣୁ ନଷ୍ଟ ହେବା ସହ ଏହାକୁ ଆଘ୍ରାଣ କରୁଥିବା ବ୍ୟକ୍ତି ସହଜରେ ଶ୍ବାସକ୍ରିୟା କରିପାରୁଛନ୍ତି। କିଛି ଲୋକଙ୍କୁ ନେଇ ଏହାର ପରୀକ୍ଷା କରାଯିବା ପରେ ସେମାନେ ସକାରାତ୍ମକ ମତାମତ ଦେଇଥିଲେ।
ତେବେ ଉକ୍ତ ସୁଗନ୍ଧିତ ତୈଳ କୋଭିଡ୍-୧୯ ଭୂତାଣୁ ନଷ୍ଟ କରିବା ପାଇଁ ସକ୍ଷମ କି ନୁହେଁ, ତାହା ଜାଣିବା ପାଇଁ ଏପର୍ୟ୍ୟନ୍ତ ଗବେଷଣା ହୋଇନାହିଁ। ଏଥିପାଇଁ ଆମ ଲାବ୍‌ରେ ବ୍ୟବସ୍ଥା ନାହିଁ। ତେବେ ସରକାର ଚାହିଁଲେ ଅଧିକ ପରୀକ୍ଷା ପାଇଁ ଆମେ ପ୍ରସ୍ତାବ ଦେବୁ। ବର୍ତ୍ତମାନ କରୋନା ରୋଗୀ ଚିକିତ୍ସିତ ହେଉଥିବା ଲକ୍ଷ୍ନୌର କିଙ୍ଗ୍ ଜର୍ଜ ମେଡିକାଲ କଲେଜ୍‌ ସମେତ ଆଉ କିଛି ଡ଼ାକ୍ତରଖାନାକୁ ବ୍ୟବହାର ପାଇଁ ଦିଆଯାଇଛି ଏବଂ ସେମାନଙ୍କ ମତାମତକୁ ଆମେ ଅପେକ୍ଷା କରିଛୁ। ସାମ୍ପ୍ରତିକ ପରିସ୍ଥିତିରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.