ଭାରତ-ଇଣ୍ଡିଜ୍‌ ଟି-୨୦ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ

କଟକ : ୨୦୨୧-୨୦୨୨ ଘରୋଇ କ୍ରିକେଟ୍‌ ଋତୁ ଲାଗି ଭାରତରେ ହେବାକୁ ଥିବା ୪ଟି ଆନ୍ତର୍ଜାତିକ ଶୃଙ୍ଖଳାର ଖେଳସୂଚୀକୁ ସୋମବାର ଦୁବାଇରେ ବସିଥିବା ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକରେ ଅନୁମୋଦନ ମିଳିଛି। ଏହା ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳଙ୍କ ମଧ୍ୟରେ ଏହି ଗସ୍ତରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ର ଶୃଙ୍ଖଳା ଖେଳାଯିବାକୁ ଥିବା ବେଳେ ବାରବାଟୀର ମୁକାବିଲା ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ହେବ। ୨୬ ମାସ ପରେ କଟକକୁ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ସୁଯୋଗ ଦେଇଥିବାରୁ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ଘୋଷଣା କରିଛି।
ଔତିହାସିକ ବାରବାଟୀରେ ଶେଷଥର ୨୦୧୯ ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳା ଯାଇଥିଲା। ୨୬ ମାସ ପରେ ଉଭୟ ଦଳ ପୁଣି ବାରବାଟୀରେ ମୁହଁାମୁହିଁ ହେବାକୁ ଯାଉଥିବା ବେଳେ ଏଥର କିନ୍ତୁ ୫୦ ଓଭର ବଦଳରେ ସେମାନେ ୨୦ ଓଭରର ମୁକାବିଲା ଖେଳିବେ। ବାରବାଟୀରେ ପୂର୍ବରୁ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଏହି କ୍ରୀଡ଼ାଙ୍ଗନରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ହେବ। ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ମ୍ୟାଚ୍‌ ପାଇଁ ଏବେଠାରୁ ରାଜ୍ୟରେ କ୍ରିକେଟ୍ ଫିଭର ଆରମ୍ଭ ହୋଇଯାଇଛି। ଗତ ଦିନିକିଆ ମ୍ୟାଚ୍‌ ପରି ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ସଫଳ କରିବା ପାଇଁ ବିସିସିଆଇ ଅଣ୍ଟାଭିଡ଼ିଛି। ଏହି ସନ୍ଦର୍ଭରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଖୁସି ବ୍ୟକ୍ତକରିବା ସହ ଓସିଏ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବାରୁ ସେ ବିସିସିଆଇର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଞ୍ଜୟ କହିଛନ୍ତି, ଫଣି ବାତ୍ୟାରେ ବାରବାଟୀ ଷ୍ଟାଡିୟମ୍‌ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା। ୨ ବର୍ଷ ତଳେ ସେତେବେଳେ ଆମେ ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌କୁ ସଫଳତାର ସହ ଆୟୋଜନ କରିପାରିବୁ କି ନାହିଁ; ତାହା ନେଇ ଲୋକେ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଉକ୍ତ ମ୍ୟାଚ୍‌ ଓସିଏ ଇତିହାସରେ ଅନ୍ୟତମ ସଫଳ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ଥିଲା। ଏଥର ମଧ୍ୟ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ମ୍ୟାଚ୍‌ର ଆୟୋଜନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର ପୂର୍ବ ମ୍ୟାଚ୍‌ଠାରୁ ଅଧିକ ସୁଚାରୁରୂପେ ଆୟୋଜନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଯେତେଥର ବାରବାଟୀରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଛି; ପ୍ରତିଥର ଓଡ଼ିଶା ସରକାର ଆମକୁ ବହୁତ ସାହାଯ୍ୟ, ସହଯୋଗ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପାଖରେ ଆମେ କୃତଜ୍ଞ। ଏଥର ମଧ୍ୟ ସୁଚାରୁରୂପେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ ପାଇଁ ରାଜ୍ୟ ସରକାର ଆମକୁ ଯଥେଷ୍ଟ ସମର୍ଥନ ଦେବେ। ଯଦି ସେତେବେଳେ ରାଜ୍ୟ ସରକାର କୋଭିଡ୍‌-୧୯ ପାଇଁ କୌଣସି ନିୟମାବଳୀ ରଖନ୍ତି; ଆମେ ତା’କୁ ନିଶ୍ଚୟ ପାଳନ କରିବୁ। ଏହାସହ ସଞ୍ଜୟ କହିଛନ୍ତି, ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ର ସଫଳ ଆୟୋଜନ କେବଳ ଓସିଏ ନୁହେଁ; ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ ଦାୟିତ୍ବ। କଟକ ସହର; ବିଶେଷକରି ଓଡ଼ିଶାର ସମ୍ମାନ ରଖିବାରେ ରାଜ୍ୟବାସୀ ଆମକୁ ସମର୍ଥନ ଦେବାକୁ ଅନୁରୋଧ କରୁଛି। ବାରବାଟୀ ଷ୍ଟାଡିୟମ୍‌ ପଡ଼ିଆର ନବୀକରଣ କାର୍ଯ୍ୟ କିଛିମାସ ତଳେ ଆରମ୍ଭ ହୋଇଥିଲା। ଏହା ଏ​‌େ​‌ବ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ବାରବାଟୀର ପଡ଼ିଆ ଓ ପିଚ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ବୋଲି ଆମେ ଆଶାବାଦୀ। ଷ୍ଟାଡିୟମ୍‌ରେ ଦର୍ଶକ ଯେପରି ଆରାମରେ ବସି ମ୍ୟାଚ୍‌ର ଆନନ୍ଦ ଉଠାଇପାରିବେ; ତାହା ଏଥର ମଧ୍ୟ ଆମେ ନିଶ୍ଚିତ କରିବୁ। ଗତ ଦିନିକିଆ ମ୍ୟାଚ୍‌ ପରି ଫେବୃଆରୀ ୧୫ର ମ୍ୟାଚ୍‌ ପାଇଁ ମଧ୍ୟ ବାରବାଟୀ ଷ୍ଟାଡିୟମ୍‌ ସହ ସାରା କଟକ ସହରକୁ ସୁସଜ୍ଜିତ କରାଯିବ। ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ଆମେ ବେଶ୍‌ ଆଶାବାଦୀ ଏବଂ ଖୁବ୍‌ ଶୀଘ୍ର ବାରବାଟୀ ଟେଷ୍ଟ ମ୍ୟାଚ୍‌ ଆୟୋଜକ କ୍ରୀଡ଼ାଙ୍ଗନ ତାଲିକାରେ ସ୍ଥାନପାଇବ ବୋଲି ମୋ ସହ ଆମ କର୍ମକର୍ତ୍ତାମା​‌େ​‌ନ ଦୃଢ଼ ଆଶାବାଦୀ ଅଛନ୍ତି।

Comments are closed.