ଓସିଏଲ୍‌ ଆରମ୍ଭ; ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ ବିଜୟୀ

କଟକ : ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ରବିବାରଠାରୁ ଆରମ୍ଭ ହୋଇଛି। ଅପରାହ୍‌ଣରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ ଦଳ ସହଜ ବିଜୟ ହାସଲ କରିଛି। ଓଡ଼ିଶା ପ୍ୟୁମାସ୍‌କୁ ପାନ୍ଥର୍ସ ୯ ୱିକେଟରେ ପରାସ୍ତ କରିଛି। ପୟାସ କୁମାର ସିଂହଙ୍କ ବିସ୍ଫୋରକ ୭୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ପ୍ୟୁମାସ୍ ୨୦ ଓଭର ଶେଷରେ ୮ ୱିକେଟରେ ୧୪୧ ରନ୍ କରିଥିଲା। ପରେ ସିଦ୍ଧାନ୍ତ କୁମାର ଜେନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୫.୩ ଓଭରରେ ୧ ୱିକେଟ ହରାଇ ପାନ୍ଥର୍ସ ବିଜୟୀ ହୋଇଥିଲା।
ଟସ୍ ଜିତି ଓଡ଼ିଶା ପାନ୍ଥର୍ସ ଫିଲ୍‌ଡିଂ ନେବା ପ​‌େ​‌ର ପ୍ୟୁମାସ୍ ୨୩ ରନ୍‌ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। କାମେଶ୍ବର ବାରିକ ୮ ଓ ଅବିନାଶ ନାୟକ ୧ ରନ୍ କରିଥିବା ବେଳେ ଅଧିନାୟକ ଅରବିନ୍ଦ ସିଂହ, ଟୁକୁନା ସାହୁ ଓ ପ୍ରତୀକ ଅନୁରାଗ ଦାସ ଖାତା ଖୋଲି ପାରିନଥିଲେ। ପରେ ସନ୍ଦୀପ ପଟ୍ଟନାୟକ ଓ ପ୍ରୟାସ ସିଂହ ୧୧ ଓଭରରେ ୧୦୭ ରନ୍ ଯୋଡ଼ିଥିଲେ। ସନ୍ଦୀପ ୪୫ ବଲ୍‌ରୁ ୪୧ ରନ୍ କରିଥିଲେ। ପ୍ରୟାସ ସିଂହ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୪୦ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୭୪ ରନ୍ କରିଥିଲେ। ପାନ୍ଥର୍ସ ପାଇଁ ପ୍ରଦୀପ କୁମାର ପ୍ରଧାନ ୪ଟି ଓ ଆଲୋକ ଚନ୍ଦ୍ର ସାହୁ ୨ଟି ୱିକେଟ ନେଇଥିଲେ। ୧୪୨ ରନ୍‌ର ବିଜୟଲକ୍ଷ୍ୟକୁ ପାନ୍ଥର୍ସ ସହଜରେ ପିଛା କରିଥିଲା। ଓପ୍‌ନିଂ ଯୋଡ଼ିରେ ଅଙ୍କିତ ସିଂହ ଓ ଆଲୋକ ଚନ୍ଦ୍ର ସାହୁ ଦ୍ରୁତ ୪୮ ରନ୍ ଯୋଗ କରିଥିଲେ। ଆଲୋକ ୧୧ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌କରି ଆଉଟ ହୋଇଥିଲେ। ପରେ ପାନ୍ଥର୍ସ ଆଉ ୱିକେଟ ପଡ଼ିବାକୁ ଦେଇନଥିଲା। ଅଙ୍କିତ ଓ ସିଦ୍ଧାନ୍ତ କୁମାର ଜେନା ଅବିଭାଜିତ ୨ୟ ୱିକେଟ ପାଇଁ୯୬ ରନ୍ ଯୋଡ଼ିଥିଲେ। ଅଙ୍କିତ ୪୫ ବଲ୍‌ରୁ ୬ଟି ଚୌକା ସହ ୪୩ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ସିଦ୍ଧାନ୍ତ ଜେନା ୩୯ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୩ ରନ୍‌କରି ଅପରାଜିତ ଥିଲେ। ପ୍ରୟାସ ସିଂହ ଏକମାତ୍ର ୱିକେଟ ନେଇଥିଲେ। ବିଜୟୀ ଦଳର ପ୍ରଦୀପ କୁମାର ପ୍ରଧାନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଏହି ମ୍ୟାଚ୍‌ ପୂର୍ବରୁ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ନିକଟରେ ଜାତୀୟ ସିନିୟର ମନୋନୟନକାରୀ ହୋଇଥିବା ରାଜ୍ୟର ପ୍ରଥମ ସିନିୟର ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ମୁଖ୍ୟ ଅତିଥି ଥିଲେ। ଆରମ୍ଭରୁ ଦେବାଶିଷଙ୍କୁ ତାଙ୍କ କୃତିତ୍ବ ପାଇଁ ଓସିଏର କର୍ମକତ୍ତା ସମ୍ବର୍ଦ୍ଧନା ଦେଇଥିଲେ। ଉତ୍ସବରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି ଓ ଅବକାଶ ଖଟୁଆ, ଓସିଏ ସଦସ୍ୟ ସୁଶାନ୍ତ ମହାନ୍ତି ଓ ସିଇଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ୨ୟ ମ୍ୟାଚ୍‌ରେ ଓଡ଼ିଶା ଚିତାଜ୍ ଓ ଓଡ଼ିଶା ଟାଇଗର୍ସ ମଧ୍ୟରେ ମୁକାବିଲା ଚାଲିଛି।

Comments are closed.