ସମ୍ବଲପୁରର ‘ସିଦ୍ଧି’ ପାର୍ଶ୍ବ ଗାୟିକାରୁ ନାୟିକା

ବଙ୍ଗଳା ଚଳଚିତ୍ରରେ ଓଡିଆ ଅଭିନେତ୍ରୀ

ସମ୍ବଲପୁର :  ସମ୍ବଲପୁରର ଓଡିଆ ଝିଅ ସିଦ୍ଧି ପ୍ରିୟଦର୍ଶିନୀ (ହନି) ବଙ୍ଗଳା ଚଳଚିତ୍ରରେ ଜଣେ ପାର୍ଶ୍ବ ଗାୟିକା ରୂପେ ପରିଚିତ ଥିବା ବେଳେ ଏବେ ସେ ନାୟିକା ଭୂମିକା ନିର୍ବାହ କରିବାର ସୁଯୋଗ ପାଇଛନ୍ତି । ସମ୍ବଲପୁରର ଜିଲା ପାଠାଗାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଙ୍ଗଳା ଚଳଚିତ୍ର ‘ଇନ୍ତେଜାର’ ର ପ୍ରଯୋଜକ ପ୍ରସନ୍ନଜିତ ମିଶ୍ର ଏହି ଘୋଷଣା କରିଛନ୍ତି । ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ମିଶ୍ର କହିଛନ୍ତି ଯେ ସେ ମୁଳତଃ ବାଲେଶ୍ୱର ଜିଲାର ବାସିନ୍ଦା ହୋଇଥିବା ବେଳେ ତାଙ୍କର ଛାତ୍ର ଜୀବନ ସମ୍ବଲପୁରରେ କଟିଛି । ଏଣୁ ପ୍ରଥମରୁ ହିଁ ତାଙ୍କର ଏହି ଅଞ୍ଚଳର ଉଦୟୀମାନ ପ୍ରତିଭାଙ୍କୁ ନେଇ ଚଳଚିତ୍ର ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା । ସେ ପ୍ରାୟ ୨୨ ବର୍ଷ ହେବ ମୁମ୍ବାଇରେ ଅବସ୍ଥାନ କରି ଚଳଚିତ୍ର ବିତରଣ କ୍ଷେତ୍ରରେ କାର୍ଯ୍ୟରତ ରହିଥିବା ବେଳେ ସୂର୍ଯ୍ୟବଂଶୀ, ଚୁପକେ ଚୁପକେ ଭଳି ପ୍ରାୟ ୫ ଶହରୁ ଉର୍ଦ୍ଧ ଚଳଚିତ୍ରର ବିତରଣ କରିବା ସହିତ ୬ଟି ସିରିଏଲ ପ୍ରଯୋଜନା କରିଛନ୍ତି । ଆଞ୍ଚଳିକ ଭାଷା ବଙ୍ଗଳାରେ ସେ ପ୍ରଥମ ଥର ପାଇଁ ‘ଇନ୍ତେଜାର’ ଚଳଚିତ୍ର ନିର୍ମାଣ କରୁଛନ୍ତି । ସିଦ୍ଧି ବହୁତ ଭାଗ୍ୟବାନ ଓ ପ୍ରତିଭାଶାଳୀ ଅଟନ୍ତି । ପ୍ରଥମେ ତାଙ୍କୁ ଏହି ଚଳଚିତ୍ର ପାଇଁ ପାର୍ଶ୍ବ ଗାୟିକା ରୂପେ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ପ୍ରଶାନ୍ତ ରାୟ ମାଇକେଲ ତାଙ୍କୁ ଅଭିନେତ୍ରୀ ଭୂମିକାରେ ନେବାକୁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଏହି ସୁଯୋଗ ଦିଆଯାଇଛି । ଏହି ଚଳଚିତ୍ର ବଙ୍ଗଳା ଭାଷା ସହିତ ଆସାମୀ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବ। ଏଥି ସହ ଆଗାମୀ ଚଳଚିତ୍ର ‘ଭାଲୋବାସ ଯୋନ୍ନୋ’ ରେ ମଧ୍ୟ ଉଭୟ ପାର୍ଶ୍ବ ଗାୟିକା ଓ ନାୟିକାର ଭୂମିକା ସିଦ୍ଧି ନିର୍ବାହ କରିବେ। ଏହା ସହିତ ଏହି ଚଳଚିତ୍ର ଗୁଡିକରେ ପୋଷାକ ପରିଧାନ ପ୍ରସ୍ତୁତ କରିବା