ଓଡିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

0

ପୁରୀ:  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ମଙ୍ଗଳବାର ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ବକୁଳବନରେ ୩୦ ଜିଲାରୁ ଆସିଥିବା ବକୁଳ ବୃକ୍ଷ ରୋପଣ କରିଛନ୍ତି ।  ୧୯୦୯ ରେ ପଞ୍ଚସଖା ସତ୍ୟବାଦୀରେ ବକୁଳ ବନ ବିଦ୍ୟାଳୟ ଗଢ଼ିଥିଲେ । ୧୦୯ ବର୍ଷ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ । ପଞ୍ଚସଖାଙ୍କ କର୍ମଭୂମୀ ବନବିଦ୍ୟାଳୟ ପୁଣି ଚଳଚଞ୍ଚଳ ହୋଇ ଉଠିବ । ଓଡିଆ ଭାଷା, ସାହିତ୍ୟ ସଂସ୍କୃତିର ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହା କାମ କରିବ ।

ପ୍ରକୃତି କୋଳରେ ଶିକ୍ଷାଦାନ ଓ ଅଧ୍ୟୟନ ଭାରତର ଅନ୍ୟତମ ପ୍ରାଚୀନ ଓ ସମୃଦ୍ଧ ପରମ୍ପରା ରୂପେ ବିଶ୍ୱାଦୃତ ହୋଇ ଆସିଛି। ବୈଦିକ ଯୁଗର ମୁନିଋଷିଙ୍କ ଏହି ପରମ୍ପରା ଆଧାରରେ ବିଶ୍ୱକବି ରବୀନ୍ଦ୍ର ନାଥ ଟେଗୋର ଶାନ୍ତି ନିକେତନ ପ୍ରତିଷ୍ଠା କରିଥିଲେ। ଶାନ୍ତିନିକେତନର ଅନୁସରଣରେ ଓଡ଼ିଶାର ପଞ୍ଚସଖା ବନ ବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହେବାକୁ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରି କହିଛନ୍ତି ଯେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି, ସତ୍ୟବାଦୀ ଓଡିଆ ଜାତି ପାଇଁ ପ୍ରେରଣାର ଭୂମି। ଏ ଭୂମିକୁ ମୋର ପ୍ରଣାମ। ସାକ୍ଷୀଗୋପାଳଙ୍କ ପବିତ୍ର ଭୂମି ସତ୍ୟବାଦୀକୁ ଆସି ମୁଁ ବହୁତ ଖୁସି । ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପଣ୍ଡିତ ଗୋପବନ୍ଧୁ ଥିଲେ ତ୍ୟାଗ, ସଂଗ୍ରାମ ଓ ସେବାର ପ୍ରତୀକ । ସେ ଥିଲେ ମାନବ ସମାଜର ଗର୍ବ ଓ ଗୌରବ । ତାଙ୍କ ଜାତିପ୍ରୀତିର ତୁଳନା ନାହିଁ । ଓଡିଶାର ଇତିହାସରେ ଆଜି ଏଠାରେ ଆମେ ସମସ୍ତେ ଏକ ମହାନ କାର୍ଯ୍ୟ ପାଇଁ ଏକାଠି ହୋଇଛୁ । ଓଡ଼ିଶା ଦେଶର ପ୍ରଥମ ଭାଷାବିତ ରାଜ୍ୟ । ଉତ୍କଳମଣିଙ୍କ ଜୟନ୍ତୀ ଅବସରରେ ତାଙ୍କ କର୍ମଭୂମିରେ ଓଡିଆ ବିଶ୍ବବିଦ୍ୟାଳୟରେ ଭିତ୍ତି ରଖିବା ମୋ ପାଇଁଁ ଗୌରବର କଥା ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧି ପାଇଁ କାମ କରିଥିବା ବରପୁତ୍ରମାନଙ୍କ ପ୍ରତି ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଗୋପବନ୍ଧୁଙ୍କ ବନବିଦ୍ୟାଳୟ ଥିଲା ଓଡିଆ ନବଜାଗରଣ ପୀଠ । ଓଡିଆ ଜାତୀୟ ଚେତନାର ବିକାଶରେ ପଞ୍ଚସଖା ଏକ ନୂଆ ଜାଗରଣ ଆଣିଥିଲେ । ମୋର ବିଶ୍ବାସ, ଓଡିଆ ବିଶ୍ବବିଦ୍ୟାଳୟ ଓଡିଆ ନବଜାଗରଣକୁ ଆହୁରି ଆଗେଇ ନେବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ବିକାଶରେ ଏକ ନୂଆ ଯୁଗ ଆରମ୍ଭ କରିବ । ଆପଣମାନଙ୍କ ଆର୍ଶୀବାଦ ଓ ସହଯୋଗ ରହିଲେ ପ୍ରଗତିର ନନ୍ଦିଘୋଷ ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ।

 

 

Leave A Reply