ଓସିଏ ନିର୍ବାଚନ: ଶୁଭାଶିଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ; ପ୍ରଭାତଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ; ୫ ପଦ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ରବିବାର ପ୍ରକାଶ କରିଛନ୍ତି ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର। ଓସିଏର ୫ଟି କର୍ମକର୍ତ୍ତା ପାଇଁ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଫଳରେ ୫ଟିଯାକ କର୍ମକର୍ତ୍ତା ପଦ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ସ୍ପଷ୍ଟ ହୋଇଯାଇଛି। ପୁଣି ସ୍ପଷ୍ଟ ହୋଇଯାଇଛି ଯେ ଅାପେକ୍ସ ପରିଷଦ ସଦସ୍ୟ ଛଡ଼ା ଅନ୍ୟ ୫ଟିଯାକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବ। ଅାପେକ୍ସ ପରିଷଦ ସଦସ୍ୟ ପାଇଁ ସଞ୍ଜୟ ବେହେରାଙ୍କ ପ୍ୟାନେଲରୁ କେବଳ ଶୁଭାଶିଷ ସେନାପତି ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବିପକ୍ଷ ଗୋଷ୍ଠୀରୁ କାହାରିକୁ ପ୍ରାର୍ଥୀ କରା ଯାଇନଥିଲା। ଫଳରେ ଶୁଭାଶିଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ଓସିଏର ୫ ଜଣ କର୍ମକର୍ତ୍ତା ପାଇଁ ଚଳିତମାସ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୫ଟି କର୍ମକର୍ତ୍ତା ହେଲେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ। ଓସିଏର ୭୦ଟି ଅନୁବନ୍ଧିତ ସଂଘର ପ୍ରତିନିଧି ଏବଂ ରାଜ୍ୟର ୩ ଆନ୍ତର୍ଜାତିକ କ୍ରିକେଟରଙ୍କୁ ମିଶାଇ ମୋଟ ୭୩ ଜଣ ଭୋଟଦାନରେ ଭାଗ ନେଇପାରନ୍ତି। ଏହି ୭୦ଟି ଅନୁବନ୍ଧିତ ସଂଘ ମଧ୍ୟରେ ଅଛନ୍ତି ୩୧ଟି ଜିଲା, ୧୧ଟି ସ୍କୁଲ୍‌, ୩ଟି କଲେଜ୍, ୨୦ଟି କ୍ଲବ୍ ଏବଂ ୫ଟି ସଂଗଠନ ଅଛନ୍ତି। ଓସିଏରେ କ୍ଷମତା ହାତେଇବା ଲକ୍ଷ୍ୟରେ ଥିବା ଦୁଇଟି ଗୋଷ୍ଠୀ ପୃଥକ୍ ପ୍ୟାନେଲ ଗଠନକରି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସଭାପତି ପଦ ପାଇଁ ଓସିଏର ପୂର୍ବତନ କୋଷାଧ୍ୟକ୍ଷ ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍‌ର ପ୍ରଦୀପ ଚୌହାନ୍ ଓ ଭାରତୀୟ ବେସ୍‌ବଲ୍‌ ମହାସଂଘର ପୂର୍ବତନ ସଭାପତି ତଥା ବୌଦ୍ଧ ଜିଲା ପ୍ରତିନିଧି ପଙ୍କଜ ଲୋଚନ ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହେବ। ସମ୍ପାଦକ ପଦ ପାଇଁ ଫୁଟ୍‌ବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ପୂର୍ବତନ ସମ୍ପାଦକ ତଥା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଓ ଓସିଏର ପୂର୍ବତନ ଉପସଭାପତି ନବରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ମୁକାବିଲା ହେବ। ସଞ୍ଜୟ କଟକ ଜିଲାର ଏବଂ ନବରଞ୍ଜନ ମଙ୍ଗଳା କ୍ଲବ୍‌ର ପ୍ରତିନିଧିତ୍ବ କରୁଛନ୍ତି। ଉପସଭାପତି ପଦ ପାଇଁ ସଞ୍ଜୟଙ୍କ ଗୋଷ୍ଠୀର ଅନୁଗୋଳ ଜିଲାର ଅକ୍ଷୟ କୁମାର ସାମନ୍ତ ଓ ଚୌହାନଙ୍କ ଗୋଷ୍ଠୀର ସୋନପୁର ଜିଲାର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ମଧ୍ୟ​‌େ​‌ର ମୁକାବିଲା ହେବ। କୋଷାଧ୍ୟକ୍ଷ ପଦ ପାଇଁ ସଞ୍ଜୟଙ୍କ ଗୋଷ୍ଠୀର ଖୋର୍ଦ୍ଧା ଜିଲାର ବିକାଶ ପ୍ରଧାନ ଏବଂ ବିପକ୍ଷ ଗୋଷ୍ଠୀରୁ ଜଗତସିଂହପୁର ଜିଲାର ଅନୀଲ କୁମାର ବିଶ୍ବାଳଙ୍କ ମଧ୍ୟରେ ମୁକାବିଲା ହେବ।
