ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ ୫ଟି କାହାଣୀ

ଜାତିର ପିତା ମହାତ୍ମା ଗାନ୍ଧୀ ଭାରତର ସ୍ୱାଧୀନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହତ୍ବପୂର୍ଣ ଅବଦାନ ପାଇଁ ତାଙ୍କୁ ଜାତିର ପିତା ମହାତ୍ମା ଏବଂ ବାପୁ ମଧ୍ୟ କୁହାଯାଏ। ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅକ୍ଟୋବର ୨କୁ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ। ସତ୍ୟ ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜୀବନ ସହ ଜଡିତ କାହାଣୀଗୁଡିକ ଅତ୍ୟନ୍ତ ଆକର୍ଷଣୀୟ। ତେବେ ଏହି ଅବସରରେ ଆସିନ୍ତୁ ଜାଣିବା ତାଙ୍କ ସହ ଜଡିତ ୫ଟି କାହାଣୀ ବିଷୟରେ….

ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ କାହାଣୀ…..

(୧) ପିଲାମାନେ ଗାନ୍ଧିଜୀଙ୍କୁ ଭେଟିବାକୁ ଭଲ ପାଉଥିଲେ। ଗାନ୍ଧିଜୀ ମଧ୍ୟ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ଗାନ୍ଧିଜୀଙ୍କ ପୋଷାକକୁ ଦେଖି ଖୁବ୍ ଦୁଃଖ ଅନୁଭବ କଲା। ସେ ବିଚାର କରିବାକୁ ଲାଗିଲା ଯେ, ଗାନ୍ଧିଜୀ ଉତ୍ତମ ପୋଷାକ କାହିଁକି ପିନ୍ଧୁ ନାହାଁନ୍ତି। ଦିନେ ସେ ଗାନ୍ଧିଜୀଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲା ଯେ, ଆପଣ କାହିଁକି କୁର୍ତ୍ତା ପିନ୍ଧୁ ନାହାଁନ୍ତି?

ଗାନ୍ଧୀ ପିଲାଟିକୁ ଉତ୍ତର ଦେଇ କହିଲା – ପୁଅ, ମୁଁ ଜଣେ ଗରିବ ଲୋକ। କୁର୍ତ୍ତା କିଣିବାକୁ ମୁଁ ଅସମର୍ଥ। ସଙ୍ଗେସଙ୍ଗେ ପିଲାଟି କହିଲା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ମା’ ଆପଣଙ୍କ ପାଇଁ ଏକ ନୂଆ କୁର୍ତ୍ତା ସିଲେଇ କରିବେ। ଗାନ୍ଧିଜୀ ପିଲାଟିର କଥା ଶୁଣି ହଁ କରିଲେ ଏବଂ ପଚାରିଲେ ପୁଅ ତୁମା ମା’ ମୋ ପାଇଁ କେତୋଟି କୁର୍ତ୍ତା ସିଲେଇ କରିବେ?

ପିଲାଟି ଉତ୍ତର ଦେଲା- ଆପଣ ଯେତୋଟି ଚାହିଁବେ ସେତୋଟି। ଗାନ୍ଧିଜୀ ପୁଣି କହିଲେ, ପୁଅ ମୋ ପରିବାର ବହୁତ ବଡ। ମୁଁ ଏକାକୀ କୁର୍ତ୍ତା ପିନ୍ଧିବି, ମୋତେ ଭଲ ଲାଗିବ ନାହିଁ। କ’ଣ ତୁମ ମା’ ମୋର ୪୦ କୋଟି ଭାଇ-ଭଉଣୀଙ୍କ ପାଇଁ କୁର୍ତ୍ତା ସିଲେଇ କରିବ କି?

ଗାନ୍ଧିଜୀଙ୍କ କଥା ଶୁଣି ପିଲାଟି ଚିନ୍ତାରେ ପଡ଼ିଗଲା ଏବଂ ସେ ଅନୁଭବ କଲେ ଯେ ଗାନ୍ଧିଜୀ ସମଗ୍ର ଦେଶକୁ ତାଙ୍କ ପରିବାର ଏବଂ ନିଜେ ସେହି ପରିବାରର ମୁଖ୍ୟ ବୋଲି ଭାବନ୍ତି। ସେ ସମସ୍ତ ଦେଶବାସୀଙ୍କର ବନ୍ଧୁ ଏବଂ ସହଯୋଗୀ ମଧ୍ୟ।

