ଭିଜନ୍ @ ୨୦୨୪ : କ୍ରିକେଟ୍‌ର ଉନ୍ନତି ପାଇଁ ଓସିଏର ଯୋଜନା ପ୍ରସ୍ତୁତ

କଟକ : କିଛିମାସ ତଳେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା କ୍ରିକେଟ୍‌ର ଉନ୍ନତି ପାଇଁ ତାଙ୍କର ଭିଜନ୍ @ ୨୦୨୪ କଥା କହିଥିଲେ ସଞ୍ଜୟ ବେହେରା । ଏବେ ଏହାର ବ୍ଲୁପ୍ରିଣ୍ଟ ବା ଯୋଜନା ପ୍ରସ୍ତୁତ କରିଛି ଓସିଏ । ପ୍ରଥମ ପଦକ୍ଷେପ ସ୍ବରୂପ ଓସିଏ ଓଡ଼ିଶାର ଘରୋଇ କ୍ରିକେଟ୍‌ର ଢାଞ୍ଚାକୁ ପରିବର୍ତ୍ତନ କରିବ ଏବଂ କ୍ରିକେଟକୁ ରାଜ୍ୟବ୍ୟାପୀ ପରିବ୍ୟାପ୍ତ କରିବ। ଭିଜନ୍ @ ୨୦୨୪ ପ୍ରଥମ ପଦକ୍ଷେପ ହେବ ଓସିଏର ସମସ୍ତ ୩୨ଟି ଜିଲା ୟୁନିଟ୍‌ରେ ଘରୋଇ କ୍ରିକେଟ୍‌କୁ ପ୍ରାଧାନ୍ୟ ଦିଆଯିବ। ଏହି ୩୨ଟି ଜିଲା ୟୁନିଟ୍‌ ଉଭୟ ସିନିୟର ଓ ଜୁନିୟର ସ୍ତରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଓ ପ୍ରଶିକ୍ଷଣ ଆୟୋଜନ କରିବାକୁ ପଡ଼ିବ।
ଏହି ୩୨ଟି ଜିଲା ୟୁନିଟ୍‌ଙ୍କୁ ଉଭୟ ସିନିୟର ଓ ଜୁନିୟର ସ୍ତରରେ ଅତିକମ୍‌ରେ ୧୦ଟି କ୍ଲବ୍‌ଙ୍କୁ କ୍ରିକେଟ ପରିଚାଳନା କରିବା ପାଇଁ ଓସିଏ ପକ୍ଷରୁ କୁହାଯାଇଛି। ସିନିୟର ସ୍ତରରେ ସମସ୍ତ ଦଳ ବା କ୍ଲବ୍ ସେମାନଙ୍କ ଦଳରେ ୧୫ ଜଣ ଖେଳାଳିଙ୍କ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ସେମାନଙ୍କ ମଧ୍ୟରେ ସର୍ବାଧିକ ୭ ଜଣ ଓ ସର୍ବନିମ୍ନ ୬ ଜଣ ୨୩ ବର୍ଷରୁ କମ୍ ଖେଳାଳି ରହିବେ। ଏମାନଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ଓ ସର୍ବନିମ୍ନ ୪ ଜଣ ୨୩ ବର୍ଷରୁ କମ୍ ଖେଳାଳି ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ। ସମାନ ଢଙ୍ଗରେ ଜୁନିୟର (୧୯ ବର୍ଷରୁ କମ୍‌) ବର୍ଗର ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳ ବା କ୍ଲବ୍‌ଙ୍କୁ ଅତିକମ୍‌ରେ ୧୫ ଜଣ ଖେଳାଳିଙ୍କ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ସେମାନଙ୍କ ମଧ୍ୟରେ ସର୍ବାଧିକ ୭ ଜଣ ଓ ସର୍ବନିମ୍ନ ୪ ଜଣ ୧୬ ବର୍ଷରୁ କମ୍ ଖେଳାଳି