ଓସିଏଲ୍‌: ଜାଗୁଆର୍ସକୁ ହରାଇଲା ଓଡ଼ିଶା ଟାଇଗର୍ସ

କଟକ : ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ବୁଧବାର ୪ର୍ଥ ଦିନରେ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି ଓଡ଼ିଶା ଟାଇଗର୍ସ ଦଳ। ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌​‌େ​‌ର ଓଡ଼ିଶା ଜାଗୁଆର୍ସକୁ ୨୮ ରନ୍‌ରେ ଟାଇଗର୍ସ ପରାସ୍ତ କରିଛି। ୩ୟ ମ୍ୟାଚ୍‌ରେ ଏହା ଟାଇଗର୍ସର ୨ୟ ବିଜୟ ହୋଇଥିବା ବେଳେ ଜାଗୁଆର୍ସ ତା’ର ୩ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସକୁ ୨୮ ରନ୍‌ରେ ଓଡ଼ିଶା ଟାଇଗର୍ସ ପରାସ୍ତ କରିଛି। ରାଜକିଶନ ପଟେଲଙ୍କ ଅପରାଜିତ ୪୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଟାଇଗର୍ସ ୧୯.୪ ଓଭରରେ ୧୨୮ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ପରେ ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଜାଗୁଆର୍ସ ୨୦ ଓଭରରେ ୯ ୱିକେଟରେ ୧୦୦ ରନ୍ କରି ପାରିଥିଲା। ଜାଗୁଆର୍ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଟାଇଗର୍ସ ନିୟମିତ ୱିକେଟ ହରାଇଥିଲା। ଆୟୁଷ ନାୟକ ୧୦ ଓ ଅଧିନାୟକ ଦେବାଶିଷ ସାମନ୍ତରାୟ ୩୦ ରନ୍ କରିଥିଲେ। ରାଜକିଶନ ପଟେଲ ୩୪ ବଲ୍‌ରୁ ୪ଟି ଚୌକା ସହ ୪୪ ରନ୍‌କରି ଅପରାଜିତ ଥିଲେ। ସଞ୍ଜୟ ଦାସ ୧୦ ରନ୍‌ କରିଥିବା ବେଳେ ଅନ୍ୟ କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ। ଜାଗୁଆର୍ସର ରାହୁଲ ଚୌଧୁରୀ ୩ଟି ଏବଂ ମନୋଜ କଶ୍ୟପ, ରଶ୍ମିରଞ୍ଜନ ସାହୁ ଓ ଲଗ୍ନଜିତ ସାମଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୨୯ ରନ୍ ଲକ୍ଷ୍ୟରେ ଜାଗୁଆର୍ସ ଆହୁରି ଦୟନୀୟ ବ୍ୟାଟିଂ କରିଥିଲା। ଅଧିନାୟକ ଗିରିଜା ରାଉତ ୨୬, କ୍ଷମାସାଗର ବଳ ୧୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ଏବଂ ମନୋଜ କଶ୍ୟପ ୨ଟି ଛକା ସହ ୧୪ ରନ୍ କରିଥିବା ବେଳେ ଅନ୍ୟ କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ। ରାଜକିଶନ ପଟେଲ ୩ଟି ଏବଂ ବି. ଶିବା ଓ ସଞ୍ଜୟ ଦାସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାଜକିଶନ ପଟେଲଙ୍କୁ ଓସିଏ ସଦସ୍ୟ ଶିବପ୍ରସାଦ ତ୍ରିପାଠୀ ପ୍ଲେୟର ଅଫ୍ ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।
ମଙ୍ଗଳବାର ୨ୟ ମ୍ୟାଚ୍‌ରେ ଜାଗୁଆର୍ସକୁ ୧୯ ରନ୍‌ରେ ହରାଇ ପ୍ୟୁମାସ୍ ପ୍ରଥମ ବିଜୟ ହାସଲ କରିଥିଲା। ପ୍ୟୁମାସ୍ ୭ ୱିକେଟରେ ୧୪୧ ରନ୍‌ କରିଥିଲା। ଜାଗୁଆର୍ସ ୧୮.୫ ଓଭରରେ ୧୨୨ ରନ୍‌କରି ଅଲ୍ଆଉଟ ହୋଇଥିଲା। ଜାଗୁଆର୍ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ପ୍ୟୁମାସ୍‌ର ୨ ଓପ୍‌ନର ଟୁକୁନା ସାହୁ ଓ ସନ୍ଦୀପ ପଟ୍ଟନାୟକ ୨୨ ରନ୍‌ ଲେଖାଏଁ କରିଥିଲେ। ଅଧିନାୟକ ଅରବିନ୍ଦ ସିଂହ ୩ ରନ୍‌ କରିବା ପରେ ପ୍ରତୀକ ଅନୁରାଗ ଦାସ ୨୪ ବଲ୍‌ରୁ ୩୧, ପ୍ରୟାସ ସିଂହ ୧୫ ବଲ୍‌ରୁ ୨୪ ଓ ଅବିନାଶ ନାୟକ ୨୪ ବଲ୍‌ରୁ ଅପରାଜିତ ୨୬ ରନ୍ କରିଥିଲେ। ମନୋଜ କଶ୍ୟପ ଓ ସନ୍ଦୀପ ଚୌହାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୪୨ ରନ୍‌ ଲକ୍ଷ୍ୟରେ ଜାଗୁଆର୍ସ ୩୩ ରନ୍‌ରେ ୫ଟି ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ ୬୧ ରନ୍‌ ଯୋଡ଼ିବା ପରେ ଲଗ୍ନଜିତ ସାମଲ ୩୦ ରନ୍‌କରି ଆଉଟ ହୋଇଥିଲେ। ଅଭିଜିତ ବାରିକ ୪୦ ବଲ୍‌ରୁ ୪୯ ରନ୍ କରିଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ। ପ୍ରଶାନ୍ତ ରଣା ୪ଟି, ଟୁକୁନା ସାହୁ ୩ଟି ଓ ବାଦଲ ନିଶାଦ ୨ଟି ୱିକେଟ ନେଇଥିଲେ। ପ୍ୟୁମାସ୍‌ର ପ୍ରଶାନ୍ତ ରଣା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.