ଜିଡିପିରେ ଅଧିକ, ଏଚ୍‍ଡିଆଇରେ ପଛୁଆ ଓଡ଼ିଶା

0

ଭୁବନେଶ୍ବର : ଜାତୀୟସ୍ତରର ଆର୍ଥିକ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ଅଧିକ ଥିଲେ ବି ରାଜ୍ୟର ଅନେକ ଲୋକ ପଛୁଆ ଅଛନ୍ତି। ସେମାନଙ୍କ ଆର୍ଥିକ, ରାଜନୈତିକ ଏବଂ ସାମାଜିକ କଲ୍ୟାଣରେ ଏହି ବିକାଶକୁ ବିନିଯୋଗ କରାଯାଇ ପାରିନାହିଁ। ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚ୍‍ଡିଆଇ) ଅନୁସାରେ ଓଡ଼ିଶା ଜାତୀୟସ୍ତରଠାରୁ ବହୁ ପଛରେ ଅଛି। ୨୦୧୧ରେ ଜାତୀୟସ୍ତରରେ ମାନବ ବିକାଶ ସୂଚକାଙ୍କ ୦.୫୦୪ ଥିଲାବେଳେ ଓଡ଼ିଶାର ଏଚ୍‍ଡ଼ିଆଇ ୦.୪୪୨ ରହିଥିଲା।

ଏପଟେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଜାତୀୟସ୍ତରରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୫% ଥିଲା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୭% ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସର୍ଭେରେ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ବିଷୟରେ କୁହାଯାଇଛି। ସର୍ଭେ ଅନୁସାରେ ଓଡ଼ିଶାର ଅର୍ଥନୀତିରେ ୫୩% ପ୍ରସାର ଘଟିଛି। ମୁଣ୍ଡ ପିଛା ଆୟ ୪୨% ବୃଦ୍ଧି ପାଇ ୯୨,୭୨୭ ଟଙ୍କାରେ ପହଞ୍ଚିଛି। ରାଜନୈତିକ ସ୍ଥିରତା ଏବଂ ଭରପୁର ପ୍ରାକୃତିକ ସମ୍ପଦ ଯୋଗୁଁ ଓଡ଼ିଶା ଏହି ମାଇଲଖୁଣ୍ଟରେ ପହଞ୍ଚି ପାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହେଲେ ମାନବ ବିକାଶ ସୂଚକାଙ୍କ (ଏଚ୍‍ଡ଼ିଆଇ)ରେ ଓଡ଼ିଶାର ଲୋକେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆୟ କ୍ଷେତ୍ରରେ ଜାତୀୟସ୍ତରଠାରୁ ପଛରେ ଅଛନ୍ତି।

ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ସିୱାଇଏସ୍‍ଡି ଏବଂ ସିଏସ୍‍ଓଏସ୍‍ ପକ୍ଷରୁ ମିଳିତ ଭାବେ ୨୦୧୫ରୁ ଓଡ଼ିଶା ବିକାଶ ପଦକ୍ଷେପ (ଓଡ଼ିଆଇ) ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ୨୦୧୬ରେ ଓଡ଼ିଶା ବିକାଶ କନକ୍ଲେଭ ରୂପ ନେଇଥିଲା। ଏହି କ୍ରମରେ ୨୦୧୮ରେ ଓଡ଼ିଶା ବିକାଶ କନକ୍ଲେଭର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଗଷ୍ଟ୨୪ରୁ ଏହି କନକ୍ଲେଭ ଆରମ୍ଭ ହେବ। ତିନି ଦିନ ଚାଲିବା ପରେ ଅଗଷ୍ଟ ୨୬ରେ ଉଦ୍‍ଯାପିତ ହେବ। ଅଗଷ୍ଟ ୨୪ରେ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀଭ କୁମାର କନକ୍ଲେଭର ଉଦଘାଟନ କରିବେ । କନକ୍ଲେଭରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ନିଜ ମତବ୍ୟକ୍ତ କରିବେ ବୋଲି ସିୱାଇଏସଡି ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରକାଶ କରିଛନ୍ତି ।  ଏହି କନକ୍ଲେଭ ପାଇଁ ୧୯ଟି ବିଷୟବସ୍ତୁକୁ ସ୍ଥାନ ଦିଆଯାଇଛି।
ସେଗୁଡ଼ିକ ହେଲା
୧-ଆଦିବାସୀ ବିକାଶ
୨-ଖାଦ୍ୟ ଏବଂ ପୋଷଣ ନିରାପତ୍ତା
୩-ବୃଷ୍ଟିପୁଷ୍ଟ ଅଞ୍ଚଳରେ କୃଷି
୪-ଗ୍ରାମାଞ୍ଚଳ ନିଯୁକ୍ତି ଏବଂ କର୍ମ ଅନ୍ୱେଷଣରେ ସ୍ଥାନାନ୍ତର
୫-ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା
୬-ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ
୭-ପାନୀୟ ଜଳ, ପରିମଳ ଏବଂ ସ୍ୱାସ୍ଥ୍ୟକର ପରିବେଶ
୮-ବିପର୍ଯ୍ୟୟ, ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ
୯- ସାମାଜିକ ଅସମାନତା ଏବଂ ବାଚ୍ଛନ୍ଦ
୧୦-ସମାବେଶୀ ପ୍ରଶାସନ ଏବଂ ସାମାଜିକ ଉତ୍ତରଦାୟିତ୍ୱ
୧୧-ଜଙ୍ଗଲ ଏବଂ ଅଣଜଙ୍ଗଲ ମଧ୍ୟରେ ସମାନତା
୧୨-ଜଳ ଏବଂ ନଦୀ ପରିବେଶ ସନ୍ତୁଳନ
୧୩-ସହରାଞ୍ଚଳ ପ୍ରଶାସନରେ ଗଣତାନ୍ତ୍ରିକ ବ୍ୟବସ୍ଥା
୧୪-ପଞ୍ଚାୟତିରାଜ
୧୫-ସ୍ଥାନୀୟ ଏସ୍‍ଡିଜିରେ କର୍ପୋରେଟ ସେକ୍ଟର
୧୬-ବିଶ୍ୱବିଦ୍ୟାଳୟ ଏବଂ ଗୋଷ୍ଠୀ ମଧ୍ୟରେ ସଂଯୋଗ ସ୍ଥାପନ
୧୭-ସବୁଜ ଦକ୍ଷତା ଏବଂ ଉଦ୍ୟୋଗ ବିକାଶ
୧୮-ଶିଶୁ ଅଧିକାର
୧୯-ଲିଙ୍ଗଗତ ଅସମାନତା ଦୂର

Comments
Loading...