ରହିବେ। ଏମାନଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ଓ ସର୍ବନିମ୍ନ ୨ ଜଣ ୧୬ ବର୍ଷରୁ କମ୍ ଖେଳାଳି ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ। ଓସିଏ ତା’ର ଡିଜିଟାଲ ପାର୍ଟନରର ସହଯୋଗରେ ସମସ୍ତ ୩୨ଟି ଜିଲା ୟୁନିଟ୍‌କୁ ଏକ ଲିଙ୍କ୍ (ୟୁଜର୍ ଆଇଡି) ପ୍ରଦାନ କରିବ। ଏହା ଜରିଆରେ ସମସ୍ତ ଜିଲା ୟୁନିଟ୍‌ ସେମାନଙ୍କ ଖେଳାଳିଙ୍କ ନାମ ପଞ୍ଜୀକରଣ କରିପାରିବେ। ବିସିସିଆଇ ଯେଉଁପରି ଭାବରେ ବିଭିନ୍ନ ଜାତୀୟସ୍ତରର ଖେଳାଳିଙ୍କ ନାମ ପଞ୍ଜୀକରଣ କରୁଛି ଏବଂ ଏଥିପାଇଁ ଖେଳାଳିଙ୍କୁ ଯେଉଁସବୁ ତଥ୍ୟ ଦେବାକୁ ପଡ଼ୁଛି; ଓସିଏରେ ନାମ ପଞ୍ଜୀକରଣ କରିବା ପାଇଁ ଖେଳାଳିଙ୍କୁ ଅନୁରୂପ ତଥ୍ୟ ବା କାଗଜାତ ପ୍ରଦାନ କରିବାକୁ ପଡ଼ିବ। ଖେଳାଳି ଯେପରି ବୈଧ ଓ ସଠିକ୍ କାଗଜାତ ଅପ୍‌ଲୋଡ କରିବେ; ତାହା ପ୍ରତି ଜିଲା କ୍ରୀଡ଼ା ସଂସଦ ବା ଜିଲା କ୍ରିକେଟ ସଂଘ ଦୃଷ୍ଟିଦେବେ। ଯଦି କୌଣସି କାଗଜାତ ମିଥ୍ୟା/ଅବୈଧ/ଜାଲ୍‌ ପ୍ରମାଣିତ ହୁଏ; ତେବେ ସମ୍ପୃକ୍ତ ଖେଳାଳିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖେଳାଳିମାନଙ୍କୁ ପୌରସଂସ୍ଥା/ଏନ୍‌ଏସି/ଜନ୍ମ ରେଜିଷ୍ଟ୍ରାର ଦ୍ବାରା ଜାରି ଜନ୍ମ ପ୍ରମାଣପତ୍ର; ସରକାରୀ ଫଟୋ ପରିଚୟପତ୍ର ଓ ଗୋଟିଏ ରଙ୍ଗୀନ୍ ଫଟୋ ଅପ୍‌ଲୋଡ୍ କରିବାକୁ ପଡ଼ିବ। ସମସ୍ତ ଖେଳାଳିଙ୍କ ସାର୍ଟରେ ନମ୍ବର ରହିବ।
ଜିଲା ସ୍ତରରେ ୯୦ ଜଣ ସିନିିୟର, ୬୦ ଜଣ ୨୩ ବର୍ଷରୁ କମ୍, ୧୧୦ ଜଣ ୧୯ ବର୍ଷରୁ କମ୍ ଓ ୪୦ ଜଣ ୧୬ ବର୍ଷରୁ ଖେଳାଳିଙ୍କ ନାମ ପଞ୍ଜିକୃତ କରାଯିବ। ଉଭୟ ସିନିୟର ଓ ଜୁନିୟର ବର୍ଗରେ ଅତିକମ୍‌ରେ ୧୦ଟି ଦଳଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ଲିଗ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ଫାଇନାଲ ଖେଳିବେ। ଯଦି ଟର୍ଫ ୱିକେଟ ଉପଲବ୍‌ଧ ନଥିବ; ମ୍ୟାଟିଂ ୱିକେଟ​‌େ​‌ର ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍‌ର