MEllora 950×100

ଦୁର୍ଦିନରୁ ଉଠିବ ଓଡ଼ିଆ ସିନେ ଶିଳ୍ପ ! ‘ଦମନ’ ପରେ ‘ଖରା’

ବଲାଙ୍ଗିର : ନିଜସ୍ବ କାହାଣୀ ନାହିଁ। ଗୀତରୁ ଆରମ୍ଭ କରି ଦୃଶ୍ୟ ଯାଏ ସବୁ କପି। ଏଭଳି ଅପବାଦ ସବୁବେଳେ ଓଡ଼ିଆ ଫିଲ୍ମ ଶିଳ୍ପକୁ ନେଇ ଓଡ଼ିଆ ସିନେପ୍ରେମୀଙ୍କ ମଧ୍ୟରେ ରହିଥିବାରୁ ଦର୍ଶକ ଓଡ଼ିଆ ସିନେମାରୁ ଦୂରେଇ ଯାଉଥିଲେ। କୋଭିଡ଼ ପରେ ପରେ ମାନ୍ଦାବସ୍ଥା। ଓଡ଼ିଆ ସିନେମା ଦେଖିବା ପାଇଁ ଦର୍ଶକ ସିନେମା ହଲ ଆସୁ ନଥିଲେ। ଏଥିପାଇଁ ପ୍ରଯୋଜକ, ନିର୍ଦେଶକ ତଥା ଅଭିନେତା ଦୋଷ ଲଦାଲଦି ସହ ବିତର୍କ କରୁଥିଲେ; କିନ୍ତୁ ‘ଦମନ’ ମୁକ୍ତିଲାଭ ପରେ ଓଡ଼ିଆ ସିନେ ଜଗତରେ ନୂଆ ଆଶା ସଞ୍ଚାର ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହି ସିନେମା ଖ୍ୟାତି ଅର୍ଜନ କରିଛି। ଭାରତୀୟ ସିନେମା କ୍ଷେତ୍ରରେ ଚର୍ଚ୍ଚା ବଢ଼ାଇ ଦେଇଛି। ସବୁ ରେକର୍ଡ ଭାଙ୍ଗିଥିବା ଏହି ସିନେମା ହିନ୍ଦୀ ଭାଷାରେ ରୂପାନ୍ତରିତ ହେବାକୁ ଯାଉଛି। କିଛି ବର୍ଷ ହେଲା ଟିଟିଲାଗଡ଼ର ଗ୍ରୀଷ୍ମ ପ୍ରବାହକୁ ନେଇ ‘ଖରା’ ସିନେମାର ପରିକଳ୍ପନା କରାଯାଇଥିଲା। ଏହା ସମ୍ପୂର୍ଣ୍ଣ ହୋଇଛି। ଶ୍ରେଷ୍ଠ ଅନ୍ତର୍ଜାତୀୟ ସିନେମା ମହୋତ୍ସବରେ ମନୋନୀତ ହୋଇଥିବା ଜଣାପଡ଼ିଛି।
କୋଭିଡ଼ କଟକଣା ମଧ୍ୟରେ ଓଡ଼ିଆ ସିନେମା ଶିଳ୍ପ ବନ୍ଦ ସ୍ଥିତିକୁ ଆସି ଯାଇଥିଲା। କିଛି କିଛି ସିନେମା ନିର୍ମାଣ କରାଯାଇଥିଲା। କିନ୍ତୁ ଦର୍ଶକ ଦେଖିବାକୁ ଗଲେନାହିଁ। ତେଣୁ ପ୍ରଯୋଜକଠାରୁ ସମସ୍ତେ କ୍ଷତି ସହିଲେ। ମାଲକାନାଗିରି ଜିଲାର ଚିତ୍ରକୋଣ୍ଡୋ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଗାଁରେ ସ୍ବାସ୍ଥ୍ୟସେବା ବେହାଲ ଅବସ୍ଥାକୁ ନେଇ ‘ଦମନ’ର ପରିକଳ୍ପନା କରାଯାଇଥିଲା। ବର୍ତ୍ତମାନ ବଲାଙ୍ଗିର ଜିଲା ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଅବସ୍ଥାପିତ ଡା.