ଓଡ଼ିଆକୁ ଗୁରୁତ୍ବ ଦେଉନାହିଁ ଆମାଜନ ପ୍ରାଇମ୍: ରିଲିଜର ୨ ଦିନ ପରେ ହଟିଲା ଓଡ଼ିଆ ସିନେମା

ଆମାଜନ ପ୍ରାଇମ୍ ପ୍ଲାଟଫର୍ମରେ ସିନେମା ଦେଖିବାରେ ଓଡ଼ିଆ ଲୋକମାନେ ଆଦୌ କାର୍ପଣ୍ୟ କରନ୍ତି ନାହିଁ । ମାତ୍ର ଆମାଜନ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେବାକୁ ପ୍ରସ୍ତୁତ ନୁହେଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମାଜନ ପ୍ରାଇମ୍ ପ୍ଲାଟଫର୍ମରେ ବଙ୍ଗାଳୀ, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ, ପଞ୍ଜାବୀ, କନ୍ନଡ, ମାଲାୟଲମ ଏବଂ ଗୁଜରାଟୀ ଭାଷାର ଚଳଚ୍ଚିତ୍ର ରିଲିଜ୍ ହେଉଥିବାବେଳେ ଓଡ଼ିଆ ଫିଲ୍ମ ପ୍ରତି କାହିଁକି ଉଦାସୀନତା ମନୋଭାବ ଆମାଜନ ପୋଷଣ କରୁଛି ତାହାର ଉତ୍ତର କାହା ନିକଟରେ ନାହିଁ । ‘କ୍ଷଣିକା’: ଦ ଲଷ୍ଟ ଆଇଡିଆ ନାମକ ଏକ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ରକୁ ରିଲିଜ କରିବାର ୨ ଦିନ ମଧ୍ୟରେ ହଟାଇ ଦେଇ ଆମାଜନ ଓଡ଼ିଆ ଭାଷା ପ୍ରତି ନିଜର ଉପେକ୍ଷାକୁ ପ୍ରମାଣିତ କରିଛି ।

‘‘କ୍ଷଣିକା- ଦ ଲଷ୍ଟ ଆଇଡିଆ’’ ହେଉଛି ଏକ  କ୍ଷୁଦ୍ର ଚଳଚ୍ଚିତ୍ର। ୯୦ ମିନିଟର ଏହି ସିନେମାରେ ଚୌଧୁରୀ ବିକାଶ ଦାସ,  ଅନୁ ଚୌଧୁରୀ, ସୁଶାନ୍ତ ମିଶ୍ର, ଅମ୍ରିତା ଚୌଧୁରୀ,  ହୃଶିକେଶ ଭୋଇ, ଦ୍ୱିପନ୍ୱିତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭାସ୍ୱତୀ ବସୁ ଅଭିନୟ କରିଛନ୍ତି। ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ। କଳାକାରମାନେ ବେଶ ନିଖୁଣ ଅଭିନୟ କରି ଲୋକଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଛନ୍ତି। ସିନେମାଟି ଅନ୍ତର୍ଜାତୀୟସ୍ତରରେ ମଧ୍ୟ ରିଲିଜ ହେବା ସହିତ ପ୍ରଶଂସା ମଧ୍ୟ ସାଉଁଟି ସାରିଛି। କାନାଡ଼ାରେ ଗତ ଏପ୍ରିଲ ୨୯ ତାରିଖରେ ହିଡେନ ଜେମସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇ ସାରିଛି।

ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦେଶିତ ଏହି କ୍ଷୁଦ୍ର ଫିଲ୍ମଟି ଗତ  ୬ ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା। ମାତ୍ର ରିଲିଜ କରିବାର ଦୁଇଦିନ ଅର୍ଥାତ ୮ ତାରିଖରେ ଆମାଜନ ସିନେମାଟିକୁ ହଟାଇ ଦେଇଥିଲା। ଫଳରେ ସିନେମାଟିର ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା ଅଭିନେତ୍ରୀ ଏଥିରେ ନିରାଶ ହୋଇଥିଲେ । ସିନେମାର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏ ସମ୍ପର୍କରେ ଆମାଜନ ସହ ଯୋଗାଯୋଗ କରିଥିଲେ । ମାତ୍ର ଆମାଜନ ପକ୍ଷରୁ ଯେଉଁ ଉତ୍ତର ମିଳିଥିଲା ତାହା ଥିଲା ସାଂଘାତିକ । ଆମାଜନରେ ଭାରତୀୟ ଭାଷା ମଧ୍ୟରୁ କେବଳ ୯ଟି ବଙ୍ଗାଳୀ, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ, ପଞ୍ଜାବୀ, କନ୍ନଡ, ମାଲାୟଲମ ଏବଂ ଗୁଜରାଟୀ ଭାଷାର ଫିଲ୍ମ ରିଲିଜ୍ କରିବାକୁ ଅନୁମତି ରହିଛି । ଏହି ତାଲିକାରେ ଓଡ଼ିଆ ଭାଷା ନ ଥିବାରୁ ତାହାକୁ ବାଧ୍ୟ ହୋଇ ଏହି ଫିଲ୍ମଟିକୁ ହଟାଇବାକୁ ପଡ଼ିଛି ବୋଲି ଆମାଜନର ଜଣେ ଅଧିକାରୀ ଫିଲ୍ମର ନିର୍ଦେଶକଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି ।

ତେବେ ଏହି ଯୁକ୍ତି ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ସିନେମାର ନିର୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ। ଏ ସମ୍ପର୍କରେ ସେ ପୁଣି ଆମାଜନକୁ ଚିଠି ଲେଖିଥିଲେ । ମାତ୍ର ଉତ୍ତରରେ ଆମାଜନ କହିଥିଲା ଯେ ଆମାଜନ ପ୍ଲାଟଫର୍ମରେ ଯେଉଁ ଭାଷାର ଫିଲ୍ମ ରିଲିଜ କରିବାକୁ ଅନୁମତି ମିଳିଛି ତାହା ମଧ୍ୟରେ ଓଡ଼ିଆ ନାହିଁ । ସିନେମାଟି ଭୁଲବଶତଃ ରିଲିଜ୍ ହୋଇଥିଲା ଓ ବିତରକମାନଙ୍କ ଦ୍ବାରା ଉପଲବ୍ଧ ହୋଇଥିଲା । ତେବେ ବିଡ଼ମ୍ବନା ହେଉଛି ଦେଶର ପ୍ରମୁଖ ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଯେ ଗୋଟିଏ ତାହା ଆମାଜନ ଜାଣିବାର ସୁଯୋଗ ନାହିଁ କିମ୍ବା ଏହାକୁ ଜଣାଇବାର ଆମ ପାଖରେ କୌଣସି ସାଧନ ମଧ୍ୟ ନାହିଁ ।

Comments are closed.