ସଞ୍ଜୟଙ୍କ ଗୋଷ୍ଠୀ ପକ୍ଷରୁ ଯୁଗ୍ମସମ୍ପାଦକ ପଦ ପାଇଁ ୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନେ ହେଲେ ଝାରସୁଗୁଡ଼ା ଜିଲାର ମେହ୍‌ତାବ୍ ଖାଁ ଓ ସୁନ୍ଦରଗଡ଼ ଜିଲାର ପ୍ରଭାତ କୁମାର ଭୋଳ। ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଦିନ ଥିବା ବେଳେ ପ୍ରଭାତ କୁମାର ଭୋଳ ତାଙ୍କ ପ୍ରତିନିଧି ଅନୀଲ କୁମାର ବହିଦାରଙ୍କ ଜରିଆରେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ଫଳରେ ସଞ୍ଜୟ ବେହେରା ‌ଗୋଷ୍ଠୀ ପକ୍ଷରୁ ମେହ୍‌ତାବ୍ ଖାଁ ଓ ଚୌହାନ ଗୋଷ୍ଠୀର ଦେବଗଡ଼ ଜିଲାର ସୁଜିତ କୁମାର ପ୍ରଧାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ପଦ ପାଇଁ ମତଦାନ ହେବ। ୨୭ରେ ଓସିଏ ସମ୍ମିଳନୀ କକ୍ଷରେ ଗୋପନ ବ୍ୟାଲଟ୍‌ରେ ମତଦାନ କରାଯିବ। ଏହାପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ବିଭିନ୍ନ ପ୍ରାର୍ଥୀ ଖୋଲାଖୋଲି ପ୍ରଚାର କରି ପାରୁନାହାନ୍ତି।
ନିର୍ବାଚିତ ହେଲେ ପ୍ରଦୀପ ୧୦ ମାସ; ନବରଞ୍ଜନ ୨ ବର୍ଷ ରହିବେ
ଲୋଧା କମିଟି ସୁପାରିସ ଅନୁସାରେ ୯+୯ ନିୟମ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଫଳରେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ବିଭିନ୍ନ ପଦ ପାଇଁ ନିର୍ବାଚିତ ହେବେ; ସେମାନେ କେତେ ସମୟ କର୍ମକର୍ତ୍ତା ରହିପାରିବେ; ତାହା ସ୍ପଷ୍ଟ କରି ଦେଇଛନ୍ତି ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର। ପୂର୍ବରୁ ୨ଟି କାର୍ଯ୍ୟକାଳ; ମୋଟ ୮ ବର୍ଷ କର୍ମକର୍ତ୍ତା ରହି ସାରିଥିବା ପ୍ରଦୀପ ଚୌହାନ ଯଦି ସଭାପତି ନିର୍ବାଚିତ ହୁଅନ୍ତି; ସେ ୧୦ ମାସ ୯ ଦିନ ପାଇଁ ଏହି ପଦରେ ରହିପାରିବେ। ଏହି ଅବଧି ପୂରଣ ପରେ ପ୍ରଦୀପଙ୍କୁ ପଦ ଛାଡ଼ିବାକୁ ପଡ଼ିବ। ସେହିପରି ପ୍ରଦୀପଙ୍କ ଗୋଷ୍ଠୀର ସମ୍ପାଦକ ପ୍ରାର୍ଥୀ ହୋଇଥିବା ନବରଞ୍ଜନ ପଟ୍ଟନାୟକ ଯଦି ନିର୍ବାଚିତ ହୁଅନ୍ତି; ତେବେ ସେ ୨ ବର୍ଷ ରହିପାରିବେ। କାରଣ ପୂର୍ବରୁ ନବରଞ୍ଜନ ୪ ବର୍ଷ ଲାଗି ଉପସଭାପତି ରହି ସାରିଛନ୍ତି। ୨ ବର୍ଷ ପରେ ନବରଞ୍ଜନଙ୍କୁ ସ୍ଥାନ ରିକ୍ତ କରିବାକୁ ପଡ଼ିବ। ତେଣୁ ପ୍ରଦୀପ ଚୌହାନ ଓ ନବରଞ୍ଜନ ଯଦି ନିର୍ବାଚିତ ହୁଅନ୍ତି; ତେବେ ସେମାନଙ୍କ ବାକି କାର୍ଯ୍ୟକାଳ (୧୦ ମାସ ଓ ୨ ବର୍ଷ) ସମାପ୍ତହେବା ପରେ ସାନି ନିର୍ବାଚନ ଅନୁଷ୍ଠିତ ହେବ। ଉପରୋକ୍ତ ୨ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ୯ ଜଣ ପ୍ରାର୍ଥୀ ନିର୍ବାଚିତ ହେଲେ ସେମା​‌େ​‌ନ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ; ଅର୍ଥାତ୍ ପୂରା ୩ ବର୍ଷ ଓସିଏର କର୍ମକର୍ତ୍ତା ରହିପାରିବେ।

Comments are closed.