ଓସିଏ ଆନ୍ତଃଜିଲା ଟ୍ବେଣ୍ଟି୨୦ ଲିଗ୍‌: ସୁପରଲିଗ୍‌ ଆଜିଠାରୁ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଆନୁକୂଲ୍ୟରେ ଭିଜନ୍-୨୪ ଅନ୍ତର୍ଗତ ଚାଲିଥିବା ଆନ୍ତଃଜିଲା ଟ୍ବେଣ୍ଟି୨୦ ଲିଗ୍‌ କ୍ରିକେଟ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶନିବାର ଶେଷହୋଇଛି। ଏଥିରେ କଟକ ‘ଏ’, କଟକ ‘ବି’, ଭୁବନେଶ୍ବର ‘ଏ’, ଭୁବନେଶ୍ବର ‘ବି’, ବାଲେଶ୍ବର ଓ ପୂର୍ବତଟ ରେଳବାଇ ସୁପରଲିଗ୍‌ରେ ପ୍ରବେଶ କରିଛନ୍ତି। ସୁପରଲିଗ୍‌ର ୬ଟି ମ୍ୟାଚ ୨୦ରୁ ୨୨ ପର୍ଯ୍ୟନ୍ତ କିଟ୍‌, ରେଳବାଇ ଓ ରେଭେନ୍‌ସା ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯିବ। ସୁପରଲିଗ୍‌ର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ବାରବାଟୀ ଷ୍ଟାଡ଼ିୟମରେ ୨୨ ତାରିଖ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବ।
ଶନିବାର ୬ଷ୍ଠ ଦିନରେ ୬ଟି ଲିଗ୍‌ ମ୍ୟାଚ ଖେଳା ଯାଇଥିଲା। ଏଥିରେ କଟକ ‘ବି’ ପ୍ରଥମ ମ୍ୟାଚରେ ଢେଙ୍କାନାଳ ଓ ୨ୟ ମ୍ୟାଚରେ କେନ୍ଦ୍ରାପଡ଼ାକୁ ପରାସ୍ତକରି ଶେଷ ଦଳ ଭାବେ ସୁପରଲିଗ୍‌କୁ ଉନ୍ନୀତ ହୋଇଛି। ଅନୁଗୋଳକୁ ନବରଙ୍ଗପୁର, ଦେବଗଡକୁ ପାରାଦୀପ, ପାରାଦୀପକୁ ଢେଙ୍କାନାଳ, ଅନୁଗୋଳକୁ କେନ୍ଦ୍ରାପଡ଼ା ପରାସ୍ତ କରିଛନ୍ତି। ୬ଷ୍ଠ ଦିନରେ ସୁକେଶ କୁମାର ହିରା ଅପରାଜିତ ୧୩୦ ରନ କରିଥିବା ବେଳେ ରାକେଶ ଗୋଛାୟତ, ପୂର୍ଣ୍ଣଚନ୍ଦ୍ର ମାଝି, ଆରିଫ ବେଗ୍‌, ଅବିନାଶ ନାୟକ ଓ ଗୌରବ ଚୌଧୁରୀ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ସୁକେଶ ହିରାଙ୍କ ଅପରାଜିତ ୧୩୦ ଓ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ୬୪ ରନ ବଳରେ ନବରଙ୍ଗପୁର ୪୨ ରନରେ ଅନୁଗୋଳକୁ ହରାଇଛି। ଅନୁଗୋଳର ରାକେଶ ଗୋଛାୟତ ଅପରାଜିତ ୬୧ ରନ କରିଥିଲେ। ପାରାଦୀପ ପ୍ରଥମ ମ୍ୟାଚରେ ୭ ୱିକେଟରେ ଦେବଗଡ଼କୁ ପରାସ୍ତ କରିଛି। ଆରିଫ ଗେଗ୍‌ଙ୍କ ୫୭ରନ ବଳରେ ଢେଙ୍କାନାଳ ୭ ୱିକେଟରେ ପାରାଦୀପକୁ ପରାସ୍ତ କରିଛି। କଟକ ‘ବି’ ପ୍ରଥମ ମ୍ୟାଚରେ ୨୫ ରନରେ ଢେଙ୍କାନାଳକୁ ଓ ୨ୟ ମ୍ୟାଚରେ କେନ୍ଦ୍ରାପଡ଼ାକୁ ୯ ୱିକେଟରେ ପରାସ୍ତ କରିଛି। କେନ୍ଦ୍ରାପଡ଼ା ବିପକ୍ଷରେ କଟକ ‘ବି’ର ଅବିନାଶ ନାୟକ ଅପରାଜିତ ୫୭ରନ କରିଥିଲେ। କେନ୍ଦ୍ରାପଡ଼ା ୭ ୱିକେଟରେ ଅନୁଗୋଳକୁ ପରାସ୍ତ କରିଛି। କେନ୍ଦ୍ରାପଡ଼ାର ଗୌରବ ଚୌଧୁରୀ ୭୪ରନ କରିଥିଲେ। ବାରବାଟୀ ଷ୍ଟାଡ଼ିୟମରେ ଭଦ୍ରକ ଜିଲା କ୍ରିକେଟ ସଂଘର ଉପେନ୍ଦ୍ର କୁମାର ବାରିକ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡ ମ୍ୟାଚରେ ଷ୍ଟେଟ୍‌ବ୍ୟାଙ୍କ୍‌ର ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ଦାଶ, ବିଡାନାସୀ ଗ୍ରାଉଣ୍ଡରେ ଡ. ଦେବାଶିଷ ପ୍ରଧାନ ଅତିଥି ଥିଲେ।

Comments are closed.