ପାଇଁ ସମ୍ବଲପୁରର ସମ୍ପ୍ରିତା ପଣ୍ଡା ଓ ପୋଷାକ ଡିଜାଇନର ଶ୍ରୀୟା ପୂଜାରୀଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ୨୦୨୪ ମସିହାରେ ସିଦ୍ଧିଙ୍କୁ ବଲିଉଡ ଚଳଚିତ୍ରରେ ମଧ୍ୟ ଲଞ୍ଚ କରାଯିବ ବୋଲି ପ୍ରଯୋଜକ ପ୍ରସନ୍ନଜିତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅଞ୍ଚଳର ଜଣାଶୁଣା ସାମାଜିକ ଓ ସଂସ୍କୃତି ସଙ୍ଗଠକ ପ୍ରଫୁଲ୍ଲ ହୋତା ସମ୍ବୋଧନ କରି କହିଛନ୍ତି ଯେ, କଳା ଜଗତ ପ୍ରତି ସେ ସଦାସର୍ବଦା ଆକର୍ଷିତ ରହିଥିବା ବେଳେ ସେ ତାଙ୍କର ଝିଅକୁ ଜଣେ ଗାୟିକା ରୂପେ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ତାଙ୍କ ଝିଅ ଅର୍ଥାତ ତାଙ୍କର ନାତୁଣୀ ସିଦ୍ଧି ପ୍ରିୟଦର୍ଶିନୀ ଜଣେ ଗାୟିକା ରୂପେ ପ୍ରସିଦ୍ଧି ଲାଭ କରିଛି, ଯାହାକୁ ଗର୍ବର ବିଷୟ ଅଟେ । ସେ ପୂର୍ବରୁ ସମ୍ବଲପୁରୀ ଏବଂ ଓଡିଆରେ ଗୀତ ଗାଇ ନିଜକୁ ପରିଚିତ କରାଇ ସାରିଥିବା ବେଳେ ବର୍ତ୍ତମାନ ବଙ୍ଗଳା ଓ ହିନ୍ଦୀ ସିନେମାରେ ପାର୍ଶ୍ବ ଗାୟିକାର ସୁଯୋଗ ତାଙ୍କ ନିକଟରେ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସିଦ୍ଧିଙ୍କ ପିତା ସମୀର ବହିଦାର, ମାତା ସୁପ୍ରଭା, ଆଈ ସଂଘମିତ୍ରା ହୋତା, ସରୋଜ ଦାଶଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସୁଚନାଯୋଗ୍ୟ ଯେ, ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ଦିଲ୍ଲୀ ପବ୍ଲିକ ସ୍କୁଲରୁ କୃତୀତ୍ୱର ସହିତ ମାଟ୍ରିକ କରିବା ପରେ ଏବେ ସିଦ୍ଧି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ସ୍ନାତକ ଶ୍ରେଣୀର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି । ସେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଉନ୍ନତ କଣ୍ଠ ଶିଳ୍ପୀ ରୂପେ ଅନେକ ପୁରସ୍କାର ଲାଭ କରିଛନ୍ତି । ତାଙ୍କର ସୁମଧୁର କଣ୍ଠ ଓ ଶୈଳୀ ଦେଶର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରସନ୍ନଜିତ ମିଶ୍ରଙ୍କ ନଜରକୁ ଆସିବା ପରେ “ଇନ୍ତେଜାର” ଚଳଚିତ୍ରରେ ସୁଯୋଗ ଦେଇଛନ୍ତି । ଏବେ “ଇନ୍ତେଜାର”ର ସୁଟିଂ ଜାରି ରହିଛି।

Comments are closed.