 (୨) ମହାତ୍ମା ଗାନ୍ଧୀଙ୍କ ପିଲାଦିନର ଏକ କାହାଣୀ

ରାଜା ହରିଶ୍ଚନ୍ଦ୍ରଙ୍କ ପ୍ରତି ମୋହନ ବହୁତ ପ୍ରଭାବିତ ହୋଇଥିଲେ। ଥରେ ମୋହନ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ଦେଖିବାକୁ ଚାହୁଁଥିଲେ। ସେ ତାଙ୍କ ପିତାଙ୍କୁ ମଧ୍ୟ ନାଟକ ଦେଖିବାକୁ ଯିବାକୁ କହିଥିଲେ କିନ୍ତୁ ତାଙ୍କ ପିତା କାର୍ଯ୍ୟରେ ବ୍ୟସ୍ତ ଥିଲେ ତେଣୁ ମୋହନ ତାଙ୍କ ସାଙ୍ଗମାନଙ୍କ ସହିତ ନାଟକ ଦେଖିବାକୁ ଯାଇଥିଲେ। ସେଠାକୁ ଯାଇ ସେ ନାଟକ ଦେଖିଲେ, ନାଟକରେ ରାଜା ହରିଶ୍ଚନ୍ଦ୍ର ତାଙ୍କ ସତ୍ୟ ପୂରଣ କରିବା ପାଇଁ ତାଙ୍କ ରାଜ୍ୟ ଏବଂ ପରିବାର ହରାଇଲେ । ନାଟକଟି ଏତେ ପ୍ରେରଣାଦାୟକ ଥିଲା ଯେ କାହାଣୀ ଶେଷରେ ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା |

ମୋହନ ସେହି କାହାଣୀ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେ ଭାବିଥିଲେ ଯେ ରାଜା ହରିଶ୍ଚନ୍ଦ୍ରଙ୍କ ପରି ସେ ମଧ୍ୟ ଏପରି ଶକ୍ତି ପାଆନ୍ତେ କି, ଯାହା ଦ୍ବାରା ସେ ସତ୍ୟ ପାଇଁ କୌଣସି ସମସ୍ୟା ସାମ୍ନା କରିପାରିବେ।

ମୋହନ ତାଙ୍କ ସାଙ୍ଗମାନଙ୍କ ସହିତ ରାଜା ହରିଶ୍ଚନ୍ଦ୍ରଙ୍କ ବିଷୟରେ କଥାବାର୍ତ୍ତା କଲେ ଯେ ସେ ଜଣେ ମହାନ ବ୍ୟକ୍ତି। ସତ୍ୟକୁ ସମର୍ଥନ କରିବାକୁ ଯାଇ ସେ ନିଜର ସବୁକିଛି ବାଜି ଲଗାଇ ଦେଇଥିଲେ। ଏହି ନାଟକ ବହୁତ ଭଲ ଥିଲା ଏବଂ ଏହା ଦ୍ବାରା ମୋତେ ସତ୍ୟର ଶକ୍ତି ବିଷୟରେ ଜଣାପଡିଲା ବୋଲି କହି ସେ ସତ୍ୟର ପଥ ଅନୁସରଣ କରିବେ ବୋଲି ସେ ପଣ ନେଲେ। ସେହି ଦିନରୁ ମୋହନ ସତ୍ୟରେ ବଞ୍ଚିବା ଆରମ୍ଭ କଲେ। ବଡ ହୋଇ ସେ ନିଜ ଜୀବନକୁ ସତ୍ୟର ପଥରେ ରଖିଥିଲେ। ଜୀବନର ପ୍ରତ୍ୟେକ କଠିନ ପରୀକ୍ଷାରେ ସତ୍ୟ ଏବଂ ସାହସ ତାଙ୍କୁ ବିଜୟୀ କରାଇଲା ।

