ମେଦ ବହୁଳତା ଓ ମଧୁମେହ ହେଉଛି ମୁଖ୍ୟ ଚିନ୍ତା – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମେଦ ବହୁଳତା ଏବଂ ମଧୁମେହ ଦେଶରେ ଚିନ୍ତାର କାରଣ ପାଲଟିଛି। ଆଜି ମୁଖ୍ୟ ଚିନ୍ତା ହେଉଛି ଯେ ଲୋକମାନଙ୍କ ଓଜନ ବୃଦ୍ଧି ଘଟୁଛି। ମୋଟାପଣ ଏବଂ ମଧୁମେହ ଏକ ଚିନ୍ତାର କାରଣ ପାଲଟିଛି। ମଧୁମେହ ପ୍ରତ୍ୟେକ ଘରେ ପହଞ୍ଚିଛି। ଏହା ଏପରି ଏକ ରୋଗ ଯେ ଏହା ଅନ୍ୟ ସମସ୍ତ ରୋଗକୁ ଆମନ୍ତ୍ରଣ କରିଥାଏ। ଯୋଗକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଇଥିବା ବେଳେ, ଆମେ କାହିଁକି ଯୋଗ ଅଭ୍ୟାସ କରିପାରିବୁ ନାହିଁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିପାରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଙ୍ଗ୍‍ ମାଧ୍ୟମରେ ଭୁଜ୍‍ ଠାରେ କେ.କେ. ପଟେଲ୍‍ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଏହି ହସ୍ପିଟାଲରୁ ଲୋକମାନେ ଶସ୍ତାରେ ଉତ୍ତମମାନର ସ୍ୱାସ୍ଥ୍ୟସେବା ପାଇପାରିବେ। ଯବାନମାନଙ୍କ ପରିବାର ଓ ବ୍ୟବସାୟ ସଂପ୍ରଦାୟର ଲୋକମାନେ ଏଥିରୁ ଉତ୍କୃଷ୍ଟ ସେବା ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜଙ୍କ ଫୁଡ ଖାଇବା ଅଭ୍ୟାସ ବିରୁଦ୍ଧରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଶରୀର ଶକ୍ତିଶାଳୀ ତେବେ ରୋଗ ବିରୋଧରେ ଲଢେଇ କରାଯାଇପାରିବ। ଖାଦ୍ୟରେ ଶୃଙ୍ଖଳା ଏବଂ ସଂଯମତା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଆଚାର୍ଯ୍ୟ ବିନୋଭା ଭାବେ ଉପବାସ ସମ୍ଭବ ବୋଲି କହୁଥିଲେ। ସ୍ୱାସ୍ଥ୍ୟ ପ୍ରତି ପ୍ରତିଷେଧକ ଆଭିମୁଖ୍ୟ ଉପରେ ତାଙ୍କର ଧ୍ୟାନକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛତା ଉପରେ ଆମକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡିବ। ସେ କହିଛନ୍ତି ଯେ ଯଦି ଆମର ପରିବେଶ ପରିଷ୍କାର ହୁଏ ତେବେ ଅଧିକାଂଶ ରୋଗରୁ ରକ୍ଷା ପାଇପାରିବା। ଭଲ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଯୋଗ ଗ୍ରହଣ କରିଛି ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧିରେ ସମଗ୍ର ବିଶ୍ୱ ଭାରତର ଯୋଗ ଏବଂ ଆୟୁର୍ବେଦ ଉପରେ ଦୃଷ୍ଟି ରଖିଛି।

ଶ୍ରୀ ମୋଦୀ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟସେବା କେବଳ ରୋଗକୁ ନିୟନ୍ତ୍ରଣ କରିବା ମଧ୍ୟରେ ସୀମିତ ନୁହେଁ, ଏହା ମାଧ୍ୟମରେ ସାମାଜିକ ନ୍ୟାୟ ପ୍ରଦାନ କରାଯାଇଥାଏ। ସେ କହିଛନ୍ତି ଗରିବ ଲୋକମାନଙ୍କୁ ଶସ୍ତାରେ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ହେଉଛି ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଓ ଜନଔଷଧୀ ଯୋଜନା ମାଧ୍ୟମରେ ଦେଶର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ସେମାନଙ୍କର ଚିକିତ୍ସା ବାବଦରେ କୋଟି କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି।

ସେ କହିଛନ୍ତି ଭାରତ ଆଗାମୀ ୧୦ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ନୂଆ ଡାକ୍ତର ପାଇବ। ଏଥିପାଇଁ ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜମାନ ସ୍ଥାପନ କରୁଛନ୍ତି ଓ ପ୍ରତ୍ୟେକଙ୍କୁ ଡାକ୍ତରୀ ଶିକ୍ଷା ପାଇବାକୁ ସୁଯୋଗ ସୃଷ୍ଟି କରୁଛନ୍ତି।୨୦୦ ଶଯ୍ୟା ବିଶିଷ୍ଟ କେ.କେ. ପଟେଲ ସୁପର୍‍ ସ୍ପେଶିଆଲିଟି ହସ୍ପିଟାଲକୁ ଶ୍ରୀ କୁଚି ଲେବା ପଟେଲ ସମାଜ ଦ୍ୱାରା ନିର୍ମାଣ କରାଯାଇଛି। ଏହା ହେଉଚି କଚ୍ଛର ପ୍ରଥମ ଦାତବ୍ୟ ସୁପର୍‍ ସ୍ପେଶାଲିଟି ହସ୍ପିଟାଲ।

Comments are closed.