ଡିଜିଟାଲ ସ୍କୋରିଂ ହେବ। ଜିଲାସ୍ତରରେ ପ୍ରଦର୍ଶନ ଭିତ୍ତିରେ ଖେଳାଳିଙ୍କୁ ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ମିଳିବ। ୧୬ ବର୍ଷରୁ କମ୍ ଖେଳାଳିଙ୍କ ପାଇଁ ୩ ଦିନିଆ, ୧୯ ବର୍ଷରୁ କମ୍ ଖେଳାଳିଙ୍କ ପାଇଁ ୪ ଦିନିଅା ଓ ଦିନିିକିଆ, ୨୩ ବର୍ଷରୁ କମ୍ ଖେଳାଳିଙ୍କ ପାଇଁ ୪ ଦିନିଅା ଓ ଦିନିିକିଆ ଏବଂ ସିନିୟର ଖେଳାଳିଙ୍କ ପାଇଁ ୪ ଦିନିଅା ଓ ଦିନିିକିଆ ଆନ୍ତଃଜିଲା ମ୍ୟାଚ୍‌ ଖେଳାଯିବ। ବିଭିନ୍ନ ଗ୍ରୁପ୍‌ର ଚମ୍ପିଆନ୍ ଦଳ ସୁପର ଲିଗ୍ ଖେଳିବେ। ଏଥିରେ ଶୀର୍ଷରେ ରହିଥିବା ଦଳ ଚମ୍ପିଆନ୍ ଘୋଷିତ ହେବେ। ଏହାସହ ୨୦୨୦ରେ ଓସିଏ ଆନ୍ତଃକ୍ଲବ୍, ଆନ୍ତଃକଲେଜ୍ ଓ ଆନ୍ତଃସ୍କୁଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏଥିରେ କେବଳ ଓସିଏ ଅନୁବନ୍ଧିତ କ୍ଲବ୍, କଲେଜ୍ ଓ ସ୍କୁଲ୍‌ ଭାଗ ନେଇପାରିବେ।
ଫେବୃୟାରୀ ୫ରୁ ୨୦ ପର୍ଯ୍ୟନ୍ତ ସିନିୟର ଆନ୍ତଃକ୍ଲବ୍ ଜିଲା କ୍ରିକେଟ ଲିଗ୍ ଖେଳାଯିବ। ସେହି ସମୟରେ ୧୬ ବର୍ଷରୁ କମ୍ ଆନ୍ତଃକ୍ଲବ୍ ଜିଲା କ୍ରିକେଟ ଲିଗ୍ ଖେଳାଯିବ। ଏଥିରେ ୩୨ଟି ଜିଲା ୟୁନିଟ୍‌ ସହ ଅନ୍ୟ ୪ଟି ଓସିଏ ଅନୁବନ୍ଧିତ ସଂସ୍ଥା ମଧ୍ୟ ଖେଳିବେ। ଏଥରୁ ୯ଟି ଦଳ ସୁପର ଲିଗ୍ ଖେଳିବେ ଏବଂ ସେମାନଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଉଭୟ ଗ୍ରୁପ୍‌ର ବିଜେତା ଫାଇନାଲ ଖେଳିବେ। ୧୯ ବର୍ଷରୁ କମ୍ ଆନ୍ତଜିଲା କ୍ରିକେଟ ଓ ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍ ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ପରେ ଘୋଷଣା କରାଯିବ। ଏହାସହ ଓସିଏ ଘୋଷଣା କରିଛି ଯେ ୧୬ ବର୍ଷରୁ କମ୍ ଖେଳାଳି ୨୦୦୫ ଜାନୁୟାରୀ ୧ ପରେ, ୧୯ ବର୍ଷରୁ କମ୍ ଖେଳାଳି ୨୦୦୨ ଜାନୁୟାରୀ ୧ ପରେ ଏବଂ ୨୩ ବର୍ଷରୁ କମ୍ ଖେଳାଳି ୧୯୯୮ ଜାନୁୟାରୀ ୧ ପରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ।

Comments are closed.