ମିହିରଙ୍କୁ ଶ୍ରଦ୍ଧାଞ୍ଜଳି: ନାଟକର ନାଁ ରେଭେନ୍ସା, ନାୟକର ନାଁ ମିହିର

ଭୁବନେଶ୍ୱର: ବର୍ଷୀୟାନ ଅଭିନେତା ତଥା ପ୍ରତି ଓଡ଼ିଆଙ୍କ ହୃଦୟରେ ଥିବା ବ୍ୟକ୍ତିତ୍ୱ ସ୍ବର୍ଗତ ମିହିର ଦାସଙ୍କ ଏକାଦଶାହ ଅବସରରେ ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଓ ରେଭେନ୍ସା ଆଲୁମିନି ଆସୋସିଏସନ ସହଭାଗିତାରେ ଆଭାସୀ ଜରିଆରେ ‘ନାଟକର ନାଁ ରେଭେନ୍ସା, ନାୟକର ନାଁ ମିହିର’ ଶୀର୍ଷକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଡର ନିର୍ଦେଶକ ଡ଼ ବିକ୍ରମ କେଶୋରୀ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ କାର୍ଡର ଉପଦେଷ୍ଟା ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଅଧ୍ୟାପକ ରଶ୍ମିରଞ୍ଜନ ଶତପଥୀ ସ୍ବର୍ଗତ ମିହିର ଦାସଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ବେଦ ପାଠ କରିଥିଲେ।

ଏହା ପରେ କାର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ସ୍ବର୍ଗତ ଦାସଙ୍କ ଜୀବନୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଲେଖକ ଦୋଳଗୋବିନ୍ଦ ରଥ, ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଅବସରପ୍ରାପ୍ତ ନୌସେନା ଅଧିକାରୀ ତଥା ବିକ୍ରମ ଦାସ, ବିରେନ ମିଶ୍ର ଓ ଅନନ୍ତ ଭାରତୀ, ବିଶିଷ୍ଟ ଲେଖକ ଚାରୁଦତ୍ତ ପାଣିଗ୍ରାହୀ, ଚଳଚିତ୍ର ନିର୍ମାତା ପ୍ରଣବ ଦାଶ, ରମେଶ ପ୍ରସାଦ ପାଣିଗ୍ରାହୀ, ହରିଷ ମହାନ୍ତି, କଳାକାର ବିଶ୍ୱରଂଜନ, ସୁଷମା ପାତ୍ର ଓ ପ୍ରଫେସର ସଂଗୀତା ରଥ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମିହିର ଦାସଙ୍କ ସ୍ମୃତି ଚାରଣ କରିବା ସହିତ ମିହିରଙ୍କ ସହିତ କଟିଥିବା ସମୟ ଓ ତାଙ୍କର ବ୍ୟକ୍ତିତ୍ୱକୁ ମନେ ପକାଇଥିଲେ। ଜଣେ ଭଲ ମଣିଷ ଭାବେ ସମାଜକୁ ତାଙ୍କର ଅଶେଷ ଅବଦାନ ରହିଛି ଓ ବିଶେଷ କରି ଅଭିନୟ ଓ ସିନେମା କଳା ପରିବେଷଣ ଓ ମଞ୍ଚ ଅଭିନୟ କ୍ଷେତ୍ରରେ ଦୀର୍ଘ ୪ ଦଶନ୍ଧି ଧରି ମିହିର ସୃଷ୍ଟି କରିଥିବା ସନ୍ତକ ସବୁ ତାଙ୍କୁ ଚିର ଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ରଖିବ ବୋଲି ଅତିଥିମାନେ ମତ ରଖିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ରେଭେନ୍ସା ବିଶ୍ୱବିଦ୍ୟାଳ ର ଗବେଷକ ଶୁଭମ ଦାଶ, ସାମୁଏଲ ଲିମା, କମଳ ମହାନ୍ତି, ଚିନ୍ମୟ ସାହୁ ଓ ଡ଼ ପ୍ରୀତି ଶ୍ରୀରଞ୍ଜନ ପ୍ରମୁଖ ସହାୟତା କରିଥିବା ବେଳେ ରୁଦ୍ର ନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.