(୩) ମହାତ୍ମା ଗାନ୍ଧୀଙ୍କ ବିଦ୍ୟାଳୟ ସମୟର କାହାଣୀ

ପିଲାଦିନରୁ ଗାନ୍ଧିଜୀ ବହୁତ ସଚ୍ଚୋଟ ଥିଲେ। ଏହି କ୍ଷୁଦ୍ର କାହାଣୀ ଦ୍ୱାରା ଏହା ପ୍ରମାଣିତ ହୋଇଛି । ଥରେ ବିଦ୍ୟାଳୟରେ ଶିକ୍ଷକ ସମସ୍ତ ଛାତ୍ରମାନଙ୍କ ଇଂରାଜୀ ଶବ୍ଦ ବନାନ୍ ଲେଖିବାକୁ କହିଲେ। ସବୁ ପିଲା ଲେଖିଲେ। ଶିକ୍ଷକ ଦେଖିଲେ ଯେ ସମସ୍ତ ପିଲାଙ୍କ ଇଂରେଜ ବନାନ୍ ଠିକ୍ ଥିଲା କିନ୍ତୁ ଗାନ୍ଧୀଙ୍କ ବନାନ୍ ଭୁଲ ଥିଲା। ତେଣୁ ନିକଟରେ ବସିଥିବା ପିଲା ଠାରୁ ନକଲ କରି ଲେଖିବାକୁ ଶିକ୍ଷକ ଗାନ୍ଧିଜୀଙ୍କୁ ଇସାର କରି କହିଲେ। କିନ୍ତୁ ଗାନ୍ଧିଜୀ ତାହା କଲେ ନାହିଁ।

ପରୀକ୍ଷା ଶେଷରେ ଶିକ୍ଷକ ଗାନ୍ଧୀଙ୍କୁ ପଚାରିଲେ, ତୁମେ କାହିଁକି କପି ବା ନକଲ କଲ ନାହିଁ? ମୁଁ ତୁମକୁ ଇସାରା କରି ଜଣାଇଲି, ତୁମେ ଦେଖିଲ ନାହିଁ। ଏହା ଶୁଣି ଗାନ୍ଧିଜୀ କହିଲେ, ଗୁରୁଜୀ ମୁଁ ଆପଣଙ୍କ ଅଙ୍ଗଭଙ୍ଗୀ ଦେଖିଛି, କିନ୍ତୁ ମୁଁ କପି କରିବାକୁ ଚାହୁଁ ନଥିଲି। ପରେ ଶିକ୍ଷକ କହିଲେ, କେବଳ ତୁମେ ଉତ୍ତର ଭୁଲ ଅଟେ। ଗାନ୍ଧୀ କହିଲେ, ଗୁରୁଜୀ ମୁଁ ଜାଣିଛି। କିନ୍ତୁ ମୁଁ ଭୁଲ ରାସ୍ତା ଆପଣାଇବାକୁ ଚାହେଁ ନାହିଁ। ଗାନ୍ଧିଜୀଙ୍କ କାହାଣୀରୁ ଆପଣ ବୁଝି ସାରିଥିବେ ଯେ, ମହାତ୍ମା ଗାନ୍ଧୀ ପିଲାଦିନରୁ ସଚ୍ଚୋଟ ଥିଲେ।

(୪) ଗାନ୍ଧିଜୀଙ୍କ ଜୀବନ ସହିତ ଜଡିତ କାହାଣୀ

ପିଲାଦିନରୁ ଗାନ୍ଧୀଙ୍କୁ ମୋହନ ନାମରେ ଡକାଯାଉଥିଲା। ମୋହନ ଅନ୍ଧକାରକୁ ବହୁତ ଡରୁଥିଲେ। ସେ ଭାବୁଥିଲେ ଯେ, ରାତିରେ ଭୂତ ପ୍ରେତ ବୁଲେ ଏବଂ ତାଙ୍କୁ ଉଠାଇ ନେଇଯିବେ। ଦିନେ ରାତିରେ ବହୁତ ଅନ୍ଧାର ଥିଲା ଏବଂ ମୋହନଙ୍କୁ ଅନ୍ୟ ଏକ ଘରକୁ ଯିବାକୁ ଥିଲା। ଯିବା ପାଇଁ ସେ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଯାଇ ପାରିଲେ ନାହିଁ।

ଏହି ସମୟରେ ଜଣେ ଗୁରୁଜନ ବ୍ୟକ୍ତି ତାଙ୍କୁ ଦେଖି ପଚାରିଲେ ପୁଅ କଣ ହେଲା? ସେ କହିଲେ ଯେ ମୁଁ ବହୁତ ଡର ଲାଗୁଛି। ବ୍ୟକ୍ତି ଜଣଙ୍କ ପଚାରିଲେ କାହାକୁ ଡରୁଛ। ଗାନ୍ଧିଜୀ କହିଲେ- ମୁଁ ଅନ୍ଧକାରକୁ ବହୁତ ଭୟ କରେ। କାରଣ ଅନ୍ଧକାରରେ ଭୂତ ଆସିଥାଏ।

