ଓଡ଼ିଶା ବିଜ୍ଞାନ ଏକାଡେମୀର ସମ୍ବର୍ଦ୍ଧନା ତଥା ପୁରସ୍କାର ପ୍ରଦାନ ଉତ୍ସବ

ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ତଥା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏଡୁସାଟ୍‌ ଷ୍ଟୁଡିଓ, ଓର୍‌ସାକ୍‌ କମ୍ପ୍ଲେକ୍ସଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ କର୍ତ୍ତୃକ ୨୦୧୮ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡେମୀର ସଭାପତି ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ ବୈଷୟିକ
ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ପ୍ରଫେସର ଶଙ୍କର ପ୍ରସାଦ ପତି ଏବଂ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପ୍ରଫେସର ଆଚାର୍ଯ୍ୟଙ୍କୁ ଦୁଇ ଲକ୍ଷ ଟଙ୍କା, ସ୍ୱର୍ଣ୍ଣ ପ୍ରଲେପ ରୌପ୍ୟ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହିତ
ଡାକ୍ତର ସଂଘମିତ୍ରା ପତି, ପ୍ରଫେସର ପ୍ରମିଳା କୁମାରୀ ମିଶ୍ର, ପ୍ରଫେସର ସଂଜୟ କୁମାର ଦାଶ ଏବଂ ଡକ୍ଟର ସ୍ୱରୂପ କୁମାର ପରିଡ଼ାଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା, ସ୍ୱର୍ଣ୍ଣ ପ୍ରଲେପ ରୌପ୍ୟ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଡକ୍ଟର ସନ୍ଦୀପ କୁମାର ପଣ୍ଡା, ଡକଫର ସୁଧନ୍ୱା ପାତ୍ର, ଡକଫର ଶଙ୍କର୍ଷଣ
ମହାପାତ୍ର ଏବଂ ଡକ୍ଟର କୌଶିକ ପରିଡ଼ାଙ୍କୁ ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡକ୍ଟର ରାଜବଲ୍ଲଭ ମହାନ୍ତି ଏବଂ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାର ଷଡଙ୍ଗୀ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ। ଏକାଡେମୀର ସଂପାଦକ ଇଂ. ଭଗତ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.