ଓମକାର ହୋତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ସିନେମାଟି ନିର୍ମିତ ହୋଇଛି। କିଭଳି ଗାଁ ଗୁଡ଼ିକରେ ଲୋକେ ମେଲେରିଆ, ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ତାହାର ଦୃଶ୍ୟାୟନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ଜରିଆରେ ଲୋକେ ଉପକୃତ ହୋଇଥିବା ଦେଖାଯାଇଛି। ଯାହାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଦମନର ସ୍ବତନ୍ତ୍ର ଦୃଶ୍ୟାୟନ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲାର ଜିଲାପାଳଙ୍କୁ ଦମନ ଦୃଶ୍ୟାୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଚିଠି କରିଛନ୍ତି। ଏହି ସିନେମା ଜରିଆରେ ଓଡ଼ିଆ ସିନେମା ଶିଳ୍ପ ନୂଆ ଦିଗ ପାଇଛି। ଯାହାକୁ ଆଧାର କରି ଅନ୍ୟମାନେ ସିନେମା ପ୍ରଯୋଜନା କରିବାକୁ ଆଗ୍ରହ ଦେଖାଉଛନ୍ତି। ଏହିକ୍ରମରେ ‘ପ୍ରତୀକ୍ଷା’ ନାମକ ଆଉ ଏକ ସିନେମା ଆଗକୁ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।
ରାଜ୍ୟ ତଥା ଜାତୀୟସ୍ତରରେ ଟିଟିଲାଗଡ଼ର ଗ୍ରୀଷ୍ମ ପ୍ରବାହ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଟିଟିଲାଗଡ଼ରେ ତାତି ୫୦ଡିଗ୍ରୀ ଛୁଇଁବା ପରେ ‘ଟିଟିଲାଗଡ଼ ନେଇସେ ଇଟା ତତଲାଗଡ଼ରେ ନନୀ…’ ଗୀତକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଏହି ଗୀତର ଗାୟକ ପଙ୍କଜ ଜାଲ୍ ତତଲାଗଡ଼ର ତାତିକୁ ନେଇ କିଛି ବର୍ଷ ପୂର୍ବେ ‘ଖରା’ ନାମକ ସିନେମା ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ସିନେମାର ପ୍ରଯୋଜକ ଶ୍ରୀ ଜାଲଙ୍କ ପତ୍ନୀ ମାନସୀ ପାଣିଗ୍ରାହୀ ଓ କାହାଣୀ ସହ ନିଜେ ଶ୍ରୀ ଜାଲ୍ ସଙ୍ଗୀତ ଦେଇଛନ୍ତି। ଯୁଗଳ ସାହୁଙ୍କ ନିର୍ଦେଶନାରେ ଡ. ଶ୍ରୀକର ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଲଳିତ ପୂଜାରୀଙ୍କ ସହ ବହୁ ବରିଷ୍ଠ କଳାକାର ଅଭିନୟ କରିଛନ୍ତି। ଏହି ସିନେମାଟି ଅନ୍ତର୍ଜାତୀୟ ସିନେମା ମହୋତ୍ସବର ଶ୍ରେଷ୍ଠ ସିନେମା ତାଲିକାରେ ରହିଥିବା ଜଣାପଡ଼ିଛି। ଏହି ସିନେମାରେ ଖରା ତାତି ସହ ଡହଳ ବିକଳ ହେଉଥିବା ମଣିଷର ଦୁଃଖ ଓ ଦୁର୍ଦ୍ଦଶାକୁ ଚିତ୍ରିତ କରାଯାଇଥିବା ସୂଚନା ମିଳିଛି।

Comments are closed.