ଗୁରୁଜନ ବ୍ୟକ୍ତି ଜଣଙ୍କ ବୁଝାଇଲେ ଯେ, ମୋ କଥା ଶୁଣ, ରାମଜୀ ଅର୍ଥାତ୍ ଭଗବାନ ରାମଙ୍କୁ ସ୍ମରଣ କର। ତୁମ ନିକଟକୁ କୌଣସି ଭୂତ ଆସିବ ନାହିଁ। ଭଗବାନ ରାମ ତୁମର ସୁରକ୍ଷା କରିବେ। ପରେ ଗାନ୍ଧିଜୀ କହିଲେ, ଯଦି ଏହା ସତ୍ୟ ମୁଁ ରାମ ନାମ ଜପ କରିବି। ଗାନ୍ଧିଜୀ ରାମ ନାମ ଜପ କରି ଅନ୍ୟ ଏକ ଘରକୁ ଗଲେ ଏବଂ ସେହି ଦିନଠାରୁ ସେ କେବେ ଅନ୍ଧକାରକୁ ଭୟ କଲେ ନାହିଁ। ସେ ଭାବିଲେ ଯେ ଭଗବାନ ରାମ ସର୍ବଦା ତାଙ୍କ ସହ ରହିଛନ୍ତି। ଏହି ବିଶ୍ୱାସ ଜୀବନରେ ଗାନ୍ଧିଜୀଙ୍କୁ ଶକ୍ତି ପ୍ରଦାନ କଲା ।

(୫) ମହାତ୍ମା ଗାନ୍ଧୀଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା

ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ କୁଲି ନାମରେ ଡକାଯାଉଥିଲା। ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଏହି ଅନୁଭୂତି ସହିବାକୁ ପଡିଥିଲା। ଥରେ ଗାନ୍ଧିଜୀ ଟ୍ରେନର ପ୍ରଥମ ଶ୍ରେଣୀ ବଗିରେ ପ୍ରିଟୋରିଆ (ଦକ୍ଷିଣ ଆଫ୍ରିକାର ରାଜଧାନୀ)କୁ ଯାଉଥିଲେ। ସେତେବେଳେ କଳା ଓ ଗୋରା ବର୍ଣ୍ଣକୁ ନେଇ ଭେଦଭାବ ଥିଲା। କଳା ରଙ୍ଗର ଲୋକଙ୍କୁ ଟ୍ରେନର ପ୍ରଥମ ଶ୍ରେଣୀ ବିଭାଗରେ ଯାତ୍ରା କରିବାକୁ ଅନୁମତି ଦିଆଯାଉନଥିଲା।

ଗାନ୍ଧିଜୀଙ୍କ ପାଖରେ ପ୍ରଥମ ଶ୍ରେଣୀ ବଗିର ଡିକେଟ୍ ଥାଇ ମଧ୍ୟ ନିଷ୍ଠୁର ଇଂରେଜମାନେ ତାଙ୍କ କଥା ଶୁଣିନଥିଲେ ଏବଂ ଜିନିଷପତ୍ର ସହ ତାଙ୍କୁ ବଗିରୁ ବାହାର କରିଦେଇଥିଲେ। ଏହି ଘଟଣା ମହାତ୍ମା ଗାନ୍ଧୀଙ୍କ ଜୀବନଶୈଳୀକୁ ବଦଳାଇ ଦେଇଥିଲା। ସେ ଭାବିଲେ ଯେ, ଏହା ସମଗ୍ର ମାନବ ଜାତି ଉପରେ ଅନ୍ୟାୟ । ମୁଁ ଏହାର ମୁକାବିଲା କରିବି। ସେ ଏହି ଅନ୍ୟାୟ ବିରୁଦ୍ଧରେ ସତ୍ୟର ଆନ୍ଦୋଳନ ଆରମ୍ଭ କରିଥିଲେ। ତାହା ସତ୍ୟାଗ୍ରହ ଆନ୍ଦୋଳନ ନାମରେ ଜଣାଯାଏ।

 

Comments are closed.