ସଂରକ୍ଷଣରୁ ଓବିସିଙ୍କୁ ବାଦ୍ ଦେବା ପ୍ରସଙ୍ଗ : ଜିଲା ଓବିସି ମଞ୍ଚ ଘେରିଲା ଜିଲାପାଳ କାର୍ଯ୍ୟାଳୟ

ବଲାଙ୍ଗିର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନୁସାରେ ଓଡ଼ିଶା ସରକାର ଉଚ୍ଚ ନ୍ୟାୟାଳୟ ରାୟର ଆଳ ଦେଖାଇ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ବାତିଲ କରିଛନ୍ତି । ସଂରକ୍ଷଣରୁ ଓବିସିଙ୍କୁ ବଞ୍ଚିତ କରାଯାଇଥିବାରୁ ବଲାଙ୍ଗିର ଜିଲା ଓବିସି ମଞ୍ଚ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲାପାଳଙ୍କ ଜରିଆରେ ସ୍ମାରକପତ୍ର ଦେଇଛନ୍ତି।
ବୁଧୁବାର ଓବିସି ମଞ୍ଚର କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ । ଏହିକ୍ରମରେ ଓବିସି ମଞ୍ଚ ତଥା ଅନ୍ୟାନ୍ୟ ସଂଗଠନରୁ ଆସିଥିବା ନେତା ଓ କର୍ମକର୍ତ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମଣ୍ଡଳ କମିଶନ ସୁପାରିଶ ଅନୁସାରେ ଦେଶରେ ଓବିସି ସଂଖ୍ୟା ୫୨ ପ୍ରତିଶତ । ଓଡ଼ିଶାରେ ଓବିସିଙ୍କ ମଧ୍ୟରେ ୨ଶହ ଜାତିଙ୍କ ସହିତ ଅଣ ଓବିସି ୯ଟି ଜାତିକୁ ମିଶାଇ ଏସ୍ଇବିସିଙ୍କ ସଂଖ୍ୟା ୫୫ ପ୍ରତିଶତ । ଏହି ପଛୁଆ ବର୍ଗଙ୍କ ପାଇଁ ୧୯୯୪ରୁ ଏସ୍ଇବିସି ନାମରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ୧୯୯୭ ପଞ୍ଚାୟତିରାଜ ନିର୍ବାଚନରୁ ୨୦୧୭ ପର୍ଯ୍ୟନ୍ତ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ୨୦୧୭ରୁ ଆଜି ଯାଏ ଓବିସିଙ୍କର କୌଣସି ବିକାଶ କରାଯାଇ ନାହିଁ । ଓଲଟି ପଞ୍ଚାୟତିରାଜରେ ଥିବା ସଂରକ୍ଷଣକୁ ଶୂନ କରିଦିଆଯାଇଛି । ଓଡ଼ିଶା ସରକାରୀ ଚାକିରିରେ ତଥା ଶିକ୍ଷାରେ ଓବିସିଙ୍କୁ ମଧ୍ୟ ଶୂନ ଆରକ୍ଷଣ ଦେବା ବିଡମ୍ବନାର ବିଷୟ ।

ସେହିପରି ଓବିସିଙ୍କୁ ଶିକ୍ଷାରୁ, ସମ୍ପତ୍ତି ଓ ଏବେ ପଞ୍ଚାୟତିରାଜ ପ୍ରତିନିଧିତ୍ୱରୁ ମଧ୍ୟ ବେଦଖଲ କରିବା ସରକାରଙ୍କ ନିରନ୍ତର ଷଡଯନ୍ତ୍ର ବୋଲି  ନେତାମାନେ କହିଛନ୍ତି। ପୁଣିଥରେ ଓବିସି ଜନଗଣନା ନକରିବା, ସେମାନଙ୍କ ଉପରେ ୫୦ ପ୍ରତିଶତ ସିଲିଂ ଲଦି ଓ ଓବିସିଙ୍କ ତଥ୍ୟ ନଥିବା ଆଳ ଦେଖାଇ ସେମାନଙ୍କ ପ୍ରତିନିଧିତ୍ୱକୁ ବାତିଲ କରିଦେବା କେତେଦୂର ଯୁକ୍ତି ସଙ୍ଗତ ବୋଲି ମତ ରଖିଛନ୍ତି। ତେଣୁ ରାଜ୍ୟ ସରକାର ବିଚାର କରି ପଞ୍ଚାୟତିରାଜ ନିର୍ବାଚନରେ ଓବିସି ପ୍ରତିନିଧିତ୍ୱ ପାଇଁ ପୂର୍ବ ଭଳି ୨୭ ପ୍ରତିଶତ ସଂରକ୍ଷଣ, ସଂରକ୍ଷଣ କାଏମ ନହେବା ଯାଏ ନିର୍ବାଚନ ସ୍ଥଗିତ, ଓବିସି ଜନଗଣନା କରାଯିବାକୁ ଦାବି କରାଯାଇଛି। ବୁଧୁବାର ଅନୁଷ୍ଠିତ ବିକ୍ଷୋଭରେ ଜିଲା ଓବିସି ମଞ୍ଚର ସଭାପତି ଶଙ୍କର କୁମାର ପାତ୍ର, ଜତି ପ୍ରଧାନ, ସଂପାଦକ ଓବିସି ମଞ୍ଚ ପ୍ରଦେଶୀ ବିଶ୍ୱାଳ, ରାସବିହାରୀ ମାଝୀ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କୃଷ୍ଣଚନ୍ଦ୍ର ବନଛୋର, ହରିଶଙ୍କର ସାଏ, ଦିଲୀପ ବେହେରା, ଗୋଲାପ ବାଗ, ମନୋରଞ୍ଜନ ସାହୁ, ସତ୍ୟ ନାରାୟଣ ବନଛୋର, ମନମୋହନ ପୁଟେଲ, ଗଣେଶ ସାହୁ, ସରୋଜ ବିଶ୍ୱାଳ, ସାନ୍ତନୁ ଭୋଇଙ୍କ ସହ ବହୁ ଓବିସି ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲାପାଳ ଚଞ୍ଚଳ ରାଣାଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଗୁରେଶ୍ୱର ଭୋଇ ସ୍ମାରକପତ୍ର ଗ୍ରହଣ କରିଥିଲେ।

Comments are closed.